
ଦୀର୍ଘଦିନ ଧରି ବିଜେଡିରେ ଚାଲିଥିବା ବୟାନବାଜି, ଅସ୍ଥିରତା ଓ ଆଭ୍ୟନ୍ତରୀଣ କନ୍ଦଳ ଉପରେ ଲଗାମ ଦେବାକୁ ଆରମ୍ଭ ହୋଇଛି ‘କ୍ଲିନ୍ ଅପ୍’ ପ୍ରକ୍ରିୟା । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପୁଣିଥରେ ‘ସୁପର ପାୱାର’ ଭାବେ ଉଭା ହୋଇଛନ୍ତି । ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିବାବେଳେ ଦଳର ଦୁଇଜଣ ବିଧାୟକଙ୍କୁ ନିଲମ୍ବନ କରି ବିଜେଡି ନେତୃତ୍ୱ ‘ଅସନ୍ତୁଷ୍ଟଙ୍କ ସ୍ୱର’କୁ ଚପାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ କବଜାରୁ ଦଳକୁ ମୁକ୍ତ କରିବା ପାଇଁ ଯେଉଁ ମେଳି ଓ ବୟାନବାଜି ଚାଲିଛି ତା’ଉପରେ ଅଙ୍କୁଶ ଲଗାଇବା ଏବଂ ପାଣ୍ଡିଆନ ହିଁ ବିଜେଡିର ସର୍ବେସର୍ବା ବୋଲି ସନ୍ଦେଶ ଦେବାକୁ ଏଭଳି ପ୍ରାୟୋଜିତ କାର୍ଯ୍ୟାନୁଷ୍ଠାନ ହୋଇଥିବା ରାଜନୀତିକ ମହଲରେ ଆକଳନ କରାଯାଉଛି ।
ବିଧାୟକଙ୍କ ପ୍ରାୟୋଜିତ ଅଭିଯୋଗ, ନିଷତ୍ତିର ପୁନର୍ବିଚାରକୁ ପ୍ରତ୍ୟାଖ୍ୟାନ
ବିଜେଡି ସୁପ୍ରିମୋ ଗତ ୪-୫ଦିନ ଧରି ଦଳର ବିଧାୟକମାନଙ୍କୁ ନବୀନ ନିବାସ ଡକାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଗୁରୁବାର ତୃତୀୟ ପର୍ଯ୍ୟାୟରେ ଦଳର ୧୦ଜଣ ବିଧାୟକଙ୍କୁ ଡାକି ବୈଠକ କରିଥିଲେ । ସୂତ୍ର ଅନୁସାରେ, ଏହି ବୈଠକରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ହିଁ ପ୍ରଥମେ ଦଳବିରୋଧୀ ବୟାନବାଜି କରୁଥିବା ବରିଷ୍ଠ ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ସମର୍ଥନ କରିଥିଲେ । ନବୀନ ସେହି ନେତାମାନଙ୍କ ନାଁ ଜାଣିବାକୁ ଚାହିଁଥିଲେ । ବୈଠକରେ ଭୂପିନ୍ଦର ସିଂ, ବଦ୍ରି ପାତ୍ର, ଦେବାଶୀଷ ସାମନ୍ତରାୟ, ସନାତନ ମହାକୁଡ଼ ଆଦି ବରିଷ୍ଠ ନେତାମାନଙ୍କ ନାଁ ନବୀନଙ୍କୁ କୁହାଯାଇଥିଲା । ଆଉ ବୈଠକ ଶେଷ ହେବାବେଳକୁ ନବୀନ ଦଳର ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ ନିଷ୍ପତ୍ତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ ।
ତେବେ ଅରବିନ୍ଦଙ୍କ ନିଲମ୍ବନକୁ ନେଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଆପତ୍ତି ଉଠାଇ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ନବୀନ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଅତୀତର ‘ବିଶ୍ୱାସଘାତକତା’ ପ୍ରସଙ୍ଗ ଉଠାଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ ।
ଚର୍ଚ୍ଚା ହେଉଛି, ବୈଠକବେଳେ ଏହି ବରିଷ୍ଠ ନେତାମାନଙ୍କ ନାଁରେ ନବୀନଙ୍କ ପାଖରେ ଅଭିଯୋଗ କରିବା ନିମନ୍ତେ ସୁଚିିନ୍ତିତ ଢଙ୍ଗରେ ରଣନୀତି ପ୍ରସ୍ତୁତ ହୋଇଥିଲା ।
ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ ଶବ୍ଦର ଉପଯୋଗ ପାଇଁ ହାଇକମାଣ୍ଡଙ୍କ ତାଗିଦ୍
ବୈଠକ ସରିବା ପରେ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟ କ’ଣ ରହିବ ତାହା ମଧ୍ୟ ନବୀନ ନିବାସ ନିଷ୍ପତ୍ତି ନେଇ ସାରିଥିଲା । ଏହି ନିଲମ୍ବନକୁ ଯଥାର୍ଥ ଦର୍ଶାଇବା ପାଇଁ ନବୀନ ନିବାସ ପକ୍ଷରୁ ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରାଯାଇଛି । ସୂତ୍ର ଅନୁସାରେ, ଗଣମାଧ୍ୟମରେ ବୟାନ ଦେବାବେଳେ ‘ଦୁର୍ନୀତିଗ୍ରସ୍ତ’ ଓ ବିଶ୍ୱାସଘାତକ’ ଭଳି ଶବ୍ଦକୁ ବହୁଳ ଉପଯୋଗ କରିବା ନିମନ୍ତେ ନିର୍ଦ୍ଦିଷ୍ଟ ନେତାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ, ଦିବ୍ୟଶଙ୍କର ମିଶ୍ର ଓ ଲେନିନ ମହାନ୍ତିଙ୍କ ବୟାନ ସହ ଦଳୀୟ ପ୍ରେସ୍ ରିଲିଜରେ ମଧ୍ୟ ଏହି ଦୁଇ ଶବ୍ଦର ଉପଯୋଗ ଦେଖିବାକୁ ମିଳିଛି । ଅତନୁ କହିଥିଲେ ଯେ, ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ ।
ସେହିପରି ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ନବୀନଙ୍କ ପାଖରେ ସମସ୍ତ ଗୁଇନ୍ଦା ରିପୋର୍ଟ ରହିଛି ଏବଂ ଯିଏ ବି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରିବ, ସେ ନିଶ୍ଚିତ ଭାବେ ନିଲମ୍ବିତ ହେବ । ଦଳର ପ୍ରେସ୍ ରିଲିଜ୍ ମାଧ୍ୟମରେ ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ‘ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ’ ଶବ୍ଦ ଉପଯୋଗ କରି ନିଲମ୍ବନ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବାକୁ ପ୍ରୟାସ କରିଛନ୍ତି । ଏହି ଦୁଇଟି ଶବ୍ଦ ମାଧ୍ୟମରେ ନିଲମ୍ବିତ ନେତାଙ୍କୁ ବଦନାମ କରିବା ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏକ ‘ସ୍କ୍ରିପ୍ଟ’ ପ୍ରସ୍ତୁତ କରାଯାଇଛି । ଯାହାକି ଦଳର ନେତା ଅତନୁ ସବ୍ୟସାଚୀ, ଦିବ୍ୟଶଙ୍କର ମିଶ୍ର ଓ ଲେନିନ ମହାନ୍ତି ଗଣମାଧ୍ୟମରେ ଏହି ଦୁଇଟି ଶବ୍ଦ ଉଚ୍ଚାରଣ କରି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇବାକୁ ପ୍ରୟାସ କରିବା ପରେ ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପ୍ରମାଣିତ ହୋଇଛି ।
ବିଜୟଙ୍କ ‘ଜିଲ୍ଲା ବୁଲା’, ଅତନୁଙ୍କ ଗୋଟିଚାଳନା
ବରିଷ୍ଠ ନେତା ବିଜୟ ମହାପାତ୍ର ଅଚାନକ ସକ୍ରିୟ ହୋଇ ଜିଲ୍ଲା ଗସ୍ତରେ ଯାଇ ରାଜନେତାମାନଙ୍କୁ ସାକ୍ଷାତ କରିବା ଏବଂ ବିଜୟଙ୍କ କଟ୍ଟରବିରୋଧୀ ଅତନୁଙ୍କ ଗୋଟିଚାଳନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗତ ଦିନରେ ଅରବିନ୍ଦଙ୍କର ପାଣ୍ଡିଆନଙ୍କୁ ଅଡ଼ୁଆ ପକାଇବା ଭଳି ବୟାନ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ତା’ଛଡ଼ା ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପିତା ବିଜୟଙ୍କୁ ଚେକ୍ ଦେବାକୁ ବିଜେଡି ପ୍ରୟାସ କରିଛି । ବିଜୟ ଗତ କିଛିଦିନ ହେବ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ପ୍ରମୁଖ ଜିଲ୍ଲା ଗସ୍ତ କରି ‘ବିଜୁ ଅନୁଗତ’ମାନଙ୍କୁ ଭେଟିବାକୁ ବିଜେଡି ନେତୃତ୍ୱ ସହଜରେ ହଜମ କରିପାରିନଥିଲେ । ବିଜୟଙ୍କ ଏହି ଅଚାନକ ସକ୍ରିୟତା ହିଁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ବଳ ଦେବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିବାବେଳେ ଝାରସୁଗୁଡ଼ାରେ ବିଜୟଙ୍କ ଭେଟଘାଟ ହିଁ ଅରବିନ୍ଦଙ୍କ ନିମନ୍ତେ ଅଡ଼ୁଆ ବଢ଼ାଇଥିଲା ।
ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀକୁ ଅଧିକ ସଂଗଠିତ କରିବା ପାଇଁ ବିଜୟଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହାୟକ ହେଉଥିବା ଦେଖି ଦଳରେ ବଢ଼ୁଥିବା ଅସ୍ଥିରତା ଉପରେ ଲଗାମ ଦେବାକୁ ଏହି କାର୍ଯ୍ୟାନୁଷ୍ଠାନ ବୋଲି ଜଣାପଡ଼ିଛି । ବିଜୟଙ୍କ ରାଜନୀତିକ ସକ୍ରିୟତା ତାଙ୍କ ପୁଅ ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଆଶଙ୍କା କରାଯାଉଛି ।
ଏପଟେ କେନ୍ଦ୍ରାପଡ଼ା ରାଜନୀତିରେ ନିଜର ଦବଦବା କାଏମ ରଖିବାକୁ ଗୋଟିଚାଳନା କରି ଆସୁଥିବା ଅତନୁ ମଧ୍ୟ ଏହି ସୁଯୋଗର ଫାଇଦା ଉଠାଇ ନିଜର କଟ୍ଟରବିରୋଧୀ ବିଜୟ ମହାପାତ୍ରଙ୍କୁ ଚେକ୍ ଦେବାରେ ସକ୍ଷମ ହୋଇଛନ୍ତି ବୋଲି ଚର୍ଚ୍ଚା ।
ସନାଙ୍କ ଖୋଲା ଚ୍ୟାଲେଞ୍ଜ ଓ ଅରବିନ୍ଦ ଚକିତ
ନିଲମ୍ବିତ ହେବା ପରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପଛଘଞ୍ଚା ନଦେଇ ଦଳର ଦୁର୍ବଳତାକୁ ପଦାରେ ପକାଇଛନ୍ତି। ସେ କୌଣସିପ୍ରକାରର ଦଳବିରୋଧୀ କାର୍ଯ୍ୟ କରିନଥିବା କିମ୍ବା ତାଙ୍କ ସହ କେହି ଯୋଗାଯୋଗ କରିନଥିବା ଶ୍ରୀ ମହାକୁଡ଼ ସ୍ପଷ୍ଟ କରିଛନ୍ତି । ବିଜେଡି ଶାସନରେ କେନ୍ଦୁଝରର ବିକାଶ ହୋଇପାରିନାହିଁ ଓ ସେ କେନ୍ଦୁଝରବାସୀଙ୍କ ସ୍ୱାର୍ଥ ପାଇଁ କହିଥିବାରୁ ତାଙ୍କୁ ଦଣ୍ଡ ମିଳିଛି । ସେ ନବୀନଙ୍କୁ ଭେଟିବାର ପ୍ରଶ୍ନ ଉଠୁନାହିଁ ବୋଲି କହିବା ସହ ଆଗକୁ ଲୋକଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଅରବିନ୍ଦ ମହାପାତ୍ର ସୋସିଆଲ ମିଡିଆ ଜରିଆରେ ନିଜର ନିଲମ୍ବନ ଖବର ପାଇଥିବା କହିଛନ୍ତି । ସେ ଦଳବିରୋଧୀ କୌଣସି କାର୍ଯ୍ୟରେ ସାମିଲ ନଥିଲେ କିମ୍ବା କୌଣସି ଗୋପନୀୟ ବୈଠକକୁ ଯାଇନାହାନ୍ତି । ତାଙ୍କ ପିତା ବିଜୟ ମହାପାତ୍ରଙ୍କ ବ୍ୟକ୍ତିଗତ ରାଜନୀତି ସହ ତାଙ୍କୁ ଯୋଡ଼ିବା ଅନ୍ୟାୟ, ଦଳ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ନିଲମ୍ବନ ଖବର ଦେବା ତାଙ୍କ ପାଇଁ ଦୁଃଖଦାୟକ ବୋଲି ସେ କହିଛନ୍ତି ।
ବିଜେଡି ଭୟଙ୍କର ‘ଗୃହଯୁଦ୍ଧ’ ମଧ୍ୟ ଦେଇ ଗତି କରୁଛି,ଗୋଟିଏପଟେ ପାଣ୍ଡିଆନଙ୍କ କଠୋର ନିୟନ୍ତ୍ରଣ ଓ ଅନ୍ୟପଟେ ପୁରୁଣା କର୍ମୀଙ୍କ ବିସ୍ଫୋରକ ଅସନ୍ତୋଷ ରହିଛି। ଏହି ‘କ୍ଲିନ୍ ଅପ୍’ ଅପରେସନ ଦଳକୁ ଶକ୍ତିଶାଳୀ କରିବ ନା ସମ୍ପୂର୍ଣ୍ଣ ବିଭାଜନ ଆଡ଼କୁ ଠେଲିଦେବ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଆକଳନ କରାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
