ରାଜସ୍ଥାନରେ ବଡ଼ ବିଜୟ ହାସଲ କରିବା ଦିଗରରେ ବିଜେପି। ବିଜେପି ୧୯୯ ବିଧାନସଭା ଆସନରୁ ୧୧୦ରୁ ଅଧିକ ସିଟରେ ଜିତିବ ବୋଲି ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। କ୍ଷମତାସୀନ କଂଗ୍ରେସ ବହୁ ପଛରେ ରହିବ। ତେବେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପାଇଁ ଖରାପ ଖବର ଆସିଛି। ବିଶାଳ ବିଜୟ ସତ୍ତ୍ୱେ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସି ନ ପାରନ୍ତି ରାଜେ। ରାଜେଙ୍କ ବଦଳରେ ରାଜସ୍ଥାନର ଯୋଗୀ ଓରଫ ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧି ପାରନ୍ତି।
ମହନ୍ତ ବାଲକନାଥ ଏବେ ଅଲୱର ସାଂସଦ ରହିଛନ୍ତି। ତଥାପି ତାଙ୍କୁ ବିଜେପି ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲା। ସେ ଗୁରୁତ୍ୱପୂର୍ଣ୍ଣ ତିଜାରା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଲଢ଼େଇ କଂଗ୍ରେସର ଇମ୍ରାନ ଖାନଙ୍କ ସହ ହେଉଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବାଲକନାଥ କଂଗ୍ରେସର ଇମ୍ରାନ ଖାନଙ୍କ ଠାରୁ ଆଗରେ ରହିଛନ୍ତି।
ବିଧାନସଭା ଟିକେଟ ମିଳିବା ପରେ ବାଲକନାଥ ଉକ୍ତ ଲଢ଼େଇକୁ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସହ ତୁଳନା କରିଥିଲେ। ଇମ୍ରାନ ଖାନଙ୍କୁ ସେ ପରୋକ୍ଷରେ ପାକିସ୍ତାନୀ ଓ ନିଜକୁ ଭାରତ ବୋଲି କହି ପ୍ରଚାର କରିଥିଲେ।
ବିଜେପି ରାଜସ୍ଥାନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ୁଛି। ବିଭିନ୍ନ ସଂସ୍ଥା ବିଜେପି ଜିତିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ଭେ କରିଥିଲେ। ଏହି ସମୟରେ ସମସ୍ତଙ୍କୁ ଚକିତ କରି ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଥିବା ସ୍ପଷ୍ଟ ହୋଇଥିଲା।
ସର୍ଭେରେ ସାମିଲ ହୋଇଥିବା ୧୦% ଲୋକ ବାଲକନାଥ ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କୁ ୩୨% ସମର୍ଥନ କରିଥିଲେ। ସେହିପରି ୨୧% ଲୋକ ବିଜେପିର ଯେକୌଣସି ଲୋକ ମୁଖ୍ୟମନ୍ତ୍ରୀ ହେଲେ ଚଳିବ ବୋଲି ମତ ରଖିଥିଲେ। ଯେହେତୁ କଂଗ୍ରେସ ରାଜସ୍ଥାନରେ ଗାଦିଚ୍ୟୁତ ହେବାକୁ ଯାଉଛି, ତେଣୁ ବିଜେପି ବାଲକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ବାଲକନାଥ ଓ ଯୋଗୀ ଆଦିତ୍ୟନାଥ
ବାଲକନାଥ ନିଜକୁ ରାଜସ୍ଥାନର ଆଦିତ୍ୟନାଥ ଭାବେ ଚିତ୍ରଣ କରି ଆସିଛନ୍ତି। ସେ ଯୋଗୀ ଆଦିତ୍ୟନାଥଙ୍କ ଭଳି ସବୁବେଳେ ବୁଲଡୋଜରର ଛବି ବ୍ୟବହାର କରନ୍ତି। ଯୋଗୀ ଆଦିତ୍ୟନାଥ ମଧ୍ୟ ବାଲକନାଥ ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ରହିଥିଲେ। ତାଙ୍କ ପାଇଁ ମଧ୍ୟ ସେ ପ୍ରଚାର କରିଛନ୍ତି। ୩୯ ବର୍ଷୀୟ ବାଲକନାଥ ସବୁବେଳେ ହିନ୍ଦୁ ମହନ୍ତଙ୍କ ଭଳି ଗେରୁଆ ବସ୍ତ୍ର ପରିଧାନ କରନ୍ତି। ଯୋଗୀ ଆଦିତ୍ୟନାଥ ମଧ୍ୟ ସମାନ ପୋଷାକ ପିନ୍ଧନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଭଳି ସେ ମଧ୍ୟ ନାଥ ବର୍ଗରୁ ଆସିଛନ୍ତି। ବାଲକନାଥ ସବୁବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଜର ବଡ଼ ଭାଇ ବୋଲି କହି ଆସିଛନ୍ତି।
୨୦୧୮ରେ ତିଜାରାରେ ବିଜେପିର ମାମା ସିଂହ ଜିତିଥିଲେ। କିନ୍ତୁ ଏଥର ମହନ୍ତ ବାଲକନାଥଙ୍କୁ ଦଳ ଟିକେଟ ଦେଇଥିଲା। କିଛି ଦିନ ମାମା ସିଂହ ଦଳ ଠାରୁ ଦୂରେଇ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ମଧ୍ୟ ବାଲକନାଥଙ୍କ ପାଇଁ ପ୍ରଚାର କରିଥିଲେ।
ମହନ୍ତ ବାଲକନାଥ କିଏ?
ବିଜେପିର ଅଲୱର ସାଂସଦ ମହନ୍ତ ବାଲକନାଇ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୪ ଲକ୍ଷ ଟଙ୍କା ରହିଛି। ରୋହତକର ମାସତନାଥ ମଠର ୮ମ ମହନ୍ତ ହେଉଛନ୍ତି ବାଲକନାଥ। ଏହି ମଠ ସ୍କୁଲ ଓ ହସ୍ପିଟାଲ ଚଳାଇଥାଏ।
୧୯୮୪ ମସିହାରେ ବେହରୋଡ ଗାଁରେ ଗୋଟିଏ ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଲକନାଥ ତାଙ୍କ ବାପା ମା’ଙ୍କ ଏକମାତ୍ର ସନ୍ତାନ। ତାଙ୍କୁ ମାତ୍ର ୬ ବର୍ଷ ବୟସ ହୋଇଥିବା ବେଳେ ସନ୍ୟାସୀ ଜୀବନ ବିତାଇବା ପାଇଁ ମହନ୍ତ ଖେତନାଥଙ୍କ ପାଖକୁ ଯାଇଥିଲେ। ଏହାପରେ ସେ ମହନ୍ତ ଭହାଣ୍ଡ ନାଥଙ୍କ ଶିଷ୍ୟ ହୋଇଥିଲା। ସେ ତାଙ୍କର ନାଁ ବାଲକନାଥ ରଖିଥିଲେ ଓ ୨୦୧୬ରେ ତାଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ।