/odisha-reporter/media/post_attachments/uploadimage/library/16_9/16_9_0/Assembly_1732500821.jpg)
Assembly
ଆସନ୍ତାକାଲିଠୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଆଜି ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ନିଜର ରଣନୀତି ଚୂଡ଼ାନ୍ତ କରିଥିବାବେଳେ ସମଗ୍ର ଅଧିବେଶନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହାସହିତ ବିଜେଡି ମଧ୍ୟ ଚାଷୀ ସମସ୍ୟା ଓ ସାର ଅଭାବ ସମେତ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରି ଗୃହକାର୍ଯ୍ୟ ଠପ୍ ନିମନ୍ତେ ଗୁପ୍ତ ରଣନୀତି ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଜେଡିର ଦୋମୁହାଁ ନୀତିର ଫାଇଦା ଉଠାଇ କଂଗ୍ରେସ ଚଳିତ ଅଧିବେଶନରେ ଗୃହ ଭିତରେ ଓ ବାହାରେ ଘେରିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ବିଜେଡିରେ ଦ୍ୱନ୍ଦ୍ୱ ଓ ବିଧାୟକ ଦଳରେ ଫାଟ
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ଦିଲ୍ଲୀ ଗସ୍ତରେ ଥିବା ନବୀନ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି କିମ୍ବା ମୌସୁମୀ ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଜେଡିରେ ବଢ଼ୁଥିବା ଅସନ୍ତୋଷ ଓ ଦଳୀୟ କନ୍ଦଳ ଭିତରେ ବିଧାୟକମାନଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବା ସମ୍ଭବପର ନଥିବାରୁ ଦଳ ମୌସୁମୀ ଅଧିବେଶନବେଳେ ଗୃହକୁ ଅଚଳ କରି ରଖି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟର ସନ୍ଦେଶ ଦେବାକୁ ଚାହୁଁଛି । ଯଦିଓ ନବୀନଙ୍କ ଅନୁପସ୍ଥିତିକୁ ଲୁଚାଇବା ପାଇଁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଚକ୍କରରେ ବିଜେଡି ନଥିବା ଦଳୀୟ ସୂଚନା ମିିଳଛି । ଶଙ୍ଖଭବନରେ ବିଧାୟକ ଦଳର ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ ରାଜ୍ୟରେ ଚାଷୀ, ମହିଳା, ଅନୁସୂଚିତ ଜାତି-ଜନଜାତି, ରଥଯାତ୍ରା ସମୟରେ ଅପାରଗତାକୁ ବିଧାନସଭାରେ ବିଜେଡି ଉଠାଇବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବୈଠକରେ ସାମିଲ ହୋଇଥିଲେ । ଏହିସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାୟକମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିଜେଡି ନିଜର କାର୍ଡ ଖୋଲିନାହିଁ ।
ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବ କଂଗ୍ରେସ
ମୌସୁମୀ ଅଧିବେଶନରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନିଷ୍ପତ୍ତି ନେଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଦଳର ବିଧାୟକମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଶ୍ରୀ କାଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନ ନାଁରେ ବିସ୍ଥାପନ ବଢୁଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗକୁ କଂଗ୍ରେସ ଗୃହରେ ମୁଖ୍ୟ ପ୍ରସଙ୍ଗ କରିବ । ଏହାସହିତ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିବ ।
ସେହିପରି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମହିଳା ହିଂସା, ନିର୍ଯାତନା ଓ ସୁରକ୍ଷା ପ୍ରସଙ୍ଗ ଏବେ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମନ୍ତ୍ରୀ ଅଛନ୍ତି । ଆମେ ବାରମ୍ବାର ମହିଳା ହିଂସା ଓ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି । ମୁଖ୍ୟମନ୍ତ୍ରୀ ଓ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ସାର ପାଇଁ ଉତ୍କଟ ଅଭାବ ଦେଖାଦେଇଛି । ଦୁଇଗୁଣ ଦାମରେ ଚାଷୀ ଏହାକୁ କିଣୁଛନ୍ତି । ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ିବ । ସାର କଳାବଜାରୀକୁ ପ୍ରୋତ୍ସାହନ ଦେଇ ଉତ୍ତମ ବଂଟନ କରିପାରୁନାହାନ୍ତି । ଲକ୍ଷଲକ୍ଷ ଚାଷୀ ବୀମାଟଙ୍କା ପାଇପାରିନାହାନ୍ତି । ଚାଷୀ କ୍ଷତିର ଶୀକାର ହୋଇ ଅନିଶ୍ଚିତତା ଭିତରେ ଗତି କରୁଛି । ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଓ ଅବହେଳା ସହ ଛାତ୍ରସଂସଦ ନିର୍ବାଚନ ନକରିବା ଉପରେ ମଧ୍ୟ ବିଧାୟକ ଦଳରେ ଆଲୋଚନା ହୋଇଛି । ସ୍ୱଚ୍ଛ ପାନୀୟ ଜଳର ଅଭାବ ଯୋଗୁ ଯାଜପୁର ସମେତ ୧୧ଟି ଜିଲ୍ଲାରେ ହଇଜା ସଂକ୍ରମିତ ହୋଇଥିଲା । ଏ ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସମସ୍ତ ପ୍ରସଙ୍ଗକୁ ବିଧାୟକମାନେ ଗୃହରେ ଉଠାଇବେ ବୋଲି ଶ୍ରୀ ଦାସ କହିଛନ୍ତି ।
ପ୍ରଥମଦିନରେ ଆସିବ ଶୋକ ପ୍ରସ୍ତାବ
ପ୍ରଥମଦିନରେ ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ସମେତ ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଧରାଜ ଓ ଅନ୍ୟ ୫ଜଣ ପୂର୍ବତନ ସଦସ୍ୟଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସି ତା’ଉପରେ ଆଲୋଚନା ହେବ ଏବଂ ଗୃହ ଦିନକ ପାଇଁ ମୁଲତବୀ ରହିବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ବୈଠକ ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୧୯ରୁ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଅଧିବେଶନରେ ୫ଟି ସରକାରୀ କାର୍ଯ୍ୟଦିବସ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ସାମିଲ ରହିଛି । ଗୃହ ସୁପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ାଯାଇଛି । ସମସ୍ତେ ସହଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
