Advertisment

ବାରବାଟୀ ଷ୍ଟାଡ଼ିୟମ ରୂପାନ୍ତରଣ: ଶିଳାନ୍ୟାସର ମହାଡ୍ରାମା କରିଥିଲେ ନବୀନ, ଏବେ ମିଛ ଧରାଇଲେ କ୍ରୀଡ଼ାମନ୍ତ୍ରୀ

କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ଏକ ପ୍ରଶ୍ନର ଆଜି ଲିଖିତ ଉତ୍ତର ଦେଇ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, କଟକସ୍ଥିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ବାରବାଟୀ ଷ୍ଟାଡ଼ିୟମ ପରିଚାଳିତ ହେଉଛି।

author-image
Ordigital Desk
ଅଦ୍ୟତନ ହୋଇଛି
 Barabati Stadium

Barabati Stadium

ଐତିହାସିକ ବାରବାଟୀ ଷ୍ଟାଡ଼ିୟମର ରୂପାନ୍ତରୀକରଣ ନାଁରେ ପୂର୍ବ ବିଜେଡି ସରକାର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇଥିଲା । ଏପରିକି ୫ମାସ ପୂର୍ବରୁ ଫେବୃୟାରୀ ୨୭ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡ଼ିୟମର ନବକଳେବର ପାଇଁ ଯେଉଁ ୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତାହା ବି ମିଛ ଡ୍ରାମା ଥିଲା । ଆଜି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଦେଇଥିବା ଉତ୍ତରରୁ ବିଜେଡି ସରକାରର ମହାଡ୍ରାମା ଧରାପଡ଼ିଛି ତଥା କଟକବାସୀଙ୍କ ଭାବାବେଗ ସହ ବିଜେଡି ସରକାର ଖେଳିଥିବା ସ୍ପଷ୍ଟ ହୋଇଛି।

Advertisment

କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ଏକ ପ୍ରଶ୍ନର ଆଜି ଲିଖିତ ଉତ୍ତର ଦେଇ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, କଟକସ୍ଥିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ବାରବାଟୀ ଷ୍ଟାଡ଼ିୟମ ପରିଚାଳିତ ହେଉଛି। ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏହି ବାରବାଟୀ ଷ୍ଟାଡ଼ିୟମର ଉନ୍ନତିକରଣ ଓ ପୁନଃବିକାଶ ପାଇଁ କୌଣସି ପଦକ୍ଷେପ ନେଇନାହିଁ। ଏପରିକି ଷ୍ଟାଡ଼ିୟମରେ ନିର୍ଦ୍ଧିଷ୍ଟ ଭିତ୍ତିଭୂମିରେ ସୁଧାର ଓ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇଁ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା କ୍ରୀଡ଼ାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

କ୍ରୀଡ଼ାମନ୍ତ୍ରୀଙ୍କ ଏହି ଉତ୍ତର ସହ ବାରବାଟୀ ଷ୍ଟାଡ଼ିୟମର ନବକଳେବର ହେବ ବୋଲି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଉ ବିଜେଡି ସରକାର ସମୟରେ ମାତ୍ର ୫ମାସ ପୂର୍ବରୁ ତତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରବାଟୀ ଷ୍ଟାଡ଼ିୟମରେ ବଲିଉଡ୍ ଗୀତିକାରଙ୍କୁ ଡାକି ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତାହା ମଧ୍ୟ ଭୋଟରଙ୍କୁ ଭଣ୍ଡେଇବା ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି। ନବୀନ ସରକାରରେ ସର୍ବେସର୍ବା ଭିକେ ପାଣ୍ଡିଆନ ବାରବାଟୀ ଷ୍ଟାଡ଼ିୟମ ଯାଇ ସେଠାରେ କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀ ଓ କଟକ ଜିଲ୍ଲାର ଅଧିକାରୀଙ୍କୁ ଧରି ପ୍ରକଳ୍ପର ସମୀକ୍ଷା କରିଥିଲେ ମଧ୍ୟ ଏବେ କ୍ରୀଡ଼ାମନ୍ତ୍ରୀଙ୍କ ଉତ୍ତର ସେମାନଙ୍କର ପଦକ୍ଷେପକୁ ମିଛ ବୋଲି ପ୍ରମାଣିତ କରିଛି।

Advertisment

ଯଦି ବାସ୍ତବରେ ବାରବାଟୀ ଷ୍ଟାଡ଼ିୟମର ରୂପାନ୍ତରୀକରଣ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତା’ହେଲେ କ୍ରୀଡ଼ା ବିଭାଗ ପାଖରେ ଏନେଇ କିଭଳି ତଥ୍ୟ ରହିଲା ନାହିଁ। ଆଉ ବିନା ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ)ରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଭଳି ପ୍ରକଳ୍ପର ଶିଳାନ୍ୟାସ କଲେ। ଏହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହିତ ନବୀନ ପଟ୍ଟନାୟକ ସରକାର ନିର୍ବାଚନ ପାଇଁ ଅନେକ ମିଛ ଶିଳାନ୍ୟାସ କରିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି।

ସୂଚନାଯୋଗ୍ୟ, ଫେବୃୟାରୀ ୨୭ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ବ୍ୟୟବହୁଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ରୂପାନ୍ତରୀକରଣ ପ୍ରକଳ୍ପକୁ ଭର୍ଚୁଆଲ ମୋଡରେ ତତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ତେବେ ଏହି ପ୍ରକଳ୍ପରେ ବାରବାଟୀ ଷ୍ଟାଡ଼ିୟମକୁ ବିଶ୍ୱସ୍ତରୀୟ କରିବା ସହ ଦର୍ଶକ କ୍ଷମତା ୪୨ରୁ ୬୦ହଜାରକୁ ବୃଦ୍ଧି ପାଇଁ ସରକାର ଘୋଷଣା କରିଥିଲେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ବିସିସିଆଇ ସହ ମିଶି ଓଡ଼ିଶା ସରକାର ଏହି ଷ୍ଟାଡ଼ିୟମର ନବକଳେବର କରିବେ ବୋଲି ଗଣମାଧ୍ୟମକୁ ସେତେବେଳେ ସୂଚନା ଦେଇଥିଲେ।

Barabati Stadium