/odisha-reporter/media/post_attachments/uploadimage/library/16_9/16_9_0/Minister_1733214412.jpg)
Minister
ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ସରଗରମ ହୋଇଛି ବିଧାନସଭା। ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାୟାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନକାଳରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାନୀୟଜଳ କଷ୍ଟ ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ। ମୁଁ ନିଜେ ଏହା ଗତ ନିର୍ବାଚନରେ ଅନୁଭବ କରିଛି। ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ। ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ। କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି କହିଛନ୍ତି ବଦ୍ରି।
ଅନ୍ୟପଟେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କିତ ମୂଳ ପ୍ରଶ୍ନର ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ। କହିଛନ୍ତି, ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାର ମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇପ ବିଛାଇ ପଳେଇଛନ୍ତି। ଇନଟେକ ୱେଲ ନିର୍ମାଣ ହୋଇନି। ସେଥିପାଇଁ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଏବେ ବି ୧୯୧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ୩ଟି ପର୍ଯ୍ୟାୟରେ ଏହାକୁ ସଂପୂର୍ଣ୍ଣ କରାଯିବ। ।ମାର୍ଚ୍ଚ ୨୦୨୫ରେ ୫୬ଟି, ଡିସେମ୍ବର ୨୦୨୫ରେ ୫୪ଟି ଏବଂ ବାକି ୮୧ଟି ପ୍ରକଳ୍ପ ଜୁନ ୨୦୨୬ରେ ସାରିବାକୁ ବିଭାଗ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମନ୍ତ୍ରୀ।
ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି, ସେମାନଙ୍କୁ ସରକାର ଧରିବାକୁ ପୁଲିସର ସହାୟତା ନିଅନ୍ତୁ। ତାଙ୍କର ଅବହେଳା ପାଇଁ ଲୋକେ କାହିଁକି କଷ୍ଟ ପାଇବେ? ସରକାର ସେମାନଙ୍କୁ ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ।
ତେବେ ମନ୍ତ୍ରୀ ରବି ନାଏକ କହିଛନ୍ତି, ଯେଉଁମାନେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇଥିଲେ, ସେମାନେ ଆମ ରାଜ୍ୟର ନୁହଁନ୍ତି। ସେମାନଙ୍କ ଦ୍ୱାରା ଓଡ଼ିଶାକୁ ଠକିବାକୁ ବଡ଼ ଯୋଜନା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
