ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା ମୋହନ ମାଝୀ। ଆଜି ସେ ବିଜେପି ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି। ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ତାଙ୍କ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଆଜି ମୋହନ ମାଝୀ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି।
ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହିକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ନବ ନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।
ବୈଜୟନ୍ତ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ “ଓଡ଼ିଶା ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ତଥା ନୂତନ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ ହୋଇଥିବା ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା କନନ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଓ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ” ସେ ହ୍ୟାଶଟ୍ୟାଗ #OdiaAsmitaRaSarkar ବ୍ୟବହାର କରିଛନ୍ତି।
ଓଡ଼ିଶା ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ତଥା ନୂତନ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ ହୋଇଥିବା ଶ୍ରୀଯୁକ୍ତ @mohanmajhi_BJP ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଶ୍ରୀଯୁକ୍ତ @KVSinghDeo1 ଏବଂ ଶ୍ରୀମତୀ @Pravatipridabjp ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ… pic.twitter.com/XK6973IxXG
— Baijayant Jay Panda (@PandaJay) June 11, 2024
ସେହିପରି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ପୁଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା କଥା ଉଲ୍ଲେଖ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ଶୁଭେଚ୍ଛା। ଆଜି ଜଣେ ଓଡ଼ିଆ ପୁଅ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ସ୍ୱାଗତଯୋଗ୍ୟ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଥିବା କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆପଣ ମାନଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଗଠନ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ।
ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଆଜିର ନିଷ୍ପତ୍ତି ପାଇଁ ମୁଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଜେପିର ଶୀର୍ଷ ନେତୃତ୍ୱ ଓ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି।”
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିବା କେନ୍ଦୁଝର ବିଧାୟକ @mohanmajhi_BJP ଙ୍କୁ ଶୁଭେଚ୍ଛା । ଆଜି ଜଣେ ଓଡ଼ିଆ ପୁଅ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ… pic.twitter.com/j50td0rpbY
— Dharmendra Pradhan (मोदी का परिवार) (@dpradhanbjp) June 11, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।