ORHDC ଦୁର୍ନୀତି ମାମଲା; ମୋକିମଙ୍କୁ ଲାଗିଲା ହାଇକୋର୍ଟ ଝଟ୍‌କା

ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଛନ୍ତି ହାଇକୋର୍ଟ ।  

ମହମ୍ମଦ ମୋକିମ ।

  • Published: Wednesday, 10 April 2024
  • , Updated: 10 April 2024, 12:30 PM IST

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟ୍‌କା । (ORHDC) ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଛନ୍ତି ହାଇକୋର୍ଟ ।  

ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସେମାନଙ୍କୁ ଜେଲ୍‌ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।

ଏହି ମାମଲାରେ ତଳ କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯିବା ନିମନ୍ତ ମୋକିମ କହିଥିବା ବେଳେ ଆଜି ତାଙ୍କୁ ଶକ୍ତ ଝଟକା ଲାଗିଛି।

କ’ଣ ଏହି ORHDC ଦୁର୍ନୀତି ମାମଲା 

୨୦୦୦ ମସିହା ଜାନୁଆରୀ ୪ ତାରିଖରୁ ୨୦୦୧ ମସିହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ। ସେହି ସମୟରେ ସ୍ୱସ୍ତି ରଞ୍ଜନ ମହାପାତ୍ର ORHDCର କମ୍ପାନୀ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ ORHDCରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲା। ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ କଂପାନୀ ପକ୍ଷରୁ ଋଣ ଆବେଦନ କରାଯାଇଥିଲା। ବିନୋଦ କୁମାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଋଣ ଆବେଦନ ଦରଖାସ୍ତକୁ ଯାଞ୍ଚ କରି ପୂରା ପ୍ରକ୍ରିୟା ସଂପାଦନ କରିଥିଲେ। ପରେ ଏହାକୁ ଅନୁମୋଦନ କରିବାକୁ ସେ ବିନୋଦ କୁମାରଙ୍କ ପାଖକୁ ପଠାଇଥିଲେ। ୧୫୦ ଲକ୍ଷର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ଏବଂ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ତିନିଟି କିସ୍ତିରେ ୨୦୦୦ ଜୁଲାଇ ୬ ତାରିଖରୁ ୨୦୦୦ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା।

ପ୍ରଥମ କିସ୍ତିରେ ୧୦୦ ଲକ୍ଷ ଟଙ୍କା, ଦ୍ୱିତୀୟ କିସ୍ତିରେ ୩୦ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଲୋନ୍ ଏଗ୍ରିମେଣ୍ଟ ଓ ଏ ସଂପର୍କିତ ଅନ୍ୟାନ୍ୟ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଦସ୍ତଖତ କରିଥିଲେ। ତେବେ ଋଣ ନ ସୁଝିବା ଯୋଗୁ ୩୧ ଜୁଲାଇ ୨୦୦୭ ସୁଦ୍ଧା ମେଟ୍ରୋ ବିଲ୍ଡର ଉପରେ ୬କୋଟିରୁ ଅଧିକ ଟଙ୍କା ପେଣ୍ଡିଂ ରହିଥିଲା। ଫଳରେ ସରକାରଙ୍କ ଆର୍ଥିକ କ୍ଷତି ହୋଇଥିଲା।

ଅନ୍ୟପକ୍ଷରେ ORHDCର ପରିଚାଳନା ନିର୍ଦ୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍‌ରେ ଦସ୍ତଖତ କରିବାର କ୍ଷମତା ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା। ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏମିତି କିଛି କ୍ଷମତା ଦିଆଯାଇ ନଥିଲା। ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନ ମହାପାତ୍ର ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର୍ଯ୍ୟ କରିଥିଲେ।

ମେଟ୍ରୋ ବିଲଡର୍ସର ଋଣ ଆବେଦନକୁ ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ନିକଟରେ ଉପସ୍ଥାପନ କରାଯାଇନଥିଲା। ସେହିପରି ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା। ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍‌, ଅଗ୍ନିନିରାପତ୍ତା ପ୍ରମାଣପତ୍ର ଓ ଏଭଳି ଅନେକ ଡକ୍ୟୁମେଣ୍ଟକୁ ଠିକ୍ ଭାବେ ଯାଞ୍ଚ କରାଯାଇନଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ କରାଯାଇଥିବା ଏସବୁ ଡକ୍ୟୁମେଣ୍ଟ ନକଲି ଥିଲା। ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ଋଣ ଦିଆଯାଇଥିଲା।

ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ। ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଯେଉଁ ତଥ୍ୟ ପ୍ରମାଣ ଦିଆଯାଇଥିଲା, ତାହା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବୋଲି ଶୁଣାଣି ବେଳେ କୁହାଯାଇଥିଲା। 

Related story