Advertisment

ବଲାଙ୍ଗିରରେ ହେବ ବିଗ୍‌ ଫାଇଟ୍‌, କିଏ ମାରିବ ବାଜି?

ଗତ ୨୦୧୯ ମସିହାରୁ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବେଳେ ଏଥର ନିର୍ବାଚନ ରାଜନୀତିରୁ ଅବସର ନେଇଛନ୍ତି କଂଗ୍ରେସ ଭେଟେରାନ ନରସିଂହ ମିଶ୍ର ।

ଅଦ୍ୟତନ ହୋଇଛି
Bolangiri

Bolangiri

Advertisment

ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀ। ଏହା ରାଜ୍ୟ ବିଧାନସଭାରେ ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର। ଏହି ଆସନରୁ ନିର୍ବାଚିତ ବିଧାୟକ ଅଧିକାଂଶ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କିମ୍ବା ବିରୋଧି ଦଳର ନେତା ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

Advertisment

ଏଠି ନିର୍ବାଚନରେ ଦେଖିବାକୁ ମିଳେ ସିଂହ ଲଢେଇ। ପ୍ରତି ନିର୍ବାଚନ ବେଳେ ଏଠାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନରସିଂହ ମିଶ୍ର ଓ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଭିତରେ ଜୋରଦାର ହୁଏ ଲଢେଇ।

୨୫ ବର୍ଷ ଧରି ଏକ ପାଖିଆ ନିର୍ବାଚନ ଜିଣି ରାଜ୍ୟ ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ବିଜେଡିର ଭେଟେରାନ ନେତା ଅନଙ୍ଗ ଉଦୟ ସିଂହଦେଓ। ହେଲେ ୨୦୧୪ ମସିହାରେ ଫଳ ହୋଇଥିଲା ଓଲଟା, ଆଉ ବାଜି ମାରିନେଇଥିଲେ କଂଗ୍ରେସର ଭେଟେରାନ ନେତା ନରସିଂହ ମିଶ୍ର। ଏହାପରେ ସେ ବିରୋଧି ଦଳର ନେତା ହୋଇଥିଲେ। ୨୦୧୯ରେ ବି ନିଜ ବିଜୟ ଧାରାକୁ ରିପିଟ କରିଥିଲେ ନରସିଂହ। ଆଉ କଂଗ୍ରେସ ବିଧାୟକ ଦଳର ନେତା ଭାବେ ଆସୀନ ହୋଇଥିଲେ।

Advertisment

ଗତ ୨୦୧୯ ମସିହାରୁ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବେଳେ ଏଥର ନିର୍ବାଚନ ରାଜନୀତିରୁ ଅବସର ନେଇଛନ୍ତି କଂଗ୍ରେସ ଭେଟେରାନ ନରସିଂହ ମିଶ୍ର। ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଥର ମଇଦାନରେ ମୁହାଁମୁହିଁ ହେଉ ନ ଥିବା ବେଳେ ଲଢ଼େଇ କିନ୍ତୁ ସେମାନଙ୍କ ଦାୟାଦଙ୍କ ମଧ୍ୟରେ ହେବ।

କଂଗ୍ରେସରୁ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥି ହୋଇଥିବା ବେଳେ ବିଜେଡିରୁ ଅନଙ୍ଗ ନନ୍ଦନ କଳିକେଶ ସିଂହଦେଓ ପ୍ରାର୍ଥି ହୋଇଛନ୍ତି। ହେଲେ ବିଜେପି ଗତଥର ଭଳି ଏଥର ବି ନୂଆ ଚେହେରାକୁ ସାମ୍ନାକୁ ଆଣିଛି। ସହରର ଜଣାଶୁଣା ସଂଗଠକ ଗୋପାଳଜୀ ପାଣିଗ୍ରାହୀ ଏଥର ବଲାଙ୍ଗିର ସଦର ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥି।

ମଇଦାନକୁ ଓହ୍ଲାଇଥିବା ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ଦଳର ସଚ୍ଚୋଟ କର୍ମୀ ହିସାବରେ ବଲାଙ୍ଗିର ଜିଲ୍ଲା ପାଇଁ କାମ କରିବି। ପଶ୍ଚିମ ଓଡ଼ିଶାବାସୀ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଜିତାଇବେ ବୋଲି ବିଶ୍ୱାସ ରହିଛି। ନବୀନ ପଟ୍ଟନାୟକଙ୍କ ସରକାରର ଯୋଜନା ଚାଷୀ, ଦୁଃଖି, ମହିଳାଙ୍କୁ ସହଯୋଗ କରି ଆସିଛି। ତେଣୁ ବଲାଙ୍ଗୀରର ସମସ୍ତ ବିଜେଡି ବିଧାୟକ ଓ ସାଂସଦ ନିଶ୍ଚିତ ଜିତିବେ ବୋଲି ବିଶ୍ୱାସ ରହିଛି।

ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର କହିଛନ୍ତି, ବଲାଙ୍ଗିର ବିକାଶ ପାଇଁ ଗତ ୧୦ ବର୍ଷ ହେଲା ଯାହା କରିବା କଥା ଯଥା ସମ୍ଭବ କରାଯାଉଛି। ବିଭିନ୍ନ ଦଳ ନିଜ ହିସାବରେ ପ୍ରାର୍ଥୀ ଚୟନ କରିବେ। ମାତ୍ର ଲୋକ ସମର୍ଥନ ଆମ ସପକ୍ଷରେ ରହିଛି।

ଏଥର ନୂଆ କରି ମଇଦାକୁ ଓହ୍ଲାଇଥିବା ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ମୁଁ ବିରୋଧ କରେନି। ହେଲେ ବ୍ୟକ୍ତିର କାର୍ଯ୍ୟକଳାପକୁ ବିରୋଧ କରେ । ଯାହା ବିକାଶ କରିବା କଥା ସେମାନେ କରି ନାହାନ୍ତି। ଗତ ୧୦ ବର୍ଷ ହେଲାଣି ଲୋକେ ତାଙ୍କୁ ରିଜେକ୍ଟ କରି ସାରିଲେଣି। ବଲାଙ୍ଗିର ତାଙ୍କୁ ପୂର୍ବରୁ ବହୁ ସୁଯୋଗ ଦେଇଛି। କିନ୍ତୁ ସେଭଳି ଆଖିଦୃଶିଆ ବିକାଶ ହୋଇ ପାରିନି। ତେଣୁ ଲୋକେ ସାଧାରଣ ପରିବାର ଲୋକଙ୍କୁ ଚୟନ କରିବାକୁ ସ୍ଥିର କରିଛନ୍ତି।

ଏଥର ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଗଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଲାଣି। କାରଣ ଏହି ତ୍ରିମୁଖି ଲଢେଇରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କ ଆଖି।

ରିପୋର୍ଟ - ବଲାଙ୍ଗିରରୁ ମନୋରଞ୍ଜନ ଯୋଶୀ ଓ ଘଟେଶ୍ୱର ମିଶ୍ର

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe