Advertisment

ଭୂପିନ୍ଦରଙ୍କୁ ଉଚିତ୍ ଶିକ୍ଷା: ୫ ବିଧାୟକ ରିପିଟ୍‌, ୨ ବିଧାୟକଙ୍କ ଟିକେଟ୍ କଟିଲା, ଜୟପୁର ଝୁଲିଲା

ଭୂପିନ୍ଦରଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି ଟିକେଟ୍ ନଦେଇ ଦଳଡ଼ିଆଁଙ୍କୁ ଭବିଷ୍ୟତରେ ଏଭଳି ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସଙ୍କେତ ଦେଇଛି ।

ଅଦ୍ୟତନ ହୋଇଛି
Bhupinder and Sambit

Bhupinder and Sambit

Advertisment

ବିଜେଡି ଆଜି ନିଜର ଚତୁର୍ଥ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ଆଉ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ଦଳ ୫ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ୨ ଜଣ ବିଧାୟକଙ୍କ ଟିକେଟ୍ କାଟିଛି। ୨ ଜଣ ମହିଳାଙ୍କୁ ନବାଗତ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି। ଆଜିର ପ୍ରାର୍ଥୀଙ୍କୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୧୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ତତକାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଅପ୍ରତ୍ୟାଶିତ ଢଙ୍ଗରେ ବିଜେଡିରେ ସାମିଲ ହେବାର ଫଳ ଆଜି ତାଙ୍କୁ ଭୋଗିବାକୁ ପଡ଼ିଛି । ବିଜେଡି ତାଙ୍କୁ ସମ୍ପୂର୍ଣ୍ଣ ଅଲୋଡ଼ା କରିଦେଇଛି ଓ ଟିକେଟରୁ ବଂଚିତ କରିଛି ।

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଚତୁର୍ଥ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ରେଢ଼ାଖୋଲ-ରୋହିତ ପୂଜାରୀ, ତାଳଚେର-ବ୍ରଜକିଶୋର ପ୍ରଧାନ, ବାଲିଗୁଡ଼ା-ଚକ୍ରମଣି କହଁର, ଲକ୍ଷ୍ମୀପୁର-ପ୍ରଭୁ ଜାନି ଓ ଭୁବନେଶ୍ୱର ସେଂଟ୍ରାଲ-ଅନନ୍ତ ନାରାୟଣ ଜେନା। ଯେଉଁ ବିଧାୟକଙ୍କ ଟିକେଟ୍ କାଟିଛି ସେମାନେ ହେଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ।ତେବେ ସମ୍ବିତଙ୍କ ପତ୍ନୀ ନବାଗତା ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ପାରାଦୀପରୁ ପ୍ରାର୍ଥୀ କରିଛି । ସେହିପରି ନର୍ଲାରେ ଭୂପିନ୍ଦରଙ୍କ ବଦଳରେ ସେଠାର ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀ ନବାଗତା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

ସେହିପରି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଥିବାବେଳେ ସେଠାରେ ମାଧବ ସର୍ଦ୍ଦାର ଓ ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ସମ୍ବଲପୁରରୁ ଟିକେଟ୍ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ ଓ ସଞ୍ଜୟ ବାବୁ ଆଶାୟୀ ଥିଲେ ।

Advertisment

ସେହିପରି ଭୁବନେଶ୍ୱର-ସେଂଟ୍ରାଲ ଆସନରେ ବିଜେଡିର ଏକ ଗୋଷ୍ଠୀର ପ୍ରବଳ ବିରୋଧ ସତ୍ତ୍ୱେ ଦଳ ଅନନ୍ତ ନାରାୟଣ ଜେନାଙ୍କୁ ପୁଣିଥରେ ଟିକେଟ୍ ଦେଇଛି । କର୍ପୋରେଟର ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟ ଗୋଷ୍ଠୀଙ୍କ ବିରୋଧର ପ୍ରଭାବ ଅନନ୍ତଙ୍କୁ ଟିକେଟ୍ ମିଳିବାକୁ ପ୍ରଭାବିତ କରିପାରି ନାହିଁ ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୧୮ରୁ ଆରମ୍ଭ ହେଉଥିଲେ ମଧ୍ୟ ଦଳ ଜୟପୁର ଓ ଚିତ୍ରକୋଣ୍ଡା ଆସନ ପାଇଁ କାହାରିକୁ ପ୍ରାର୍ଥୀ ଘୋଷଣା କରିନାହିଁ । ସମ୍ଭବତଃ ଦଳ ଏଠାରେ  ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଭିତରି ବୁଝାମଣା ଅବା ତାଙ୍କୁ ଦଳକୁ ଆଣି ଟିକେଟ୍ ଦେବାକୁ କସରତ କରୁଥିବା ଚର୍ଚ୍ଚା ହେଉଛି ।

ଏସବୁ ବ୍ୟତୀତ ବିଜେଡି ବାକିଥିବା ଗୋଟିଏ ଲୋକସଭା ଆସନ ବାଲେଶ୍ୱର ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି । ଲେଖାଶ୍ରୀ ଗତ ସପ୍ତାହରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ।

ଭୂପିନ୍ଦରଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି ଟିକେଟ୍ ନଦେଇ ଦଳଡ଼ିଆଁଙ୍କୁ ଭବିଷ୍ୟତରେ ଏଭଳି ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସଙ୍କେତ ଦେଇଛି ।

BjD Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe