Advertisment

ରାଜସ୍ଥାନରେ ବି ନୂଆ ମୁହଁ, ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ମୁଖ୍ୟମନ୍ତ୍ରୀ

୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ଅଦ୍ୟତନ ହୋଇଛି
Bhajanlal Sharma

Bhajanlal Sharma

Advertisment

ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି।

Advertisment

ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ନାଁ ବିଧାୟକ ଦଳର ନେତା ଭାବେ ଘୋଷଣା କରିଥିଲେ। ଆଉ ଏହାକୁ ସମସ୍ତ ବିଧାୟକ ଗ୍ରହଣ କରିଥିଲେ। ସର୍ବସମ୍ମତିକ୍ରମେ ଭଜନଲାଲ ଶର୍ମାଙ୍କୁ ବିଜେପି ବିଧାୟକ ଦଳ ନେତା ଘୋଷଣା କରାଯାଇଥିଲା ବୋଲି ବୈଠକରେ ଉପସ୍ଥିତ ଅନ୍ୟତମ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।      

୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା। 

Advertisment

ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। 

ଭଜନଲାଲ ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟବାସୀ ବିଜେପିଠାରୁ ଯେଉଁ ଆଶା ରଖିଛନ୍ତି, ତାକୁ ଦଳର ସମସ୍ତ ବିଧାୟକ ପୂରଣ କରିବେ ମୁଁ ପ୍ରତିଶ୍ରୁତି ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ରାଜସ୍ଥାନରେ ସବୁକ୍ଷେତ୍ରରେ ବିକାଶ କରିବୁ ବୋଲି ସୁନିଶ୍ଚିତ କରୁଛୁ।       

Bhajanlala Sharmaସମର୍ଥକଙ୍କ ଗହଣରେ ଭଜନଲାଲ ଶର୍ମା (ଫାଇଲ ଫଟୋ)

ଦୁଇ ଉପ-ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ସେମାନେ ହେଛନ୍ତି ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା। ସେହିପରି ବିଧାୟକ ବାସୁଦେବ ଦେବନାନୀ ବାଚସ୍ପତି ହେବେ ବୋଲି ଦଳ ନିଷ୍ପତ୍ତି ନେଇଛି। ବାସୁଦେବ ଦେବନାନୀ ଆଜମେର ନର୍ଥ ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ୨୦୦୮ରୁ ଏହି ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ସେ ପୂର୍ବରୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। 

ରେସ୍‌ରେ ଥିଲେ ବହୁ ହେଭି ୱେଟ୍‌

୨୦୦ଟି ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୯୯ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ବିଜେପି ୧୧୫ଟି ଆସନ ଜିତିଛି। ଏଥର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବଡ଼ ବଡ଼ ନେତାଙ୍କ ନାଁ ଥିଲା। ତେବେ ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ଏଠାରେ ମଧ୍ୟ ଜଣେ ନୂଆ ମୁହଁଙ୍କୁ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଚକିତ କରି ଦେଇଛି ବିଜେପି। 

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହିତ ଗଜେନ୍ଦ୍ର ସିଂହ ଶେଖାୱତ, ମହନ୍ତ ବାଲକନାଥ, ଦୀୟା କୁମାର, ଅନିତା ଭାଡେଲ, ମଞ୍ଜୁ ବାଘମାର ଓ ଅର୍ଜୁନ ରାମ ମେଘୱାଲଙ୍କ ନାଁ ଦୌଡ଼ରେ ରହିଥିଲା। ମହନ୍ତ ବାଲକନାଥଙ୍କ ନାଁକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। କିନ୍ତୁ ଶେଷରେ ଭଜନଲାଲଙ୍କୁ ଦିଆଯାଇଛି ଦାୟିତ୍ୱ।  

Bjp Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe