Advertisment

ବିଜେଡିକୁ ‘ମନ୍ମଥ’ କଣ୍ଟା: ବିଭୂତିଙ୍କ ନିଦ ହଜିଲା, ୪୮ଘଣ୍ଟା ବି ରହିଲାନି ଖୁସି

‘ମନ୍ମଥ’ଙ୍କୁ ଦଳୀୟ ଟିକେଟ୍ ଦେଇ ବିଜେଡି ଯେଉଁ ମାଷ୍ଟରଷ୍ଟ୍ରୋକ ମାରିବ ବୋଲି ଆଶା ରଖିଥିଲା ତାହା ଏବେ ବୁମେରାଂ ହୋଇଛି।

Bibhuti Bhusan Balabantaray

Bibhuti Bhusan Balabantaray

Advertisment

କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଦଳରେ ମିଶାଇବାର ମାତ୍ର ୩ଘଣ୍ଟା ମଧ୍ୟରେ ଟିକେଟ୍ ଦେବାର ଫଳ ଏବେ ବିଜେଡିକୁ ମହଙ୍ଗା ପଡ଼ିଛି । ଭୋଟ ପୂର୍ବରୁ ହିଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ନିଜର ଦୟନୀୟ ସ୍ଥିତି ଦେଖିବାକୁ ଯାଉଛି। ଆଉ ‘ମନ୍ମଥ’ଙ୍କୁ ଦଳୀୟ ଟିକେଟ୍ ଦେଇ ବିଜେଡି ଯେଉଁ ମାଷ୍ଟରଷ୍ଟ୍ରୋକ ମାରିବ ବୋଲି ଆଶା ରଖିଥିଲା ତାହା ଏବେ ବୁମେରାଂ ହୋଇଛି।

Advertisment

ମନ୍ମଥଙ୍କ ମିଶିବା ପରେ ଜଟଣୀରୁ ଜିତିବାକୁ ନେଇ ନିଶ୍ଚିତ ଥିବା ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଖୁସି ବି ବେଶୀ ସମୟ ରହିଲାନି । ବିଧାୟକ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଜଟଣୀ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବା ପରେ ବିଜେଡିର ସବୁ ଅଙ୍କ ଏପଟସେପଟ ହୋଇଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ କହିଛନ୍ତି ଯେ, ସେ ନୀତିଆଦର୍ଶଯୁକ୍ତ ରାଜନୀତି ଓ ଲୋକଙ୍କ ସେବାରେ ବିଶ୍ୱାସ କରନ୍ତି । ସେ ନିମାପଡ଼ାରେ କଂଗ୍ରେସ ପ୍ରାର୍ଥୀ ଭାବେ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଜଟଣୀ ହେଉଛି ଆମ ଘର, ଆଗ ଘରକୁ ବଂଚାଇବାକୁ ପଡ଼ିବ । ଏବେ ନିମାପଡ଼ାକୁ ଯାଇ ଲଢ଼ିଲେ କ’ଣ ହେବ । ଯେଉଁ ବିଜେଡିକୁ ହରାଇବାକୁ ପ୍ରୟାସ କରି ହରାଇଲୁ, ସେହି ଜଟଣୀବାସୀଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ନିଷ୍ପତ୍ତି ନେଇଛି । ଜଟଣୀ ମାଫିଆଙ୍କ ହାତକୁ ନଯାଉ ବୋଲି ଆମେ ବିଜେଡିକୁ ହରାଇଥିଲୁ।

Advertisment

ତେଣୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଟଣୀରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଟିକେଟ୍ ଦେଲେ ବି ନେବିନି । ଜଟଣୀବାସୀଙ୍କ ସହ କିଛି ଅନ୍ୟାୟ ହେଉ ବୋଲି ଚାହୁଁନି । ଜଟଣୀ ସହ ଯେଉଁ ଅଧର୍ମ ହେଉଛି ଓ ହେବ ତାକୁ ବନ୍ଦ କରିବାକୁ ଚାହୁଁଛି । ବିଜେଡିର ବହୁତ ପଇସା ଅଛି, ବହୁତ ନେତା ଅଛନ୍ତି । ବାପା ସୁର ରାଉତରାୟ ବି ଅଛନ୍ତି । ସେ ସମସ୍ତଙ୍କୁ ନେଇ ଜିତୁ । କିନ୍ତୁ ଜଟଣୀ ସହ ହାତ ମାରନି । ଆମେରିକା ଛାଡ଼ି ଆସିଛି ମାନେ ଲଢ଼ିକି ଯିବି । ସ୍ୱାଧୀନରୁ ଆରମ୍ଭ କରିବି । ନୂଆ ଦଳ ‘କଳିଙ୍ଗ ପ୍ରୋଗ୍ରେସିଭ୍ ପାର୍ଟି’ ପାଇଁ ଅନୁମତି ମାଗିଛି। ଯଦି ଚିହ୍ନ ମିଳେ ତା’ହେଲେ ନିଜ ଦଳରୁ ଲଢ଼ିବି । ବହୁତ ଦୁର୍ନୀତି ହେଲା, ଅନ୍ୟାୟ ହେଲା । ପାଇକପୁଅମାନେ ଏକଜୁଟ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି।

ସିଦ୍ଧାର୍ଥଙ୍କ ଏହି ବୟାନ ପରେ ଜଟଣୀ ବିଧାନସଭା ମଣ୍ଡଳୀ ରାଜନୀତି ଅଙ୍କ ଏଏପଟସେପଟ ହେବାର ଆଶଙ୍କା ଦେଖାଦେଲାଣି । ଗତ ବିଧାନସଭା ନିର୍ବାଚନରେ ଜଟଣୀ ଆସନରୁ ସିଦ୍ଧାର୍ଥଙ୍କ ପିତା ସୁରଙ୍କଠୁ ୭୫୩୯ଖଣ୍ଡ ଭୋଟ୍ ବ୍ୟବଧାନରେ ବିଭୂତି ପରାଜିତ ହୋଇଥିଲେ । ଏପରିକି ବିଭୂତି ନିଜ ଦଳର କର୍ମୀମାନଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିନଥିଲେ । ଏବେ ଅନୁରୂପ ସ୍ଥିତି ବିଭୂତିଙ୍କର ଥିବାବେଳେ ସୁରଙ୍କ ପୁଅ ‘ମନ୍ମଥ’ ବିଜେଡିର ଲୋକସଭା ପ୍ରାର୍ଥୀ ହେବାପରେ ଜିତିବାକୁ ନେଇ ବିଭୂତି ଉତ୍ସାହିତ ଥିଲେ।

ମାତ୍ର ତାଙ୍କ ଖୁସି ବେଶୀ ସମୟ ରହିନି । ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଛିଡ଼ାହେଲେ ସୁରଙ୍କ ସହ ଥିବା ଭୋଟବ୍ୟାଙ୍କ ସିଦ୍ଧାର୍ଥଙ୍କ ସପକ୍ଷରେ ଆସିବା ସହ ଅସନ୍ତୁଷ୍ଟ ବିଜେଡି(ବିଭୂତି ବିରୋଧୀ ଓ ମନ୍ମଥ ବିରୋଧୀ) ଭୋଟ୍ ମଧ୍ୟ ତାଙ୍କ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଭୂତିଙ୍କ ଜିତିବା ମାର୍ଗରେ ସେ କଣ୍ଟା ହେବେ, ଯାହାର ସିଧାସଳଖ ଫାଇଦା ବିଜେପି ପ୍ରାର୍ଥୀଙ୍କୁ ମିଳିବ ବୋଲି ଆକଳନ କରାଯାଉଛି । ତେଣୁ ନିଜର ସଂଗଠନକୁ ନେଇ ବ୍ୟାକଫୁଟରେ ଥିବା ବିଭୂତି ଏବେ ଚିନ୍ତାରେ ପଡ଼ିଛନ୍ତି । ଏପରିକି ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ବ୍ଲକର ୫ଟି ପଂଚାୟତରେ ବିଭୂତିଙ୍କର ସଂଗଠନ ବିଲକୁଲ୍ ନାହିଁ କହିଲେ ଚଳେ ଓ ସେ ସୁରଙ୍କ କାନ୍ଧରେ ଲାଉ ହୋଇ ନିର୍ବାଚନ ଜିତିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ ଧୂଳିସାତ ହେବାକୁ ବସିଥିବା ଜଣାପଡ଼ିଛି।

ଆଉ ‘ମନ୍ମଥ’ଙ୍କୁ ଦଳରେ ମିଶାଇ ସଙ୍ଗେସଙ୍ଗେ ଟିକେଟ୍ ଧରାଇଥିବା ବିଜେଡି  ନେତୃତ୍ୱ ଏବେ ହରଡ଼ଘଣାରେ ପଡ଼ିଛନ୍ତି । ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ଆଗରୁ ସଂସଦୀୟ କ୍ଷେତ୍ରରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ବୁଲାଇ ଲୋକ ଓ କର୍ମୀଙ୍କ ସହ ପରିଚିତ କରାଇଥିବା ବିଜେଡିର ବିଧାୟକ ଓ ସମ୍ଭାବ୍ୟ ପ୍ରାର୍ଥୀମାନେ ଏବେ ‘ମନ୍ମଥ’ଙ୍କୁ ଧରି କିଭଳି ଲୋକଙ୍କ ପାଖକୁ ଯିବେ ସେ ନେଇ ଅଡ଼ୁଆରେ ପଡ଼ିଥିବାବେଳେ ସିଦ୍ଧାର୍ଥଙ୍କ ପ୍ରାର୍ଥୀ ହେବାର ଘୋଷଣା ବିଜେଡିକୁ ଚିନ୍ତାରେ ପକାଇଛି । ଦଳର ଅବସ୍ଥା ଏଭଳି ହୋଇଛି ଯେ,‘ମନ୍ମଥ’ଙ୍କୁ ନେଇ ତରବରିଆ ନିଷ୍ପତ୍ତି ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ବିଜେଡି ‘ମନ୍ମଥ’ କଣ୍ଟାକୁ ଏବେ ଢ଼ୋକିପାରୁନି କିମ୍ବା କାଢ଼ି ବି ପାରୁନି ବୋଲି ଚର୍ଚ୍ଚା ।

Bibhuti Bhusan Balabantaray Bjp BjD Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe