Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚିନ୍ତା ପ୍ରକଟ କଲେ ବୈଜୟନ୍ତ

ବାଂଲାଦେଶୀଙ୍କ ଓଡ଼ିଶା ମୁହାଁ ନେଇ ଶ୍ରୀ ପଣ୍ଡା କହିଛନ୍ତି, ଏଇଟା କେବଳ ଓଡ଼ିଶାର ସମସ୍ୟା ନୁହେଁ। ଏହା ଭାରତର ସମସ୍ୟା। ପୂର୍ବରୁ ମୁଁ ଆସାମ ପ୍ରଦେଶର ଇନ୍‌ଚାର୍ଜ ରହିଥିଲି। ସେହି ସମୟରେ ଦେଖିଛି, ଦଶନ୍ଧୀ ଦଶନ୍ଧୀ ଧରି କୋଟିକୋଟି ଲୋକ ଆସାମ ଭିତରେ ପ୍ରବେଶ କରି ରହୁଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ବାଂଲାଦେଶରେ ହିନ୍ଦୁ ମନ୍ଦିର ଓ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରାଯାଉଛି। ହିନ୍ଦୁମାନଙ୍କୁ ମାଡ଼ ମରାଯାଉଛି। ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଭାରତ ସରକାର ଏଥିପାଇଁ ସଜାଗ ଅଛନ୍ତି ଓ ପଦକ୍ଷେପ ନେଉଥିବା ଶ୍ରୀ ପଣ୍ଡା କହିଛନ୍ତି। 

Advertisment

ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି, ଦୁଃଖର ଖବର ଯେ ସେଠାରେ(ବାଂଲାଦେଶ)ରେ ମନ୍ଦିର ଉପରେ ଆକ୍ରମଣ ହେଉଛି। ଆମେ ଦେଖିଛୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ କେମିତି ଅସମ୍ମାନିତ କରାଯାଇଛି। ସେଠାରେ କେମିତି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ଓ ବସବାସ କରୁଥିବା ଅଳ୍ପ ସଂଖ୍ୟକ (ହିନ୍ଦୁ, ଖ୍ରୀଷ୍ଟିଆନ୍‌, ବୌଦ୍ଧ)ଙ୍କ ଉପରେ ଯେପରି ଅତ୍ୟାଚାର ନହୁଏ, ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଗଠନ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବାଂଲାଦେଶୀଙ୍କ ଓଡ଼ିଶା ମୁହାଁ ନେଇ ଶ୍ରୀ ପଣ୍ଡା କହିଛନ୍ତି, ଏଇଟା କେବଳ ଓଡ଼ିଶାର ସମସ୍ୟା ନୁହେଁ। ଏହା ଭାରତର ସମସ୍ୟା। ପୂର୍ବରୁ ମୁଁ ଆସାମ ପ୍ରଦେଶର ଇନ୍‌ଚାର୍ଜ ରହିଥିଲି। ସେହି ସମୟରେ ଦେଖିଛି, ଦଶନ୍ଧୀ ଦଶନ୍ଧୀ ଧରି କୋଟିକୋଟି ଲୋକ ଆସାମ ଭିତରେ ପ୍ରବେଶ କରି ରହୁଛନ୍ତି। କେବଳ ଆସାମ ନୁହେଁ, ପଶ୍ଚିମବଙ୍ଗରେ କୋଟି କୋଟି ଲୋକେ ପଶିଛନ୍ତି। ଓଡ଼ିଶାରେ ମଧ୍ୟ କିଛି ଲୋକ ବେଆଇନ୍‌ ଭାବେ ପଶିଛନ୍ତି। ତା’ ଉପରେ ଗୋଟିଏ ବଡ଼ ପଦକ୍ଷେପ ନେବାର ରହିଛି। କାରଣ ସେଠାରେ(ବାଂଲାଦେଶ) ଅଳ୍ପ ସଂଖ୍ୟକମାନେ ନିର୍ଯାତନା ସହୁଛନ୍ତି। ତେଣୁ ସେମାନେ ତାଙ୍କ ଭୟରେ ଏଠାକୁ ଆସିଛନ୍ତି। କିନ୍ତୁ ଅନ୍ୟମାନେ ଆସି ଏଠାରେ ଘରଦ୍ୱାର କରି ରହିଛନ୍ତି। ଏଠାରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ଆଜି କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ପ୍ରତିଭା ଭବନଠାରେ ଏକ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ ଓ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଭା ଭବନ ପରିସରରେ ସଫେଇ କରିଥିଲେ। ପରେ ‍ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାହାଙ୍ଗାର ବିଜେପି ନେତା ସୁମନ୍ତ ଘଡ଼େଇ ଓ ସାଲେପୁର ବିଜେପି ନେତା ଅରିନ୍ଦମ ରାୟ ଯୋଗଦେଇଥିଲେ। 

ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ