ଦୀର୍ଘ ୨୭ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା ଦେଇ ବିଜେପି ଦିଲ୍ଲୀରେ ଦୁଇତୃତୀୟାଂଶ ସିଟ୍ ଦଖଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ମୋଦି ଗ୍ୟାରେଣ୍ଟି, ଅମିତ୍ ଶାହାଙ୍କ ଗୋଟିଚାଳନା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱ ଦିଲ୍ଲୀ ନିର୍ବାଚନରେ ବେଶ୍ ସଫଳ ହୋଇଛି । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଲ୍ଲୀବାସୀ ମଧ୍ୟ ଜନାଦେଶ ଦେଇଛନ୍ତି । ତେବେ ଏସବୁ ମଧ୍ୟରେ ବିଜେପିର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ‘ଜୟ’ପଣ୍ଡାଙ୍କ ସୋସିଆଲ ଇଞ୍ଜିନିୟରିଂ ଓ ପଲିଟିକାଲ ମ୍ୟାନେଜମେଂଟ ଦିଲ୍ଲୀରେ ବିଜେପିକୁ ନିର୍ବାଚନ ରଣାଙ୍ଗନରେ ବିଜୟୀ ହେବାର ମାର୍ଗକୁ ପ୍ରଶସ୍ତ କରାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ରାଜନୀତିକ ବିଶ୍ଲେଷକଙ୍କ ମତରେ, କେନ୍ଦ୍ରାପଡ଼ାର ବିଜେପି ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ପଣ୍ଡା ଦିଲ୍ଲୀ ରାଜନୀତିର ସ୍ଥାନୀୟ ସମୀକରଣକୁ ନିଖୁଣ ଭାବେ ପରଖି ସୋସିଆଲ ଇଞ୍ଜିନିୟରିଂ ଓ ମ୍ୟାନେଜମେଂଟ ମାଧ୍ୟମରେ ଦଳ ପାଇଁ ସଫଳତାର ମୂଳଦୁଆ ୨୦୨୨ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରୁ ପକାଇଥିଲେ । ଯାହା ଏବେ ବିଶାଳ ଦ୍ରୁମ ହୋଇଛି । ବିଦେଶରୁ ଇଞ୍ଜିନିୟରିଂ ଓ ମ୍ୟାନେଜମେଂଟରେ ହାସଲ କରିଥିବା ଡିଗ୍ରୀ ଓ ନିଜର ଦୀର୍ଘ ଦୁଇଦଶନ୍ଧିରୁ ଅଧିକ ସମୟର ରାଜନୀତିକ ଅଭିଜ୍ଞତା ଏବଂ ବିଜେପି ନେତୃତ୍ୱଙ୍କ ଆସ୍ଥାକୁ ସଫଳ ରୂପାୟନ କରିପାରିଛନ୍ତି ଶ୍ରୀ ପଣ୍ଡା । ମୋଦି ଗ୍ୟାରେଣ୍ଟି, କେଜ୍ରିୱାଲ ସରକାରଙ୍କ କୌଣସି ଲୋକାଭିମୁଖୀ ଯୋଜନା ବନ୍ଦ ନହେବାର ପ୍ରତିଶ୍ରୁତି ସହ ଲୋକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ଶ୍ରୀ ପଣ୍ଡାଙ୍କ ରଣନୀତି ତୃଣମୂଳସ୍ତରରେ ବେଶ୍ ପ୍ରଭାବୀ ହୋଇଥିବା ଜଣାପଡ଼ିଛି ।
୨୦୨୨ରେ ଦିଲ୍ଲୀ ମହାନଗର ନିର୍ବାଚନ ପୂର୍ବରୁ ଦଳ ଶ୍ରୀ ପଣ୍ଡାଙ୍କୁ ଦିଲ୍ଲୀ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିଲା । ମହାନଗର ନିର୍ବାଚନରେ ଦଳର ଭୋଟ ହାରରେ ଆଖିଦୃଶିଆ ବୃଦ୍ଧିରେ ଶ୍ରୀ ପଣ୍ଡାଙ୍କ ଯୋଗଦାନକୁ ସାଂଗଠନିକସ୍ତରରେ ମଧ୍ୟ ପ୍ରଶଂସା କରାଯାଇଥିଲା । ଯେଉଁଥିପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନୀ ପ୍ରଭାରୀ ଭାବେ ତାଙ୍କୁ ଦଳ ଦାୟିତ୍ୱ ନ୍ୟସ୍ତ କରିଥିଲା ।
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ସୋସିଆଲ ଇଞ୍ଜିନିୟରିଂରେ ସନ୍ତୁଳନ ରଖିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ଶ୍ରୀ ପଣ୍ଡା ନିର୍ବାଚନୀ ପ୍ରଭାରୀ ଦାୟିତ୍ୱ ନେବା ପରେ ତାକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ । ଦଳର ପୂର୍ଣ୍ଣ ସହଯୋଗରେ ଶ୍ରୀ ପଣ୍ଡା ଦିଲ୍ଲୀରେ ଜାଟ୍, ରାଜପୁତ୍, ଓବିସି, ଦଳିତ ଓ ମୁସଲିମ୍ ଆଦି ମଧ୍ୟରେ ସୋସିଆଲ ଇଞ୍ଜିନିୟରିଂର ତାଳମେଳ ରଖିବା ନିମନ୍ତେ ଗୋଟିଚାଳନା କରିଥିଲେ। ଯାହା ସଫଳ ମଧ୍ୟ ହୋଇଛି । ଶ୍ରୀ ପଣ୍ଡାଙ୍କ ମ୍ୟାନେଜମେଂଟ ଓ ସ୍ଥାନୀୟ ନେତୃତ୍ୱଙ୍କ ସହଯୋଗରେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ୪ ଡଜନରୁ ଅଧିକ ନେତା ମଧ୍ୟ ବିଜେପିରେ ସାମିଲ ହୋଇଥିଲେ ।
ଦିଲ୍ଲୀରେ ଦୀର୍ଘବର୍ଷ ଧରି କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବିଜେପି ପୁଣିଥରେ ଶ୍ରୀ ପଣ୍ଡାଙ୍କ ଉପରେ ଭରସା କରି ତାଙ୍କୁ ୨୦୨୪ ଅକ୍ଟୋବର ୧୫ତାରିଖରେ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଥିଲା । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇବା ସହ ନିଜର ଅଭିଜ୍ଞତାକୁ ଆଧାର କରି ଦିଲ୍ଲୀରେ ସୋସିଆଲ ଇଞ୍ଜିନିୟରିଂ ଫର୍ମୂଲାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ସେ ଓ ତାଙ୍କ ଟିମ୍ ସକ୍ଷମ ହୋଇଥିଲେ । ଆମ ଆଦମୀ ପାର୍ଟି ଓ କଂଗ୍ରେସର ଭୋଟବ୍ୟାଙ୍କରେ ଛିଦ୍ର କରାଇବାରେ ଶ୍ରୀ ପଣ୍ଡାଙ୍କ ମ୍ୟାନେଜମେଂଟ ବି ବେଶ୍ ଫଳପ୍ରଦ ହୋଇଛି । କେଜ୍ରିୱାଲ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତିରେ ଅତିଷ୍ଠ ଦିଲ୍ଲୀବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିଲେ । ଆଉ ସମସ୍ତଙ୍କ ସହଯୋଗରେ ବିଜେପି ଦୀର୍ଘ ୨୭ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି । କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ପ୍ରମୁଖ ଚେହେରା ମନୀଷ ସିସୋସିଆ, ସୌରଭ ଭରଦ୍ୱାଜ, ସତ୍ୟେନ୍ଦ୍ର କୁମାର ଜୈନ ଓ ସୋମନାଥ ଭାରତୀ ପ୍ରମୁଖଙ୍କୁ ପରାଜିତ ହେବାକୁ ପଡ଼ିଛି।
ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ୨୦୧୯ ମାର୍ଚ୍ଚ ୪ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହେବାର ମାତ୍ର ସପ୍ତାହକ ମଧ୍ୟରେ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି ସହ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲା । ବିଜେଡି ଛାଡ଼ିଥିବା ଶ୍ରୀ ପଣ୍ଡାଙ୍କୁ ବିଜେପି ଭଳି କ୍ୟାଡ଼ର ଦଳରେ ଏପରି ଗୁରୁଦାୟିତ୍ୱ ମିଳିବା ମଧ୍ୟ ରାଜନୀତିକ ପଣ୍ଡିତଙ୍କ ସମେତ ତାଙ୍କ ବିରୋଧୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ଏହାପରଠୁ ବିଜେପିରେ ଆଉ ପଛକୁ ଫେରିନାହାନ୍ତି ଶ୍ରୀ ପଣ୍ଡା । ଦଳ ତାଙ୍କ ଉପରେ ଭରସା କରି ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୦ ନଭେମ୍ବର ୧୫ତାରିଖରେ ଆସାମର ପ୍ରଭାରୀ ଦାୟିତ୍ୱ ଦେଇଥିଲା । ଆଉ ଆସାମରେ ବିଜେପିର ବରିଷ୍ଠ ନେତା ଓ କନିଷ୍ଠ ନେତାମାନଙ୍କ ମଧ୍ୟରେ ରହିଥିବା ମତଭେଦକୁ ଦୂର କରିବାରେ ଶ୍ରୀ ପଣ୍ଡା ପ୍ରମୁଖ ଭୂମିକା ତୁଲାଇବାରେ ସକ୍ଷମ ହୋଇଥିଲେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ଓ ଲୋକାଭିମୁଖୀ କାର୍ଯ୍ୟ ସହ ଦଳର ରାଜ୍ୟରେ ସରକାରର ବିଭିନ୍ନ କାର୍ଯ୍ୟ ଆଦିକୁ ଆଧାର କରି ୨୦୨୧ ମେ’ରେ ଆସାମବାସୀ ପୁଣିଥରେ ରାଜ୍ୟରେ ବିଜେପି ସରକାରକୁ ଆଉ ୫ବର୍ଷ ପାଇଁ ଶାସନ ଭାର ଅର୍ପଣ କରିଥିଲେ ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ବିଜୟ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉପରେ ବିଶ୍ୱାସ କରି ଦାୟିତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ଓ ବୈଜୟନ୍ତ ବାବୁଙ୍କ ନେତୃତ୍ୱରେ ଦିଲ୍ଲୀରେ ଆମ ଦଳର ବିଜୟ ହୋଇଛି । ବୈଜୟନ୍ତ ପଣ୍ଡା ଦଳର ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ଏଥର ତାଙ୍କୁ ଦିଲ୍ଲୀ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେ ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ସେହିପରି ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତ୍ରିକ୍ରିୟାରେ କହିଛନ୍ତି ଯେ, ସଂକଳ୍ପ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିରୁ ବେଶୀ ସୁଫଳ ମିଳିଲା । ଗୃହମନ୍ତ୍ରୀ ଅମିତ୍ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମାର୍ଗଦର୍ଶନରେ ନିର୍ବାଚନ ପ୍ରସ୍ତୁତି କରାଯାଇଥିଲା । ଲକ୍ଷଲକ୍ଷ କର୍ମକର୍ତ୍ତା ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ୧୨ବର୍ଷ ଧରି ଚାଲିଥିବା ଭ୍ରଷ୍ଟାଚାରର ଶାସନକୁ ଲୋକେ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଏଥର ଦିଲ୍ଲୀବାସୀ କେନ୍ଦ୍ର ସହ ଲଢ଼େଇ ପାଇଁ ନୁହେଁ, ବିକାଶ ପାଇଁ ଜନାଦେଶ ଦେଇଛନ୍ତି । ୨୭ବର୍ଷ ପରେ ଡବଲ ଇଞ୍ଜିନର ସରକାର ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।