ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକସେବା ଭବନର ସୁରକ୍ଷା ଅଧିକାରୀ  ସୁଜିତ୍ କୁମାର ଦଳେଇ ଓ ଶେଖର ପ୍ରସାଦ ନାୟକ(ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଅସିତ ତ୍ରିପାଠୀ

  • Published: Thursday, 31 October 2024
  • , Updated: 31 October 2024, 10:32 PM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠୁ ଏବେ ଅଧିକ ସୁରକ୍ଷା ପାଉଛନ୍ତି ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ । ବିଶ୍ୱାସ ନହେଲେ ବି କଥାଟି ସତ । ଅସିତଙ୍କୁ ୩ଜଣ ପିଏସଓ (ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) ସୁରକ୍ଷା ଦେଉଥିବାବେଳେ ନବୀନ ପଟ୍ଟନାୟକଙ୍କ ଖାସ୍ ଭିକେ ପାଣ୍ଡିଆନଙ୍କ ଦାୟିତ୍ୱରେ ମଧ୍ୟ ୨ଜଣ ପିଏସଓ ରହିଛନ୍ତି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ପୁଲିସ ଡିଜିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜ୍ୟସ୍ତରୀୟ ସୁରକ୍ଷା କମିଟି କିଭଳି ଓ କେଉଁ ଆଧାରରେ ଅସିତ୍ ଓ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିଛନ୍ତି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମଓଡ଼ିଶ ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କୁ ଏବେ ରାଜ୍ୟ ସରକାର ୩ଜଣ ପିଏସଓ ଯୋଗାଇ ଦେଇଛନ୍ତି । ଅସିତଙ୍କ ପାଖେପାଖେ କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଚନ୍ଦନ କୁମାର ପୁହାଣ ଛାଇ ଭଳି ରହୁଥିବାବେଳେ ଅନ୍ୟ ଦୁଇଜଣ ଯବାନ କମିଶନରେଟ ପୁଲିସର ଦୀପ ପ୍ରଧାନ(ସିପାହୀ-୫୪୦) ଓ ଜେ.ନାୟକ(ସିପାହୀ-୫୪୫)ଙ୍କୁ ଅସିତଙ୍କ ସରକାରୀ କ୍ୱାଟର୍ସରେ ମୁତୟନ କରାଯାଇଛି । ଯଦିଓ ଅସିତ୍ ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି ତଥାପି ତାଙ୍କୁ ରାଜ୍ୟ ସରକାର କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏତେ ସୁରକ୍ଷା ଯୋଗାଉ ଦେଉଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

ଅସିତଙ୍କ ଜୀବନ ପ୍ରତି ବିପଦ ରହିଛି ନା ରାଜ୍ୟ ବିଜେପି ସରକାର  ଏସବୁ ପ୍ରତି ଅବଗତ ନାହାନ୍ତି ତାହା ମଧ୍ୟ ସନ୍ଦେହଘେରରେ । ସରକାରୀ ପଦ ଛାଡ଼ିବାର ୩ମାସ ପରେ ମଧ୍ୟ ସରକାରୀ କ୍ୱାର୍ଟସ ଛାଡ଼ି ନଥିବା ଅସିତଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଲୋକସେବା ଭବନ(ସଚିବାଳୟ)ର ସୁରକ୍ଷା ଅଧିକାରୀ ସୁଜିତ୍ କୁମାର ଦଳେଇ( ଡେପୁଟି କମାଣ୍ଡାଣ୍ଟ) କାହିଁକି ଓ କାହା ନିର୍ଦ୍ଦେଶରେ ପ୍ରତ୍ୟେକଦିନ ନିଜର ଦୁଇଜଣ ଯବାନଙ୍କୁ ଏହି ସରକାରୀ କ୍ୱାର୍ଟର୍ସର ସୁରକ୍ଷାରେ ନିୟୋଜିତ କରୁଛନ୍ତି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକସେବା ଭବନର ସୁରକ୍ଷା ଅଧିକାରୀ  ସୁଜିତ୍ କୁମାର ଦଳେଇ ଓ ଶେଖର ପ୍ରସାଦ ନାୟକ(ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଯଦିଓ ଏହି ଦୁଇ ଅଫିସର ଦୀର୍ଘ ୧୦-୧୨ବର୍ଷ ଧରି ଲୋକସେବା ଭବନର ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ତଥାପି ବିଜେଡି ସରକାର ଯିବା ପରେ ମଧ୍ୟ ଏହି ଦୁଇ ସୁରକ୍ଷା ଅଧିକାରୀ ନିଜର କୁର୍ସି ବଂଚାଇ ରଖିବାରେ ସକ୍ଷମ ହୋଇଛନ୍ତି ।

ସେହିପରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଏବେ ରାଜ୍ୟ ସରକାରଙ୍କ କୌଣସି ପଦପଦବୀରେ ନାହାନ୍ତି ଓ ସେ ନିଜେ ରାଜନୀତିରୁ ସନ୍ୟାସ ଘୋଷଣା କରିସାରିଛନ୍ତି । ତଥାପି ରାଜ୍ୟ ସରକାର ତାଙ୍କ ସୁରକ୍ଷା ଦାୟିତ୍ୱରେ ୨ଜଣ ସୁରକ୍ଷା ଅଧିକାରୀ ମୁତୟନ କରିଛନ୍ତି । ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନାହିଁ । କିନ୍ତୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଆଜି ମଧ୍ୟ ୨ଜଣ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ବୋଲି ସରକାରୀ ରେକର୍ଡରୁ ଜଣାପଡ଼ିଛି । ପାଣ୍ଡିଆନଙ୍କ ସହ ପୂର୍ବରୁ ଛାଇଭଳି ରହୁଥିବା ଅଶୋକ ପ୍ରଧାନ ଯିଏକି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଯବାନ ଓ ଅନ୍ୟଜଣେ କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଅନୀଲ କୁମାର ମହାନ୍ତି । ଏହି ଦୁଇଜଣ ଯବାନ ପୂର୍ବଭଳି ପାଣ୍ଡିଆନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଏପଟେ ଗୃହ ବିଭାଗ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଭିଭିଆଇପିମାନଙ୍କ ସୁରକ୍ଷା ସ୍ଥିତିର ସମୀକ୍ଷାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ‘ଜେଡ୍ ବର୍ଗ’ର ସୁରକ୍ଷାକୁ ହ୍ରାସ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏହି ସୁରକ୍ଷା କମିଟିର ସୁପାରିଶ ଆଧାରରେ ନବୀନଙ୍କୁ ଏବେ ‘ୱାଇ ବର୍ଗ’ର ସୁରକ୍ଷା ଯୋଗାଇ ଦିଆଯାଉଛି । ‘ୱାଇ ବର୍ଗ’ର ସୁରକ୍ଷା ପାଉଥିବା ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ୨ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ୧୧ଜଣ ଯବାନ ମୁତୟନ ହୋଇଥାନ୍ତି । ଏହି ନିଷ୍ପତ୍ତି ଆଧାରରେ ନବୀନଙ୍କ ସୁରକ୍ଷାରେ ଏବେ ସବୁସମୟରେ ୨ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ (ହାବିଲଦାର ପାହ୍ୟାର)ମୁତୟନ ରହୁଛନ୍ତି । ଆଉ ସେ ଯଦି ଭୁବନେଶ୍ୱର ଭିତରେ ଅବା ବାହାରକୁ ଗଲେ ତାଙ୍କ ସହ ଅନ୍ୟ ୧୧ଜଣ ଯବାନ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ଭିଭିଆଇପି ଭାବେ ନବୀନ ପଟ୍ଟନାୟକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ‘ୱାଇ ବର୍ଗ’ର ସୁରକ୍ଷା ଯୋଗାଇ ଦିଆଯାଉଛି । ବିରୋଧୀ ଦଳ ନେତା ଅବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ସୁରକ୍ଷାର ଏହି ବର୍ଗୀକରଣ ଅବା ହ୍ରାସ କରାଯାଇ ନାହିଁ ବୋଲି ଗୃହ ବିଭାଗର ସମ୍ପୃକ୍ତ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ନବୀନ ଯେକୌଣସି କାର୍ଯ୍ୟକ୍ରମକୁ ଗଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ସ୍ଥାନୀୟ ପୁଲିସ ମଧ୍ୟ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି । ଯେହେତୁ ନବୀନ ଏବେ ସବୁସମୟରେ ନବୀନ ନିବାସ ଭିତରେ ରହୁଥିବାରୁ ସରକାର ତାଙ୍କୁ ଦେଇଥିବା ୨ଜଣ ପିଏସଓ ହିଁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଅସିତ୍ ଓ ପାଣ୍ଡିଆନ କୌଣସି ଦାୟିତ୍ୱରେ ନଥାଇ ମଧ୍ୟ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରି କାହିଁକି ଏହି ଦୁଇ ରିଟାର୍ଡ ଅଫିସରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଏଭଳି ନିଷ୍ପତ୍ତି କ’ଣ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ନା ଅନ୍ୟକେହି ନିଜର ଏହି ପୁରୁଣା ବସଙ୍କୁ ଖୁସି କରିବାକୁ ଏହି ଥାଟବାଟ୍ (ସୁରକ୍ଷାକର୍ମୀ) ଯୋଗାଇ ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

Related story