ଓଡ଼ିଶାରେ ପହଞ୍ଚିଲେ ଅଶ୍ୱିନୀ ବୈଷ୍ଣବ, କହିଲେ - ମୋଦିଙ୍କ ପ୍ରତି ମୁଁ କୃତଜ୍ଞ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ସମର୍ଥନ ଜଣାଇଛି ବିଜେଡି।

ଅଶ୍ୱିନୀ ବୈଷ୍ଣବ ।

  • Published: Wednesday, 14 February 2024
  • , Updated: 14 February 2024, 02:01 PM IST

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ସମର୍ଥନ ଜଣାଇଛି ବିଜେଡି। ଫଳରେ ଏପର ବି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବାକୁ ରାସ୍ତା ପରିଷ୍କାର ହୋଇଛି।

ଏହି ରାଜନୈତିକ ହଟଚମଟ ମଧ୍ୟରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇବାକୁ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ଜନତା ପାର୍ଟିର ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଦଳର ସବୁ ନିର୍ଣ୍ଣୟ ପାର୍ଟି ନେଇଥାଏ । ପ୍ରଧାନମନ୍ତ୍ରୀ ମୋତେ ଆଉ ଥରେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।

୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେଡି।ଆସନ୍ତା କାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। 

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।

୨୦୨୧ ମସିହା ଜୁଲାଇ ମାସରେ ମୋଦି ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ତଥା ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ଦେଶର ରେଳ କ୍ଷେତ୍ରରେ ଉନ୍ନତିକରଣ ପାଇଁ ଚେଷ୍ଟା କରି ଆସୁଛନ୍ତି ଅଶ୍ୱିନୀ।

ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାକୁ ସବୁଠାରୁ ଅଧିକ ରେଳ ଅନୁଦାନ ମିଳିଛି। ୨୦୨୩-୨୪ ବଜେଟରେ ପ୍ରଥମ ଥର ଲାଗି ଓଡ଼ିଶାର ଅନୁଦାନ ପରିମାଣ ୧୦ ହଜାର କୋଟି ଟପିଥିଲା। ରାଜ୍ୟର ୫୮ଟି ଷ୍ଟେସନର ଆଧୁନିକୀକରଣ କାମ ଚାଲିଛି। ପୁରୀ, ଭୁବନେଶ୍ୱର ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ଲାଗି ଅଶ୍ୱିନୀଙ୍କ ସମୟରେ କାମ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୫ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ବିଧାନସଭାରେ ବିଜେପିର ମାତ୍ର ୨୨ଜଣ ବିଧାୟକ ଥିବାବେଳେ ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ସର୍ବନିମ୍ନ ୩୭ଜଣ ବିଧାୟକଙ୍କ ସମର୍ଥନ ଜରୁରୀ।

Related story