Advertisment

ଭୁବନେଶ୍ୱର ରାଜନୀତି: ସରୁନି ସୁରଙ୍କ ପରିବାର ଡ୍ରାମା,ଅନୁତାପ କରୁଛିକି ବିଜେଡି?

ସୁରଙ୍କ ପାରିବାରିକ ଡ୍ରାମା ଯୋଗୁ ବିଜେଡିର କ୍ଷତି ହେଉଥିବାରୁ ଦଳ କେଉଁ ବାଧ୍ୟବାଧକତାରେ ମନ୍ମଥଙ୍କୁ ଆଣି ସାଂସଦ ଟିକେଟ୍ ଦେଲା ବୋଲି ଦଳୀୟ କର୍ମୀମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଜାହିର କରିବାରେ ଲାଗିଛନ୍ତି।

undefined

Sura Routray

Advertisment

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଆଣି ଦଳୀୟ ଟିକେଟ୍ ଦେବା ଏବେ ବିଜେଡିକୁ ମହଙ୍ଗା ପଡ଼ିଛି। ସୁରଙ୍କ ପରିବାର ଡ୍ରାମା ଓ ବିବାଦ ଥମିବା ପରିବର୍ତ୍ତେ ବିଜେଡି ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବାରେ ଲାଗିଛି। ଆଉ ଖାସ୍ ଏହି କାରଣ ପାଇଁ ବିଜେଡି ଏବେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରୁଥିବା ଚର୍ଚ୍ଚା ହେଉଛି। ସୁରଙ୍କ ‘ଚଟୁ ଆମିଷ ବେଂଟ ନିରାମିଷ’ ଆଭିମୁଖ୍ୟକୁ ବିଜେଡିର ତୃଣମୂଳସ୍ତରର କର୍ମୀମାନେ ଖୋଲାଖୋଲି ନାପସନ୍ଦ କରିବା ସହ ମନ୍ମଥଙ୍କ ସାଂସଦ ପ୍ରାର୍ଥୀତ୍ୱ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ସେପଟେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ଏବେ ଜଟଣୀ ବିଧାନସଭା ଅଂଚଳରେ ବୁଲିବୁଲି ବିଜେଡି ବିରୁଦ୍ଧରେ ଲଢ଼େଇ ଜୋରଦାର କରିବାରେ ଲାଗିଛନ୍ତି। ସୁରଙ୍କ ପାରିବାରିକ ଡ୍ରାମା ଯୋଗୁ ବିଜେଡିର କ୍ଷତି ହେଉଥିବାରୁ ଦଳ କେଉଁ ବାଧ୍ୟବାଧକତାରେ ମନ୍ମଥଙ୍କୁ ଆଣି ସାଂସଦ ଟିକେଟ୍ ଦେଲା ବୋଲି ଦଳୀୟ କର୍ମୀମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଜାହିର କରିବାରେ ଲାଗିଛନ୍ତି। ଯାହାକି ଏବେ ଭୁବନେଶ୍ୱର ରାଜନୀତିକୁ ଉଷ୍ମ କରିଛି।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ମନ୍ମଥଙ୍କୁ ଦଳର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀମାନେ ଏବେ ବୁଲାଇବା ଆରମ୍ଭ କରିଛନ୍ତି। ଦଳୀୟ ଚାପରେ ମନ୍ମଥଙ୍କୁ ସଂସଦୀୟ କ୍ଷେତ୍ର ବୁଲାଉଥିଲେ ମଧ୍ୟ କର୍ମୀ ଓ ଆଗଧାଡ଼ିର ନେତାମାନଙ୍କ ପ୍ରଶ୍ନବାଣ ସେମାନଙ୍କ ମୁଣ୍ଡବ୍ୟଥା ବଢ଼ାଇବାରେ ଲାଗିଛି। ଭୁବନେଶ୍ୱର ସେଂଟ୍ରାଲ ବିଧାୟକ ଅନନ୍ତନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବେଗୁନିଆରେ କଂଗ୍ରେସରୁ ଆସିଥିବା ବିଜେଡି ଟିକେଟ୍ ଆଶାୟୀ ପ୍ରଦୀପ ସାହୁ ଇତିମଧ୍ୟରେ ମନ୍ମଥଙ୍କୁ ନିଜ ଅଂଚଳରେ ବୁଲାଇଛନ୍ତି। ମାତ୍ର ଯେଉଁଭଳି ଢଙ୍ଗରେ ଗତ କିଛିମାସ ପୂର୍ବରୁ ସେମାନେ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ବୁଲାଉଥିଲେ ସେଭଳି ଜୋରଦାର ଢଙ୍ଗରେ କର୍ମୀଙ୍କ ପାଖରେ ମନ୍ମଥଙ୍କୁ ପହଂଚାଇବାରେ ସକ୍ଷମ ହୋଇପାରୁନାହାନ୍ତି। ମନ୍ମଥଙ୍କୁ ଗତ ୩ଦିନ ଧରି ଏହି ନେତାମାନେ ବୁଲାଉଥିଲେ ମଧ୍ୟ ମହିଳାମାନଙ୍କ ଉପସ୍ଥିତି ନଗଣ୍ୟ ରହୁଛି। ଯାହାକି ବିଜେଡିକୁ ଏବେ ଅଡ଼ୁଆରେ ପକାଇଛି। ସେହିପରି ସୁରଙ୍କ ଦୋମୁହାଁ ଚରିତ୍ର ଓ ତାଙ୍କ ବଡ଼ପୁଅ ଜଟଣୀରେ ବିଜେଡି ବିରୁଦ୍ଧରେ ପ୍ରଚାର କରିବା ଦଳର ଚିନ୍ତା ବଢ଼ାଇଛି। ସୁର ନିଜକୁ କଂଗ୍ରେସ ମ୍ୟାନ୍ ଦାବି କରି କେତେବେଳେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ତ ପୁଣି କଂଗ୍ରେସର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ସେପରି କରିନି କହି ଓହରି ଯାଉଛନ୍ତି।

ସେହିପରି ମହିଳା କାର୍ଡ ଖେଳୁଥିବା ବିଜେଡି ଅଚାନକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ମହିଳା ଚେହେରାଙ୍କୁ ପ୍ରତ୍ୟାହାର କରିନେବା ନିଷ୍ପତ୍ତି ବି ଦଳ ପାଇଁ ବୁମେରାଂ ହେଲାଣି। ଶ୍ରୀମୟୀଙ୍କ ବଦଳରେ ମନ୍ମଥଙ୍କୁ ଯେଉଁଭଳି ଢଙ୍ଗରେ ଦଳ ଆଗକୁ ଆଣି ସାଂସଦ ପ୍ରାର୍ଥୀ କଲା ତାକୁ ନେଇ ସୋସିଆଲ ମିଡିଆ ଓ ତୃଣମୂଳସ୍ତରରେ ଦଳୀୟ କର୍ମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଜଣାପଡ଼ିଛି। ଏହା ବିଜେଡିର ମହିଳାବିରୋଧୀ ଚେହେରାକୁ ଉଜାଗର କରାଇଛି ବୋଲି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କଟାକ୍ଷ କରିସାରିଛନ୍ତି। ମହିଳା ଭୋଟ ହାତେଇବା ପାଇଁ ‘ଶ୍ରୀମୟୀଙ୍କ ପ୍ରତି ହୋଇଥିବା ଦଳୀୟ ଅନ୍ୟାୟକୁ’କୁ ପ୍ରସଙ୍ଗ କରିବାର ସଙ୍କେତ ବିଜେପି ଦେଇସାରିଛି। ସେହିପରି ବିଜେଡିର ଜଣେ ବରିଷ୍ଠ ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ(ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ପୂର୍ବତନ ଅଧ୍ୟକ୍ଷା) ମଧ୍ୟ ଆଜି ବିଜେପିରେ ସାମିଲ ହେବାପୂର୍ବରୁ ଶ୍ରୀମୟୀଙ୍କ ପ୍ରତି ଦଳ କରିଥିବା ଅନ୍ୟାୟ କଥା କହି ବିଜେଡି ନେତୃତ୍ୱଙ୍କୁ ବାଣ ମାରିଛନ୍ତି । ମନ୍ମଥଙ୍କୁ ଦଳୀୟ ଟିକେଟ୍ ଘୋଷଣା ପରଠୁ ଶ୍ରୀମୟୀ ଅଜ୍ଞାତବାସରେ ଅଛନ୍ତି । ତାଙ୍କର ଖୋଜଖବର ନାହିଁ । ଫୋନ୍ ନମ୍ବର ସୁଇଜଅଫ୍ ଥିବାବେଳେ ସୋସିଆଲ ମିଡିଆରେ ସେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଅଛନ୍ତି । ଯାହାକି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ରାଜନୀତିକୁ ଅଧିକ ଗୋଳମାଳିଆ କରିଛି।

Advertisment

ଏପଟେ ବିଜେପି ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ଆସନ ମଧ୍ୟରୁ କେବଳ ବେଗୁନିଆ ଓ ଖୋର୍ଦ୍ଧାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ମାତ୍ର ବିଜେଡି କେବଳ ଜଟଣୀରେ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଯେଉଁ ଜଟଣୀରେ ବିଜେଡି ଜିତିବା ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କଲା ସେଠାରେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କ ଅଚାନକ ଏଣ୍ଟ୍ରିଂ ବିଜେଡିର ଅଙ୍କକୁ ବିଗାଡ଼ିିବାରେ ଲାଗିଲେଣି । ଶ୍ରୀମୟୀଙ୍କୁ କୌଣସି ଆସନରେ ଥଇଥାନ ନକଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସହ ବିଭିନ୍ନ ସ୍ଥାନରେ ଦଳର ଭୋଟ୍ ଉପରେ ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ବିଜେଡି ନେତୃତ୍ୱ ଆଶଙ୍କା କଲେଣି। କାରଣ ବିଜେପି ଏହାକୁ ଏକ ସୁଯୋଗ ଭାବେ ନେଇ ନକରାତ୍ମକ ପ୍ରଚାର କରାଇ ମହିଳା ଭୋଟକୁ ହାତେଇବାକୁ ଗୋଟିଚାଳନା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଶ୍ରୀମୟୀଙ୍କ ସ୍ଥାନରେ ମନ୍ମଥଙ୍କୁ ଅଚାନକ ଆଣି ସାଂସଦ ପ୍ରାର୍ଥୀ କରାଇବା ପଛରେ କ’ଣ ବଳିଷ୍ଠ କାରଣ ରହିଛି ତାହା ତୃଣମୂଳସ୍ତରର କର୍ମୀ ଓ ନେତାଙ୍କୁ ବୁଝାଇବାରେ ବିଜେଡିର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀମାନେ ସକ୍ଷମ ହୋଇପାରୁନାହାନ୍ତି। ଶ୍ରୀମୟୀଙ୍କୁ କାହିଁକି ଦଳ ୬ମାସ ଆଗରୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ବୁଲାଇଥିଲା ଓ କାହା ନିଷ୍ପତ୍ତିରେ କଂଗ୍ରେସ ପରିବାରର ସଦସ୍ୟ ମନ୍ମଥଙ୍କୁ ଆଣି ଟିକେଟ୍ ଦେଲା ଓ ଶ୍ରୀମୟୀ ଏବେ କେଉଁଠି ଆଦି ଭଳି କର୍ମୀମାନଙ୍କ ପ୍ରଶ୍ନବାଣ ଏବେ ବିଜେଡିର ପ୍ରଚାର ମଇଦାନରେ ମୁଖ୍ୟ ପ୍ରସଙ୍ଗ ପାଲଟିିଥିବା ଜଣାପଡ଼ିଛି। ଦଳ ମନ୍ମଥଙ୍କୁ ଆଣି ଯେଉଁ ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କରିଥିଲା ସୁରଙ୍କ ପାରିବାରିକ ଡ୍ରାମା ଯୋଗୁ ତାହା ସଫଳ ହେଉନଥିବା ରାଜନୀତିକ ମହଲରେ ଚର୍ଚ୍ଚା।

BjD Congress Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe