ଆକ୍ସନମୋଡରେ ମୋହନ ମାଝୀ ସରକାର । ଖବର ପ୍ରକାଶନର ୨୪ଘଣ୍ଟା ନପୁରୁଣୁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ଏହାସହିତ ସରକାରଙ୍କ କଡ଼ା ଆଭିମୁଖ୍ୟ ଦେଖି ଲୋକସେବା ଭବନର ସୁରକ୍ଷା ଅଫିସର ଡେପୁଟି କମାଣ୍ଡାଣ୍ଟ ସୁଜିତ୍ କୁମାର ଦଳେଇ ଅଚାନକ ଛୁଟିରେ ପଳାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ‘ଓଡ଼ିଶା ରିପୋର୍ଟର’ରେ ଗୁରୁବାର ରାତିରେ ପ୍ରକାଶିତ “ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ” ଶୀର୍ଷକ ଖବରକୁ ନେଇ ମୋହନ ମାଝୀ ସରକାର ଆକ୍ସନମୋଡକୁ ଆସିଛନ୍ତି । ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଓ ପାଣ୍ଡିଆନଙ୍କ ସୁରକ୍ଷାରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ଅସିତ୍ ଓ ପାଣ୍ଡିଆନଙ୍କଠୁ ବାକି ଥିବା ଜଣେ ଲେଖାଏଁ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓଡ଼ିଶ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତ୍ଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଯବାନ ମୁତୟନ ହୋଇଥିଲେ । କିନ୍ତୁ ସରକାରୀ ପଦପଦବୀରେ ନଥାଇ ମଧ୍ୟ ଅସିତଙ୍କୁ କାହିଁକି ଏଭଳି ସୁରକ୍ଷା ଦିଆଯାଉଛି ତାକୁ ନେଇ ‘ଓଡ଼ିଶା ରିପୋର୍ଟର’ ଗତକାଲି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ଖବର ପ୍ରକାଶନ ପରେ ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ଯବାନ ଦୀପ ପ୍ରଧାନ(ସିପାହୀ-୫୪୦) ଓ ଜେ.ନାୟକ(ସିପାହୀ-୫୪୫)ଙ୍କୁ ଆଜି ଦିନ ୧୧ଟା ବେଳେ ପ୍ରତ୍ୟାହାର କରି ଅଣାଯାଇଛି । ଅସିତଙ୍କ ପିଏସଓ ଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଚନ୍ଦନ କୁମାର ପୁହାଣଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ତ୍ରିପାଠୀ ଏବେ କୌଣସି ସରକାରୀ ପଦପଦବୀରେ ନଥିଲେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି ।
ସେହିପରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଅନୀଲ କୁମାର ମହାନ୍ତିଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରି ଅଣାଯାଇଛି । ଶ୍ରୀ ମହାନ୍ତିଙ୍କୁ ଆଜି ପୁଲିସ କମିଶନରେଟଙ୍କ କାର୍ଯ୍ୟାଳୟରେ ଡ୍ୟୁଟି ଆବଂଟନ କରାଯାଇଥିଲା । ତେବେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଯବାନ ଅଶୋକ ପ୍ରଧାନଙ୍କୁ ମଧ୍ୟ ପ୍ରତ୍ୟାହାର କରି ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ବିଜେଡିର ନିର୍ବାଚନୀ ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ସର୍ବସାଧାରଣରେ ଦୃଶ୍ୟମାନ ହେଉନାହାନ୍ତି । ତଥାପି ରାଜ୍ୟ ସରକାର ତାଙ୍କ ସୁରକ୍ଷାରେ ୨ଜଣ ପିଏସଓଙ୍କୁ ମୁତୟନ କରିଥିଲେ । ଏବେ ଖବର ପ୍ରକାଶ ପାଇବା ପରେ ଏହି ସୁରକ୍ଷାକର୍ମୀମାନଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ସେହିପରି ଅସିତଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରି ଚର୍ଚ୍ଚାରେ ଥିବା ଲୋକସେବା ଭବନର ସୁରକ୍ଷା ଅଫିସର ସୁଜିତ୍ କୁମାର ଦଳେଇ ଅଚାନକ ଛୁଟିରେ ପଳାଇଥିବା ସୂଚନା ମିଳିଛି । ଗତକାଲିର ଖବର ପ୍ରକାଶକୁ ନେଇ ଗୃହ ବିଭାଗରେ କମ୍ପନ ସୃଷ୍ଟି ହୋଇଛି । ତେବେ ଲୋକସେବା ଭବନ ଭଳି ସମ୍ବେଦନଶୀଳ ସ୍ଥାନରେ ଡେପୁଟି କମାଣ୍ଡାଣ୍ଟ ସୁଜିତ୍ କୁମାର ଦଳେଇ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶେଖର ପ୍ରସାଦ ନାୟକ କିପରି ୧୦-୧୨ବର୍ଷ ଧରି କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି ସରକାର ଯିବାପରେ ମଧ୍ୟ ଏହି ଅଫିସରମାନଙ୍କର ଦାୟିତ୍ୱରେ କିଭଳି ଲୋକସେବା ଭବନ ରହିଛି ତାହା ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।