Advertisment

ବିଜେପିରୁ ମିଳିଲାନି ଟିକେଟ, ବରୁଣ ଗାନ୍ଧିଙ୍କୁ କଂଗ୍ରେସରେ ମିଶିବାକୁ ପ୍ରସ୍ତାବ

ଗାନ୍ଧି ପରିବାରର ସଦସ୍ୟ ହୋଇଥିବାରୁ ବରୁଣଙ୍କ ଟିକେଟ କାଟି ଦିଆଗଲା ବୋଲି ଅଭିଯୋଗ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।

author-image
Jitendra Garnayak
Varun Gandhi

Varun Gandhi

ବରୁଣ ଗାନ୍ଧିଙ୍କୁ ବିଜେପି ଟିକେଟ୍ ନଦେବା ପରେ ତାଙ୍କୁ କଂଗ୍ରେସରେ ମିଶିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଗାନ୍ଧି ପରିବାରର ସଦସ୍ୟ ହୋଇଥିବାରୁ ବରୁଣଙ୍କ ଟିକେଟ କାଟି ଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

କଂଗ୍ରେସ ସାଂସଦ ଅଧୀର ରଞ୍ଚନ ଚୌଧୁରୀ କହିଛନ୍ତି, ସେ (ବରୁଣ ଗାନ୍ଧି) କଂଗ୍ରେସରେ ଯୋଗ ଦେବା ଉଚିତ। ଯଦି ସେ କଂଗ୍ରେସରେ ମିଶିବେ ଆମେ ଖୁସି ହେବୁ। ସେ ଜଣେ ବଡ଼ ନେତା। ସେ ଭଲ ପାଠ ମଧ୍ୟ ପଢ଼ିଛନ୍ତି। ତାଙ୍କ ଭାବମୂର୍ତ୍ତି ବେଶ୍ ସ୍ୱଚ୍ଛ। ତାଙ୍କର ଗାନ୍ଧି ପରିବାର ସହିତ ସଂପର୍କ ରହିଛି। ସେଥିପାଇଁ ବିଜେପି ତାଙ୍କୁ ଟିକେଟ ଦେଇ ନାହିଁ। ଆମେ ଚାହୁଁ ବରୁଣ ଏବେ କଂଗ୍ରେସରେ ଯୋଗ ଦିଅନ୍ତୁ।

ଲୋକସଭା ନିର୍ବାଚନ ପାଇଁ ରବିବାର (ମାର୍ଚ୍ଚ ୨୪) ବିଜେପି ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ଉତ୍ତର ପ୍ରଦେଶର ପିଲିଭିଟ ଆସନରୁ ସାଂସଦ ଥିବା ବରୁଣ ଗାନ୍ଧିଙ୍କ ନାଁ ନଥିଲା। ତେବେ ତାଙ୍କ ମା’ ମାନେକା ଗାନ୍ଧିଙ୍କୁ ଦଳ ସୁଲତାନପୁର ଆସନରୁ ପ୍ରାର୍ଥୀ କରିଛି। 

Advertisment

ବରୁଣ ଗାନ୍ଧିଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ପିଲିଭିଟରୁ ଟିକେଟ ଦେଇଛି ବିଜେପି। ଜିତିନି ପ୍ରସାଦ ୨୦୨୧ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। 

ଟିକେଟ୍ ନ ମିଳିବା ପରେ ବରୁଣ ଗାନ୍ଧିଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେ ଦଳ ତାଙ୍କୁ ଠକି ଦେଇଥିବା ସେ ଅନୁଭବ କରୁଥିବା କିଛି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। 

ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବରୁଣ ଗାନ୍ଧି ତାଙ୍କର ଜଣେ ସହଯୋଗୀଙ୍କ ଜରିଆରେ ୪ ସେଟ୍ ନାମାଙ୍କନପତ୍ର କିଣିଥିଲେ। ଏମିତିକି ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଗାଁରେ ୨ଟି କାର ଓ ୧୦ଟି ବାଇକ୍ ପ୍ରସ୍ତୁତ ରଖିବାକୁ ସେ ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀଙ୍କୁ କହିଥିଲେ। 

ଚଳିତ ମାସ ପ୍ରାରମ୍ଭରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ବିଜେପି ଏଥର ଟିକେଟ ନ ଦେଲେ ବରୁଣ ଗାନ୍ଧି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ତେବେ ଟିକେଟ ନିମଳିବା ନେଇ ଏଯାବତ ମୁହଁ ଖୋଲି ନଥିବା ବରୁଣଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ଜଣାପଡ଼ିନାହିଁ। 

ଅନେକ ସମୟରେ ବରୁଣ ଗାନ୍ଧି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ତେଣୁ ଦଳୀୟ ନେତୃବୃନ୍ଦଙ୍କ ସହିତ ତାଙ୍କର ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। 

୨୦୦୯ରେ ବିଜେପି ଟିକେଟରେ ପିଲିଭିଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବରୁଣ ଗାନ୍ଧି। ୨୦୧୪ରେ ସେ ସୁଲତାନପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବରୁଣ ଗାନ୍ଧି ପୁଣି ପିଲିଭିଟରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଜିତିଥିଲେ। 

Bjp Congress Varun Gandhi