Advertisment

ଜନତା ଦରବାରରେ ପରୀକ୍ଷା ଦେଉଛନ୍ତି ବାପ-ଝିଅ!

ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ବାପ-ଝିଅ ଯୋଡ଼ି। ଏମିତିକା ବାପ- ଝିଅ ଯୋଡ଼ି ହେଉଛନ୍ତି ନବରଙ୍ଗପୁର କଂଗ୍ରେସର ପୁରୁଖା ନେତା ଭୂଜବଳ ମାଝୀ ଓ ତାଙ୍କ ଡାକ୍ତରୀ ଝିଅ ଲିପିକା ମାଝୀ।

ଅଦ୍ୟତନ ହୋଇଛି
Congress

Congress

Advertisment

ଜନତା ଦରବାରରେ ପରୀକ୍ଷା ଦେଉଛନ୍ତି ବାପ ଓ ଝିଅ! ଆଉ ସେହି ପରୀକ୍ଷାରେ କିଏ ଜିତିବେ ଓ କିଏ ହାରିବେ, ତାହା ସମୟ କହିବ। କିନ୍ତୁ ଉଭୟ ଆଶା ରଖିଛନ୍ତି ଲୋକଙ୍କ ମନ ଜିଣିବେ। ଆଉ ନିର୍ବାଚନରେ ବିଜୟୀ ହେବେ। ଏମିତିକା ବାପା- ଝିଅ ଯୋଡ଼ି ହେଉଛନ୍ତି ନବରଙ୍ଗପୁର କଂଗ୍ରେସର ପୁରୁଖା ନେତା ଭୂଜବଳ ମାଝୀ ଓ ତାଙ୍କ ଡାକ୍ତରୀ ଝିଅ ଲିପିକା ମାଝୀ।

Advertisment

ଆଜି କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ ତାଲିକା। ଏଥିରେ ନବରଙ୍ଗପୁର ଲୋକସଭା ଅସନରୁ ପ୍ରାର୍ଥୀ ହୋଇଛନ୍ତି ଜିଲ୍ଲାର ପୁରୁଖା ନେତା ଭୂଜବଳ ମାଝୀ। ସେ ପୂର୍ବରୁ ଡାବୁଗାଁ ନିର୍ବାଚନମଣ୍ଡଳୀରୁ ତିନି ଥର ବିଧାୟକ ହୋଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ନିଜ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଉଥିଲେ। ମାତ୍ର ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ।

୨୦୨୪ ସାଧାରଣ ନିର୍ବାଚନରେ ଭୂଜବଳ ମାଝୀ କଂଗ୍ରେସରୁ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ପ୍ରଦୀପ ମାଝି ଓ ବିଜେପିର ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ଏଥର କଡ଼ା ଟକ୍କର ହେବ। ସେପଟେ ଦେଖିବାକୁ ଗଲେ ୩ ଜଣ ଯାକ ପ୍ରାର୍ଥୀ କେହି କାହାଠାରୁ କମ୍‌ ନୁହଁନ୍ତି। ପ୍ରଦୀପ ମାଝୀ ଓ ବଳଭଦ୍ର ମାଝୀ ପୂର୍ବରୁ ସାଂସଦ ହୋଇଛନ୍ତି। ଏଥର ଭୂଜବଳ ମାଝୀ ସାଂସଦ ହେବାକୁ ଆଶା ରଖି ମଇଦାନକୁ ଲମ୍ଫ ମାରିଛନ୍ତି। ଆଉ ଆଶା ରଖିଛନ୍ତି ନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ।

Advertisment

କଂଗ୍ରେସ ପକ୍ଷରୁ ନାଁ ଘୋଷଣା ହେବା ପରେ ଭୂଜବଳ ମାଝୀ କହିଛନ୍ତି, ନବରଙ୍ଗପୁର ଜିଲ୍ଲାର ସମସ୍ୟା ନେଇ ଆମେ ନିର୍ବାଚନରେ ଲଢ଼ିବୁ। ଯେଉଁମାନେ ବର୍ତ୍ତମାନ ଲଢ଼ୁଛନ୍ତି, ସେମାନେ ପୂର୍ବରୁ ୫ ବର୍ଷ ଲେଖାଏଁ ସାଂସଦ ହୋଇସାରିଛନ୍ତି। ସେମାନଙ୍କ କାମ ଲୋକମାନେ ଦେଖି ସାରିଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଲୋକମାନେ ପରଖି ସାରିଛନ୍ତି। ସେଥିପାଇଁ ମୁଁ ଆଶା ରଖିଛି ନୂଆ ମୁହଁ ହିସାବରେ ଲୋକମାନେ ମୋତେ ଗ୍ରହଣ କରିବେ। ଆଉ ଆଶୀର୍ବାଦ ଦେବେ। ଭୋଟ୍‌ ପାଇଁ ଲୋକଙ୍କ ପାଖକୁ ଯିବି ବୋଲି ଭୂଜବଳ ମାଝୀ କହିଛନ୍ତି।

ବାପା ଭୂଜବଳ ମାଝୀଙ୍କ ମାର୍ଗ ଦର୍ଶନରେ ଆଗକୁ ବଢ଼ୁଛନ୍ତି ଡାକ୍ତରୀ ପେସା ଛାଡ଼ିଥିବା ଝିଅ ଲିପିକା ମାଝୀ। ସେ ୨୦୨୨ ପଞ୍ଚାୟତ ନିର୍ବାଚନରୁ ରାଜନୀତିରେ ସକ୍ରିୟ ଅଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡ଼ାହାଣ୍ଡି ବ୍ଲକ୍‌ ଜିଲ୍ଲା ପରିଷଦରେ ପ୍ରାର୍ଥୀ ହୋଇଥିଲେ ଲିପିକା। ଆଉ ଲୋକଙ୍କ ମନ ଜାଣିପାରିଥିଲେ। ବର୍ତ୍ତମାନ ସେ ଜିଲ୍ଲା ପରିଷଦ ସଦସ୍ୟା ରହିଛନ୍ତି। ଆଜି ପ୍ରକାଶ ପାଇଥିବା କଂଗ୍ରେସ ତାଲିକାରେ ଡାକ୍ତର ଲିପିକା ମାଝୀଙ୍କ ନାଁ ରହିଛି। ସେ ବାପାଙ୍କ ପାରମ୍ପରିକ ସିଟ୍‌ ଡାବୁଗାଁରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ମନୋହର ରନ୍ଧାରୀ। ଯିଏ ୨୦୧୯ ସାଧାରଣ ନିର୍ବାଚନରେ ବାପା ଭୂଜବଳ ମାଝୀଙ୍କୁ ୭୩୬୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। କହିବାକୁ ଗଲେ ଚଳିତ ନିର୍ବାଚନରେ ପୁରୁଖା ମନୋହରଙ୍କ ସହ ନବାଗତ ଡାକ୍ତର ଲିପିକା ମାଝୀଙ୍କର ହେବ ମୁହାଁମୁହିଁ। ବର୍ତ୍ତମାନ ସୁଦ୍ଧା ଡାବୁଗାଁ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।

ନବରଙ୍ଗପୁର ଲୋକସଭା ଓ ଡାବୁଗାଁ ବିଧାନସଭାରୁ କିଏ ଜିତିବେ? କାହା ମୁଣ୍ଡରେ ସୁନା କଳସୀ ଢ଼ାଳିବେ ନବରଙ୍ଗପୁର ଜନତା ଜନାର୍ଦ୍ଦନ? ନିର୍ବାଚନ ଫଳାଫଳ ପ୍ରକାଶ ପରେ ସବୁକିଛି ଜଣାପଡ଼ିବ। କିନ୍ତୁ ଡାକ୍ତର ଲିପିକା ମାଝୀ କହିଛନ୍ତି, ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବେ ଆଉ ଲୋକଙ୍କ ମନ କିଣିବେ। ବିଜୟୀ ହେବା ପାଇଁ ଲିପିକା ଆଶା ରଖିଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଶୋୟୀ

Congress Odisha Congress Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe