Advertisment

Politics: ରୁଷିଛନ୍ତି କି ବିଭୂତି

ବହୁବାର ପରାଜୟ ପରେ ୨୦୨୪ରେ ଗୋପାଳପୁର ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ଜିତିଥିଲେ ବିଭୂତି ଜେନା। ବିଜେପି ପ୍ରତି ତାଙ୍କ ଅବଦାନକୁ ଠିକ ବୁଝିଥିଲା ଦଳ। ଜିତୁ ଜିତୁ ବିଭୂତିଙ୍କୁ ମନ୍ତ୍ରୀ ପଦ ମିଳିଗଲା। ବିଭୂତିଙ୍କୁ ଦଳ ଖଣି ଓ ସଡ଼କ ପରିବହନ ମନ୍ତ୍ରୀ କଲା

author-image
OR Desk
Bibhuti

ବହୁବାର ପରାଜୟ ପରେ ୨୦୨୪ରେ ଗୋପାଳପୁର ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ଜିତିଥିଲେ ବିଭୂତି ଜେନା। ବିଜେପି ପ୍ରତି ତାଙ୍କ ଅବଦାନକୁ ଠିକ ବୁଝିଥିଲା ଦଳ। ଜିତୁ ଜିତୁ ବିଭୂତିଙ୍କୁ ମନ୍ତ୍ରୀ ପଦ ମିଳିଗଲା। ବିଭୂତିଙ୍କୁ ଦଳ ଖଣି ଓ ସଡ଼କ ପରିବହନ ମନ୍ତ୍ରୀ କଲା । ବାଲି ମାଫିଆଙ୍କୁ ସାବାଡ଼ କରିବା ହେଉ ଅବା ଚୋରା ଖଣି କାରବାରକୁ ରୋକିବା, ମନ୍ତ୍ରୀ ଭାବେ ବିଭୂତିଙ୍କ କାମ ବେଶ ପ୍ରଶଂସନୀୟ। ହେଲେ ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଭାବେ ବିଭୂତି ବେଶ ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ଗଣମାଧ୍ୟମକୁ କହିଲେ ଯେ ଯାହାର ପିୟୁସିସି ନାହିଁ ସେମାନଙ୍କୁ ଆଉ ତେଲ ମିଳିବନି। ଏହାପରେ ଲୋକଙ୍କ ଚାପ ବଢିଲା, ମନ୍ତ୍ରୀ ଏହାର ତାରିଖ ଘୁଞ୍ଚାଇ ଚାଲିଲେ। ଶେଷରେ କୋର୍ଟରେ ତାଙ୍କ ବିଭାଗ କହିଲା ଯେ, ପିୟୁସିସି ନଥିଲେ ବି ତେଲ ମିଳିବ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଲା। ଏହାରି ମଧ୍ୟରେ ଆସିଛି ମନ୍ତ୍ରୀଙ୍କ ଏକ ବଡ଼ ବୟାନ। ନିର୍ବାଚନ ଲଢିବାକୁ ଆଉ ଇଚ୍ଛା ନାହିଁ ବୋଲି କହିଛନ୍ତି ବିଭୂତି। ଆସନ୍ତା ବର୍ଷ ତାଙ୍କୁ ୬୦ ବର୍ଷ ହେବ। ଏବେ ଦଳରେ ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । ତେଣୁ ଯୁବକମାନେ ଆଗକୁ ଆସିବା ଦରକାର ବୋଲି ବିଭୂତି କହିଛନ୍ତି।

Advertisment

ଶନିବାର ଗଂଜାମ ଜିଲ୍ଲା ବିଜେପି ସଙ୍ଗଠନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ୱରରେ । ଗଂଜାମ ଜିଲ୍ଲା ବିଜେପି ପ୍ରଭାରୀ ଶାରଦା ଶତପଥୀଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ବ୍ରହ୍ମପୁର ଲୋକସଭା ଏବଂ ଆସିକା ଲୋକସଭାର ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଉପସ୍ଥିତ ଥିଲେ ବ୍ରହ୍ମପୁର ଏବଂ ଆସିକା ସାଂସଦଙ୍କ ସମେତ ସବୁ ବିଧାୟକ। ଦଳ ଭିତରେ ଥିବା ଆପୋଷ ମନୋମାଳିନ୍ୟକୁ ଦୂର କରି ସଙ୍ଗଠନ କେମିତି ଆଗକୁ ବଢିବ ସେ ନେଇ ଚର୍ଚ୍ଚା ହୋଇଥିଲା। ବର୍ଷେ ପରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ସମସ୍ତେ ଏକ ହୋଇ କାମ କଲେ ହିଁ ଦଳକୁ ସଫଳତା ମିଳିପାରିବ ବୋଲି ମତ ପ୍ରକାଶ ପାଇଥିଲା।

ଦଳରେ ମନ୍ତ୍ରୀ ବିଭୂତି ଜେନା ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କିଛି ମଞ୍ଚରେ ଉଭୟଙ୍କୁ ଦେଖିବାକୁ ମିଳୁଥିବା ବେଳେ ଅନେକ ମଞ୍ଚରେ ଏକତ୍ରିତ ଦେଖିବାକୁ ମିଳୁନି। ତେବେ ଶନିବାର ବୈଠକରୁ ବାହାରିବା ପରେ ବିଭୂତି କହିଥିଲେ ଯେ ଏଥର ସଙ୍ଗଠନ ଉପରେ ଅଧିକ ଫୋକସ ଦେବେ, ଆଉ ନିର୍ବାଚନ ଲଢିବେନି।

Advertisment

ଆଗରୁ ମଧ୍ୟ ଅନେକ ଥର ବିଭୁତି ନିର୍ବାଚନ ନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ଦଳ ତାଙ୍କୁ ଗୋପାଳପୁର ଆସନରୁ ଟିକେଟ ଦେଇଛି। ଗୋପାଳପୁରରେ ବିଭୂତିଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ବିଜେପିରେ ଯୋଗ ଦେଇଥିଲେ। ପ୍ରଦୀପ ଏବଂ ବିଭୂତି ଏକ ହୋଇଗଲେ ଆଉ ଦଳର ଗୋପାଳପୁରରେ ସହଜ ବିଜୟ ହେଲା। ପ୍ରଦୀପ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହେଲେ ଆଉ ବିଭୂତି ବିଧାୟକ ହୋଇ ମନ୍ତ୍ରୀ ହେଲେ।

ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ