Advertisment

ଧର୍ମକୁ ଆଖିଠାର: ୨୫ବର୍ଷ ବିତିଲା, ହିଞ୍ଜିଳିବାସୀଙ୍କ ହୋଇପାରିଲେନି ନବୀନ, ଅଢ଼େଇ କୋଟିର ଗାଡ଼ି ଚଢ଼ୁଥିବା ବବିଙ୍କ ନାହିଁ ନିଜସ୍ୱ ଗାଡ଼ି

ନିଜର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନବୀନ ଦୀର୍ଘ ୨୫ବର୍ଷ ପରେ ବି ହିଞ୍ଜିଳିବାସୀଙ୍କର ହୋଇପାରିନାହାନ୍ତି

Naveen Patnaik

Naveen Patnaik

Advertisment

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ନମ୍ବର-୩ ଭାବେ ପରିଚିତ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବିଜେଡିର ନମ୍ବର-୧ ଓ ନମ୍ବର-୩ ନେତା ଦାଖଲ କରିଥିବା ସତ୍ୟପାଠରୁ କିଛି ରୋଚକ ତଥ୍ୟ ପଦାକୁ ଆସିଛି । ନିଜର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନବୀନ ଦୀର୍ଘ ୨୫ବର୍ଷ ପରେ ବି ହିଞ୍ଜିଳିବାସୀଙ୍କର ହୋଇପାରିନାହାନ୍ତି । ଆଉ ବବିଙ୍କର ମୋଟ ସମ୍ପତ୍ତି ଯେତିକି ନୁହେଁ, ସେ ତା’ଠୁ ବି ଅଧିକ ଟଙ୍କାର ଗାଡ଼ି ଚଢ଼ୁଛନ୍ତି, ଯଦିଓ ତାଙ୍କର ନିଜସ୍ୱ ଗାଡ଼ି ନାହିଁ ବୋଲି ସେ ଦାବି କରୁଛନ୍ତି।

Advertisment

ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନବୀନ ନିଜର ସତ୍ୟପାଠରେ ୭୧.୦୭କୋଟି ଟଙ୍କାର ସମ୍ପତ୍ତି ମାଲିକ ବୋଲି ଦର୍ଶାଇଛନ୍ତି । ୨୦୧୯ ନିର୍ବାଚନବେଳେ ତାଙ୍କର ସମ୍ପତ୍ତିର ପରିମାଣ ୬୩.୮୭କୋଟି ଟଙ୍କା ଥିଲା । ନବୀନ ଗତ ୧୦ବର୍ଷ କୌଣସି ସରକାରୀ କ୍ୱାର୍ଟର୍ସ ନେଇନଥିବା କହିଛନ୍ତି । ତେବେ ନବୀନ ଦାଖଲ କରିଥିବା ଭୋଟର ତାଲିକାରେ ସେ ଏବେବି ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ବାସିନ୍ଦା ବୋଲି ଉଲ୍ଲେଖ କରିଛନ୍ତି । ଗତ ୨୦୦୦ ମସିହାରୁ ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଥିବା ନବୀନ ଗତ ୨୫ବର୍ଷ ମଧ୍ୟରେ ବି ହିଞ୍ଜିଳିର ବାସିନ୍ଦା ଅବା ଭୋଟର ହେବାକୁ ଆଗ୍ରହ ଦେଖାଇନାହାନ୍ତି । ଏପରିକି ନବୀନ ଗତ ଦୁଇ ଦଶନ୍ଧି ମଧ୍ୟରେ କେବେବି ହିଞ୍ଜିଳିରେ ଦୁଇଦିନ ମଧ୍ୟ ରାତି ବିତାଇ ନଥିବା ଜଣାପଡ଼ିଛି । କେବଳ ଭୋଟ୍ ଆସିଲେ ନବୀନଙ୍କର ହିଞ୍ଜିଳି ମାଟି କଥା ମନେପଡ଼େ ଓ ବାକି ସମୟରେ ନିର୍ବାଚନମଣ୍ଡଳୀ କାର୍ଯ୍ୟ ତାଙ୍କର ପ୍ରତିନିଧି(ସରକାରୀ ଅଫିସର) ବୁଝାସୁଝା କରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ସମ୍ବଲପୁର ଲୋକସଭା ଆସନରୁ ବେଶ୍ ଆଡ଼ମ୍ବରରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବବିଙ୍କର ମୋଟ ସମ୍ପତ୍ତି ୨.୨୯କୋଟି ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ବବିଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ହୋଇଥିବାବେଳେ ୨୦୧୯ ମସିହାରେ ତାଙ୍କର ସମ୍ପତ୍ତି ପରିମାଣ ୧କୋଟି ଟଙ୍କା ଥିଲା । ଯାହାକି ଗତ ୫ବର୍ଷ ମଧ୍ୟରେ ୧୨୯ ପ୍ରତିଶତ ବୃଦ୍ଧି ପାଇ ୨.୨୯କୋଟି ଟଙ୍କା ହୋଇଛି । ବବିଙ୍କର ନିଜସ୍ୱ ଗାଡ଼ି ନଥିବାବେଳେ ତାଙ୍କ ପାଖରେ ସୁନା ପରିମାଣ ବୃଦ୍ଧି ପାଇଛି । ୨୦୧୯ ସାଧାରଣ ନିର୍ବାଚନବେଳେ ତାଙ୍କ ପାଖରେ ୫୦ଗ୍ରାମ ସୁନା ଥିବାବେଳେ ଏବେ ତାହା ୯୩ଗ୍ରାମକୁ ବୃଦ୍ଧି ପାଇଛି ଓ ଯାହାର ମୂଲ୍ୟ ୬.୩୪ଲକ୍ଷ ଟଙ୍କା ବୋଲି ସେ ଦର୍ଶାଇଛନ୍ତି।

Advertisment

ତେବେ ୨.୨୯କୋଟି ଟଙ୍କାର ସମ୍ପତ୍ତିର ମାଲିକ ବବିଙ୍କର ଏକ ଖଣି କମ୍ପାନୀରେ ଥିବା ପ୍ରାୟ ୧୦ହଜାର ଶେୟାରର ମୂଲ୍ୟ ଗତ ୫ବର୍ଷ ମଧ୍ୟରେ ଟଙ୍କାଟିଏ ବି ବଢ଼ିନି ବୋଲି ସେ ଦର୍ଶାଇଛନ୍ତି । ୨୦୧୯ ନିର୍ବାଚନରେ ଏହି ଖଣି କମ୍ପାନୀର ଶେୟାର ପରିମାଣ ୧ଲକ୍ଷ ଟଙ୍କା ଥିବାବେଳେ ୨୦୨୪ରେ ବି ତାହା ସେହି ଏକ ଲକ୍ଷ ଟଙ୍କା ରହିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବବି ନିଜର ଗୋଟିଏ ବି ଗାଡ଼ି ନାହିଁ ବୋଲି ଦର୍ଶାଇଥିବାବେଳେ ସେ ଚଢ଼ୁଥିବା ଲ୍ୟାଣ୍ଡରୋଭର ଡିଫେଣ୍ଡର ଗାଡ଼ିର ଟପ୍ ମଡେଲ ଦାମ ଓଡ଼ିଶା ବଜାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା । ନିଜର ମୋଟ ସମ୍ପତ୍ତି ପରିମାଣଠୁ ଅଧିକ ଦାମର ଗାଡ଼ି ବବି କିଭଳି ଚଢ଼ୁଛନ୍ତି ତାହା ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଇ ନେତାଙ୍କର ଏହି ସତ୍ୟପାଠରୁ ମିଳିଥିବା ଏହି ତଥ୍ୟ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି ।
ଅନ୍ୟପକ୍ଷରେ ବିଜେଡିର ଏହି ଦୁଇ ନେତା ଆଜି ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସେହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଭୁଲି ନଥିବା ଦେଖିବାକୁ ମିଳିଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe