ବିଜେଡିରେ ଅସନ୍ତୋଷ ଓ ଆକ୍ରୋଶ ଥମିବାର ନାଁ ଧରୁନି । ସାଧାରଣ ନିର୍ବାଚନରେ ପରାଜୟର କଷ୍ଟରୁ ମୁକୁଳିପାରୁନାହାନ୍ତି ବିଜେଡି ନେତାମାନେ । ଯେଉଁମାନଙ୍କ ଔଦ୍ଧତ୍ୟ ଓ ତ୍ରୁୂଟିପୂର୍ଣ୍ଣ ଆଚରଣ ପାଇଁ ବିଜେଡିର ୨୪ବର୍ଷର ଶାସନର ଅପ୍ରତ୍ୟାଶିତ ଅନ୍ତ ଘଟିଲା ଏବେ ସେହିମାନେ ପୁଣିଥରେ ସକ୍ରିୟ ହୋଇ ଦଳୀୟ ସଂଗଠନରେ ମାମଲାତି କରିବା ପରେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ପରାଜୟରୁ ମୁକୁଳି ସଂଗଠନକୁ କ୍ର୍ରିୟାଶୀଳ କରିବା ବିଜେଡି ପାଇଁ ସହଜ ନୁହେଁ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଲାଣି । ‘ହୋଲି’ ପାଳନ ଅବସରରେ ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ‘ଧର୍ମପଦ’ର ତ୍ୟାଗ ଉପାଖ୍ୟାନ କଥା ଦଳ ଓ ଦଳପତିଙ୍କୁ ସୁଦୃଢ଼ କରିବାକୁ ହେଲେ ‘ଆଗଧାଡ଼ିର ନେତାମାନଙ୍କୁ କିଛି ତ୍ୟାଗ କରିବାକୁ ପଡ଼ିବ ତଥା ନବୀନଙ୍କଠୁ ସେମାନଙ୍କୁ ଦୂରେଇ ଯିବାକୁ ସେ ଆହ୍ୱାନ ଦେଇଛନ୍ତି । ଅଶୋକ ପରୋକ୍ଷରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସଙ୍କୁ ଟାର୍ଗେଟ୍ କରିଥିବା ଚର୍ଚ୍ଚା ହେଉଛି । ମାତ୍ର ଅଶୋକଙ୍କ ଏହି ବୟାନକୁ ତାଙ୍କର ବ୍ୟକ୍ତିଗତ ମତ କହି ବିରୋଧ କରିଛନ୍ତି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ସଂଗଠନରେ ଦୀର୍ଘଦିନ ଧରି କୋଣଠେସା ରହି ନିର୍ବାଚନ ପରାଜୟ ପରଠୁ ସକ୍ରିୟ ଥିବା ସଞ୍ଜୟ ପରୋକ୍ଷରେ ପାଣ୍ଡିଆନ-ବବିଙ୍କ ମାମଲାତିକୁ ସମର୍ଥନ କରିବା ସହ ନିଜର ଚାଟୁକାରିତାର ପରିଚୟ ଦେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବରିଷ୍ଠ ନେତା ଅରୁଣ ସାହୁ ଓ ନିକଟରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ମଧ୍ୟ ‘ପାଣ୍ଡିଆନ ଓ ତାଙ୍କ ଟିମ’ ଯୋଗୁ ବିଜେଡିକୁ ବିପର୍ଯ୍ୟୟ ଭୋଗିବାକୁ ପଡ଼ିଥିବା ଗଣମାଧ୍ୟମରେ ସ୍ୱୀକାର କରିସାରିଛନ୍ତି ।
କ’ଣ କହିଲେ ଅଶୋକ ପଣ୍ଡା:
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଦଳ ବିଜେଡିକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଇଛନ୍ତି । ହୋଲି ପାଳନ ଅବସରରେ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଛନ୍ତି ତାହା ସେ ନବୀନ ନିବାସକୁ ମଧ୍ୟ ଜଣାଇଥିବା ସ୍ପଷ୍ଟ କରିଛନ୍ତି । ଶ୍ରୀ ପଣ୍ଡା ‘ଧର୍ମପଦର ତ୍ୟାଗ’ର ଉଦାହରଣ ଦେଇ କହିଛନ୍ତି ଯେ, ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’ । ବିଶୁ ମହାରଣା- ଧର୍ମପଦ ଯେଭଳି ତ୍ୟାଗ କରିଛନ୍ତି ସେଭଳି ଆତ୍ମଉତ୍ସର୍ଗ ଓ ତ୍ୟାଗ ଆମମାନଙ୍କୁ କରିବାକୁ ପଡ଼ିବ । ତା’ହେଲେ ଯାଇ ନବୀନବାବୁଙ୍କ ଆମେ ରଖିପାରିବା ଏହା ସାମଗ୍ରିକ ଭାବେ ଦଳର କଲ୍ୟାଣ ସହ ଦଳର କ୍ୟାଡ଼ରଙ୍କ କଲ୍ୟାଣ ମଧ୍ୟ କରିବ । ଆମେ ଟିକେ ଦୂରେଇ ଯାଇ ଦେଖିବା ଆମ ନେତା ସେଭଳି ସୁଦୃଢ଼ ରୁହନ୍ତୁ ଓ ଆଉ ନେତୃତ୍ୱ ମଧ୍ୟ ଦିଅନ୍ତୁ । ଆମେମାନେ ଟିକେ ଦୂରେଇଗଲେ ଭଲ ହେବ । ଦଳରୁ କାହାକୁ ବିଦା କରାନଯାଉ । ସମସ୍ତଙ୍କର ଭଲଖରାପ ଗୁଣ ଅଛି । ଯିଏ ଥିଲେ ସେମାନେ ରୁହନ୍ତୁ । ଯେଉଁମାନେ ଆଗଧାଡ଼ିର ଅଛନ୍ତି ସେମାନେ ସମସ୍ତେ ଟିକେ ଦୂରେଇ ଯିବା ଆଉ ଆମ ନେତାଙ୍କୁ ଫ୍ରି-ହ୍ୟାଣ୍ଡ ଦେବା ଦରକାର । ତା’ହେଲେ ନବୀନବାବୁ ବଳିଷ୍ଠ ହେବେ ଓ ଦଳ ମଧ୍ୟ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସାମ୍ବାଦିକତାରୁ ରାଜନୀତିରେ ସାମିଲ ହୋଇଥିବା ଅଶୋକ ପଣ୍ଡା ନିଜର ଦୀର୍ଘବର୍ଷର ଅଭିଜ୍ଞତା ଆଧାରରେ ଯେଉଁ ବୟାନ ଦେଇଛନ୍ତି ତାକୁ ସମର୍ଥନ କରି ବିଜେଡିର ଅନ୍ୟ ନେତାମାନେ ମୁହଁ ଖୋଲିବା ପୂର୍ବରୁ ସୁଚିନ୍ତିତ ଢଙ୍ଗରେ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ଆସି ତାହା ଅଶୋକଙ୍କ ବ୍ୟକ୍ତିଗତ ବୟାନ ବୋଲି କହି ଖାରଜ କରିଛନ୍ତି । ତେବେ ସଞ୍ଜୟ ଏବେ କେଉଁ କ୍ଷମତା ବଳରେ ଅଶୋକଙ୍କ ବୟାନକୁ ବ୍ୟକ୍ତିଗତ ବୋଲି ଦର୍ଶାଇଲେ ଓ ସଞ୍ଜୟ କ’ଣ ଅଶୋକଙ୍କ ବୟାନକୁ ଖଣ୍ଡନ ପାଇଁ ଦଳପତିଙ୍କଠୁ ନିର୍ଦ୍ଦେଶ ପାଇଥିଲେ କି ବୋଲି ପ୍ରଶ୍ନ ଉଠିଲାଣି ।
ଅଶୋକଙ୍କ ଏହି ବୟାନ ପୂର୍ବରୁ କେନ୍ଦୁଝରର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ଶହଶହ କୋଟି ଟଙ୍କାର ଖଣି କାରବାର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ବିଜେଡି ଶାସନରେ ପ୍ରଶାସନିକ କଳର ଛତ୍ରଛାୟାରେ ଏସବୁ କରୁଥିଲା ବୋଲି ଖୋଲାଖୋଲି କହିଛନ୍ତି । ରାଜା ଚକ୍ର ଯେଉଁସବୁ ବେଆଇନ କାର୍ଯ୍ୟ କରୁଛନ୍ତି ତାହା ଦଳ ପାଇଁ ଜିଲ୍ଲାରେ କ୍ଷତିକାରକ ହେଉଛି ବୋଲି କହି ତା’ର ଲମ୍ବା ତାଲିକା ଲିଖିତ ଭାବେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଦେଇଥିଲେ । ମାତ୍ର ତା’କୁ ଅଣଦେଖା କରାଗଲା । ରାଜା ଚକ୍ରଙ୍କ ସିଧାସଳଖ ସମ୍ପର୍କ ପ୍ରଣବପ୍ରକାଶ ଦାସ ଓରଫ ବବି, ଆଇପିଏସ୍ ଡିଏସ୍ କୁଟ୍ଟେ, ମାନସ ମଙ୍ଗରାଜ ପ୍ରମୁଖଙ୍କ ସହ ଥିବା ଚର୍ଚ୍ଚା ହୁଏ । ବବି ଦୀର୍ଘବର୍ଷ ଧରି କେନ୍ଦୁଝରର ଦଳୀୟ ସଂଗଠନ ବ୍ୟାପାର ଦାୟିତ୍ୱରେ ରହିଛନ୍ତି ଓ ରାଜା ଚକ୍ର ତାଙ୍କର ପ୍ରତିନିଧି ଭାବେ ଜିଲ୍ଲାରେ ହାକିମାତି କରିଥାନ୍ତି । ପାଣ୍ଡିଆନଙ୍କ ବଳରେ ବଳିୟାନ ହୋଇ ବବି ହିଁ କେନ୍ଦୁଝର ଜିଲ୍ଲାରେ ଦଳର ବିପର୍ଯ୍ୟୟର କାରଣ ବୋଲି ଦଳ ଭିତରେ ଚର୍ଚ୍ଚା ।
କେବଳ ସେତିକି ନୁହେଁ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ‘ଓଟିଭି କାର୍ଯ୍ୟକ୍ରମ’ରେ ବିଜେଡି ପରାଜୟ ପାଇଁ ‘ଫାଇଭ-ଟି’ ଦାୟୀ ବୋଲି ସିଧାସଳଖ ସ୍ୱୀକାର କରିଥିଲେ । ଫାଇଭ-ଟି କହିଲେ ପାଣ୍ଡିଆନଙ୍କୁ ବୁଝାଏ । ଫାଇଭ-ଟି ଯୋଗୁ ବିଜେଡି ବୁଡ଼ିଲା ବୋଲି ଅରୁଣ ସ୍ୱୀକାର କରିସାରିଛନ୍ତି ।
ବିଜେଡିର ବିପର୍ଯ୍ୟୟ ପରେ ମଧ୍ୟ ଦଳର ଚେତା ପଶିଲାନି ଯେ, ପୁଣିଥରେ ଦଳୀୟ ସାଂଗଠନିକ ବ୍ୟାପାରରେ ସେହି ପାଣ୍ଡିଆନ ଓ ବବିଙ୍କ ମାମଲାତିକୁ ଗ୍ରହଣ କରୁଥିବାରୁ ବରିଷ୍ଠ ନେତା ଅଶୋକ ପଣ୍ଡା ଇସାରା ଇସାରାରେ ନିଜର କ୍ଷୋଭ ବ୍ୟକ୍ତ କରି ଧର୍ମପଦର ଉପାଖ୍ୟାନ ଗଣମାଧ୍ୟମ ଆଗରେ ରଖିଥିବା କୁହାଯାଉଛି ।
ପାଣ୍ଡିଆନ-ବବିଙ୍କୁ କହିଲେ ସଞ୍ଜୟଙ୍କୁ ବାଧୁଛି:
ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ୟୁ-ଟର୍ଣ୍ଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷକରି ଏବେ ବବିଙ୍କ ରାଜନୀତିକ ପତିଆରା ବଢ଼ାଇବା ଓ ପାଣ୍ଡିଆନଙ୍କୁ ଖୁସି କରିବା ନିମନ୍ତେ ସଞ୍ଜୟ ଲାଗିପଡ଼ିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବରିଷ୍ଠ ନେତା ଅଶୋକ ପଣ୍ଡା ଦଳକୁ ସଂଗଠିତ ଓ ସୁଦୃଢ଼ କରିବାକୁ ଦେଇଥିବା ମନ୍ତବ୍ୟ ପରୋକ୍ଷରେ ବବି-ପାଣ୍ଡିଆନଙ୍କ ମାମଲାତି ଆଡ଼କୁ ଇଙ୍ଗିତ କରୁଥିବାରୁ ସଞ୍ଜୟ ଆଗକୁ ଆସି ଏହା ଅଶୋକଙ୍କ ବ୍ୟକ୍ତିଗତ ମତ କହି ବିରୋଧ କରିଛନ୍ତି । ଅନୁଭବ ଏବଂ ବର୍ତ୍ତମାନ ପୀଢ଼ୀ ମଧ୍ୟରେ ସମନ୍ୱୟ ରଖି ସଂଗଠନକୁ ଶକ୍ତିଶାଳୀ କରିବା ଦିଗରେ ସମସ୍ତେ ଚେଷ୍ଟା କରିବା ଉଚିତ୍ । ଦଳ ଏବେ ଅତ୍ୟନ୍ତ କଠିନ ସମୟରେ ଗତି କରୁଛି । ଆମ ସମସ୍ତଙ୍କୁ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି ବୋଲି ସଞ୍ଜୟ କହିଛନ୍ତି ।
ତେବେ ଅଶୋକଙ୍କ ଇସାରା ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ନୂଆ ଚେହେରାଙ୍କୁ ଆଗକୁ ଆଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ‘ଫ୍ରି-ହ୍ୟାଣ୍ଡ’ ଦେବା ଉଦ୍ଦିଷ୍ଟ ଥିଲାଥିବାବେଳେ ସଞ୍ଜୟ ଏହାକୁ ବିରୋଧ କରିଛନ୍ତି । ଅର୍ଥାତ୍ ପାଣ୍ଡିଆନ-ବବିଙ୍କ ମାମଲାତି ପୁଣିଥରେ ଦଳ ଭିତରେ ବଜାୟ ରହୁ ବୋଲି ପରୋକ୍ଷରେ ସଞ୍ଜୟ ସନ୍ଦେଶ ଦେବାକୁ ଚାହିଁଛନ୍ତି । ଦୁଇଦୁଇଥର ନିର୍ବାଚନରେ ପରାଜିତ ସଞ୍ଜୟ ନିଜର ରାଜନୀତିକ ଅସ୍ତିତ୍ୱ ପାଇଁ ବବି-ପାଣ୍ଡିଆନଙ୍କ ତୁଷ୍ଟୀକରଣରେ ଲାଗିପଡ଼ିଛନ୍ତି । ଯଦିଓ ୨୦୧୯ ନିର୍ବାଚନ ହାରିବା ପରଠୁ ସଞ୍ଜୟଙ୍କୁ ପାଣ୍ଡିଆନ-ବବିଙ୍କ କୋଟେରୀ ଗ୍ରୁପ୍ ଦଳରେ ସମ୍ପୂର୍ଣ୍ଣ କୋଣଠେସା କରିଦେଇଥିଲା । ସଞ୍ଜୟ ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ଅଲୋଡ଼ା ମଧ୍ୟ ହୋଇପଡ଼ିଥିଲେ । ଯେଉଁଥିପାଇଁ ୨୦୨୨ ନଭେମ୍ବର ମାସରେ ସଞ୍ଜୟ ପରୋକ୍ଷରେ ପାଣ୍ଡିଆନ ଓ ବବିଙ୍କୁ ଟାର୍ଗେଟ୍ କରି “କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜସମ୍ପଦ ଓ ରତ୍ନଭଣ୍ଡାର ଲୁଣ୍ଠନ କରି ପଳାଇବା ଚକ୍କରରେ ରହିଛନ୍ତି । ସେମାନଙ୍କୁ ଆମର କିଛି ‘ଶିଖିମନେଇ’ ମଧ୍ୟ ସହଯୋଗ କରୁଥିବା କହି ବିଜେଡି ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଆଉ ସେତେବେଳେ ସ୍ଥିତି ଏଭଳି ହୋଇଥିଲା ଯେ, ସଞ୍ଜୟଙ୍କ ସହ ବ୍ୟକ୍ତିଗତ ସମ୍ପର୍କରେ ଥିବା ଦଳୀୟ ନେତାଙ୍କୁ ବି ଏହି ପ୍ରଭାବଶାଳୀ ଗୋଷ୍ଠୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ମାତ୍ର ଏବେ ସଞ୍ଜୟ ସମ୍ପୂର୍ଣ୍ଣ ୟୁ-ଟର୍ଣ୍ଣ ନେଇ ବବିଙ୍କ ରାଜନୀତିକ ପତିଆରା ଓ ପାଣ୍ଡିଆନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି ଏବଂ ବବି ମଧ୍ୟ ନିଜ ‘କୌଶଳ’ ଉପଯୋଗ କରି ସଞ୍ଜୟଙ୍କୁ କରାୟତ କରିପାରିଥିବା ଚର୍ଚ୍ଚା ହେଉଛି ।