Advertisment

ସୁଜାତାଙ୍କ ସମ୍ଭାବ୍ୟ ଏଂଟ୍ରିକୁ ବଦ୍ରିଙ୍କ କଟାକ୍ଷ; କହିଲେ- ଶୀର୍ଷ ନେତୃତ୍ୱ ଆସ୍ଥା ହରାଉଛନ୍ତି, କର୍ମୀ ଦଳ ଛାଡ଼ୁଛନ୍ତି

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଦ୍ରି ଦଳର ଶୀର୍ଷ ନେତୃତ୍ୱ ଏବଂ ଅଭ୍ୟନ୍ତରୀଣ ସଙ୍କଟକୁ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ଦଳରେ ଯେଉଁମାନେ ଏବେ ଦାୟିତ୍ୱ ନେଉଛନ୍ତି, ସେମାନେ ସେହି କଥାକୁ ବୁଝିବା ଦରକାର । ଯେଉଁ ନିଷ୍ପତ୍ତିି ନେଉଛନ୍ତି, ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହା ସମୀକ୍ଷା କରିବା ଆବଶ୍ୟକ । ସବୁ କଥାର ପରୀକ୍ଷା ମଧ୍ୟ ତଳସ୍ତରରେ ହେଉଛି । ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ ଏବେ କର୍ମୀମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି । ବିଶ୍ୱାସ ହରାଉଥିବାରୁ ଦଳ ଛାଡ଼ି ଚାଲିଯାଉଛନ୍ତି ।

author-image
Ordigital Desk
Badrinarayan Patra

Badrinarayan Patra

କିଛିଦିନର ନିରବତା ମଧ୍ୟରେ ପୁଣିଥରେ ଦଳର ବରିଷ୍ଠ ନେତା ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ଦଳର ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁନଥିବାରୁ କର୍ମୀମାନେ ଦଳ ଛାଡ଼ୁଛନ୍ତି ଓ ଯେଉଁମାନେ ଏବେ ଦଳର ଦାୟିତ୍ୱ ନେଇଛନ୍ତି ସେମାନେ ଏହାକୁ ବୁଝିବା ଦରକାର ବୋଲି ବଦ୍ରି କହିବା ସହ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଜେଡିରେ ସମ୍ଭାବ୍ୟ ଏଂଟ୍ରିକୁ ମଧ୍ୟ କଟାକ୍ଷ କରିବାକୁ ପଛାଇ ନାହାନ୍ତି ।

Advertisment

ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ତଳସ୍ତରରେ ଗ୍ରହଣୀୟ ହେବା ଦରକାର

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ମଧ୍ୟରେ ବିଧାୟକ ଶ୍ରୀ ପାତ୍ର ଇସାରା ଇସାରାରେ ଅନେକ କିଛି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଦ୍ରି ଦଳର ଶୀର୍ଷ ନେତୃତ୍ୱ ଏବଂ ଅଭ୍ୟନ୍ତରୀଣ ସଙ୍କଟକୁ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ଦଳରେ ଯେଉଁମାନେ ଏବେ ଦାୟିତ୍ୱ ନେଉଛନ୍ତି, ସେମାନେ ସେହି କଥାକୁ ବୁଝିବା ଦରକାର । ଯେଉଁ ନିଷ୍ପତ୍ତିି ନେଉଛନ୍ତି, ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହା ସମୀକ୍ଷା କରିବା ଆବଶ୍ୟକ । ସବୁ କଥାର ପରୀକ୍ଷା ମଧ୍ୟ ତଳସ୍ତରରେ ହେଉଛି । ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ ଏବେ କର୍ମୀମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି । ବିଶ୍ୱାସ ହରାଉଥିବାରୁ ଦଳ ଛାଡ଼ି ଚାଲିଯାଉଛନ୍ତି । ଏହା ଦଳର ନେତୃତ୍ୱ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଉପରେ ଏକ ଗୁରୁତର ପ୍ରଶ୍ନ ଉଠାଇଛି । ତଳସ୍ତରର କର୍ମୀଙ୍କ ଇଚ୍ଛା ଅନୁସାରେ ନିଷ୍ପତ୍ତି ପରିବର୍ତ୍ତନ କଲେ ହିଁ ଦଳ ଆଗେଇ ପାରିବ । ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କେଉଁ ଦଳ ଆଗେଇ ପାରିନାହିଁ । ବଦ୍ରିଙ୍କ ଏହି ବୟାନ ୨୦୨୪ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ତଳସ୍ତରରେ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଉଜାଗର କରାଇଛି ।

୨୦୨୪ ବିପର୍ଯ୍ୟୟ: “ଲୋକଙ୍କ ଇଚ୍ଛା ଅଣଦେଖା କଲୁ”

ବଦ୍ରି କହିଛନ୍ତି ଯେ, ତଳସ୍ତରରେ ଲୋକଙ୍କ ମନୋଭାବକୁ ଅଣଦେଖା କରାଯିବା ଓ ଦଳର ମଙ୍ଗୁଆଳ ସୀମା ଲଙ୍ଘିବାରୁ ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ହେଲା । କିଛି ଲୋକଙ୍କ ମତ ଅନୁକୂଳ ହେଲାନି । ତଳସ୍ତରରେ ଗ୍ରହଣୀୟ ହେଲାନି । ଲୋକେ ଯେମିତି ଚାହୁଁଥିଲେ, ସେମିତି ହେଲାନି । ଯାହାଫଳରେ ଲୋକେ ସରକାରକୁ ଓଲଟେଇ ଦେଲେ ।” ଲୋକେ ହେଉଛନ୍ତି ନିର୍ଣ୍ଣାୟକ ବିଚାରପତି । ଭୋଟରମାନେ କ’ଣ କହୁଛନ୍ତି, ସେ କଥା ଦଳର ଲୋକମାନେ ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Advertisment

ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଏଂଟ୍ରି: ନୂଆ ବିବାଦର ସଙ୍କେତ

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କର ଦଳରେ ସମ୍ଭାବ୍ୟ ପ୍ରବେଶ ନେଇ ଦଳୀୟ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ବଦ୍ରି କଟାକ୍ଷ କରି କହିଛନ୍ତି ଯେ, ବିଜେଡି ଏକ ବଡ଼ ଦଳ, ସମୁଦ୍ର ସମାନ । ଅଧିକ ଲୋକଙ୍କୁ ଗ୍ରହଣ କରିବାକୁ କ’ଣ ଜାଗା ନାହିଁ? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା, ସେ ବିଷୟରେ ସ୍ପଷ୍ଟ ହେବା ଦରକାର । ଦଳରେ ଯେଉଁମାନେ ଏବେ ଦାୟିତ୍ୱ ନେଉଛନ୍ତି, ସେମାନେ ନିଜର ସୀମା ଟପୁଛନ୍ତି । ଯେଉଁଥିପାଇଁ  ଦଳ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି । ମୋର ଦାୟିତ୍ୱ ସେତିକି ବୁଝିଲେ ସବୁ ଠିକ୍ ହେବ । ଆଉ ଯଦି ସୀମା ଟପିବା, ତାହାଲେ ଦ୍ୱନ୍ଦ୍ୱ ବଢ଼ିବ । ଦଳ ବଢ଼ିଲେ ବିବାଦ ବଢ଼ିବନି କି? ବିବାଦ ବଢ଼ିପାରେ, କିନ୍ତୁ କଥା ହେଉଛି ଆମେ ସମସ୍ତେ ନିଜର ସୀମା ପ୍ରତି ସଚେତନ ରହିବା ଦରକାର ବୋଲି ବଦ୍ରି କହିବା ସହ ଏହା ଦଳରେ ସୁଜାତାଙ୍କ ପ୍ରବେଶ ଓ ସମ୍ଭାବ୍ୟ ନୂଆ ଦାୟିତ୍ୱକୁ ଇଙ୍ଗିତ କରୁଛି ।

ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌

ପାଣ୍ଡିଆନଙ୍କ ବୟାନ “ଆଇ ଆମ ଡାଉନ୍ ବଟ୍ ନଟ୍ ଆଉଟ୍ ଅଫ ଦ ପାର୍ଟି”କୁ ବଦ୍ରି କଟାକ୍ଷ କରି କହିଛନ୍ତି ଯେ, ତା’ର ଅର୍ଥ କଣ, ମୁଁ ଜାଣେନି । ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ ବୋଲି ବଦ୍ରି କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଦଳରେ ସମସ୍ତଙ୍କୁ ନେଇ ଚାଲିବାର ଆବଶ୍ୟକତା ରହିଛି । ତାହା ବୁଦ୍ଧିମାନର କାମ ହେବ । ଦଳର ନେତୃତ୍ୱକୁ ତଳସ୍ତରରେ ଥିବା ଲୋକଙ୍କ ମନୋଭାବ ବୁଝି ନିଷ୍ପତ୍ତିି ନେବାକୁ ପଡ଼ିବ । ସେହି ଅନୁସାରେ ନିଜକୁ ପରିବର୍ତ୍ତନ କଲେ ହିଁ ଦଳ ଆଗେଇ ପାରିବ ବୋଲି ବଦ୍ରି ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେଡିରେ ସୁଜାତାଙ୍କ ସମ୍ଭାବ୍ୟ ପ୍ରବେଶକୁ ନେଇ ଦଳ ଏବେ ଦୁଇଫାଳ ହେବାରେ ଲାଗିଛି । ନବୀନଙ୍କ ଅସୁସ୍ଥତା ଓ ସାଂଗଠନିକ କାର୍ଯ୍ୟ ପ୍ରତି ବିମୁଖତା ମଧ୍ୟରେ ସୁଜାତାଙ୍କ ଏଂଟ୍ରି ବିଜେଡିରେ କେଉଁ ଢଙ୍ଗରେ ହେଉଛି ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଦଳର ଆଭିମୁଖ୍ୟ ଉପରେ ମଧ୍ୟ ଦଳୀୟ ନେତାମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦିଓ ଗତ ୩ଦିନ ତଳେ ନବୀନ ନିବାସରେ ଦଳୀୟ ନେତାମାନଙ୍କ ପ୍ରଶ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଏକ ‘ସ୍ମଲ ମ୍ୟାଟର’ ବା ‘ଛୋଟ କଥା’ କହି ଏଡ଼ାଇ ଯାଇଥିବା ଜଣାପଡ଼ିଛି ।