Biden
ଭାରତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ହ୍ୟାଲୋ ଦିଲ୍ଲୀ’ ବୋଲି ପୋଷ୍ଟ କରିଛନ୍ତି। ଏଥିସହ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସି ଖୁବ୍ ଭଲ ଲାଗୁଥିବା ଉଲ୍ଲେଖ କରିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଆଉ ଏକ ପୋଷ୍ଟ କରିଛନ୍ତି ବାଇଡେନ୍। ମୋଦିଙ୍କୁ ଭେଟିବା ପରେ ବାଇଡେନ୍ ଏହି ପୋଷ୍ଟ କରିଛନ୍ତି। ମୋଦିଙ୍କୁ ଦେଖି ସେ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି। ଏଥିସହ ଆମେରିକା-ଭାରତ ସଂପର୍କ ପୂର୍ବ ଅପେକ୍ଷା ଅଧିକ ମଜଭୁତ ଏବଂ ଗତିଶୀଳ ହେବା ନେଇ ଜି- ୨୦ ସମ୍ମିଳନୀ ଅବସରରେ ଆମେ ସୁନିଶ୍ଚିତ କରିବା ବୋଲି ବାଇଡେନ୍ ଲେଖିଛନ୍ତି।
ଗତକାଲି ସନ୍ଧ୍ୟା ୭ଟାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଥିବା ବେଳେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ବାଇଡେନ ସିଧା ନିଜ ହୋଟେଲ ମୌର୍ଯ୍ୟ ଶେରାଟନକୁ ଯାଇଥିଲେ । ସେଠାରୁ ସେ ୭ - ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।
ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତାଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଛି। ଏହା ସହିତ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ଦାବିକୁ ସମର୍ଥନ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଜେନ। ଏହା ସହିତ ୨୦୨୮-୨୯ରେ ଅସ୍ଥାୟୀ ପଦ ପାଇଁ ମଧ୍ୟ ସେ ଭାରତକୁ ସମର୍ଥନ କରିଛନ୍ତି।
ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନଟ୍ଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବ୍ରିଟେନ୍, ଜାପାନ, ଜର୍ମାନୀ, ଇଟାଲୀର ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି। ଆସନ୍ତାକାଲି ଫ୍ରାନ୍ସ, କାନାଡା, ୟୁଏଇ, ଦକ୍ଷିଣ କୋରିଆ, ବ୍ରାଜିଲ୍ ରାଷ୍ଟ୍ରମୁଖ୍ୟଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା ।
ସେପଟେ ଆଜି ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଦିଲ୍ଲୀ ଆସିଥିବା ସମସ୍ତ ରାଷ୍ଟ୍ରମୁଖ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us