BJP
ମଧ୍ୟପ୍ରଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କ୍ଷମତାସୀନ ବିଜେପି ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି। ଆଜି ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରରେ ଭିତ୍ତିଭୂମି ବିକାଶ ଓ ଚାଷୀଙ୍କୁ ଫୋକସ କରାଯାଇଛି।
ଯଦି ଦଳ ପୁଣି ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଭିତ୍ତିଭୂମିର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ। ସେହିପରି ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।
ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ସବୁ ରାଜନୀତିକ ଦଳ ଭୋଟରମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହିକ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦଳର ପ୍ରତିଶ୍ରୁତି ପତ୍ର ଜାରି କରିଛନ୍ତି।
ଶିବରାଜ କହିଛନ୍ତି, “ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟୀ। ଏହି ଇସ୍ତାହାର ହେଉଛି ମଧ୍ୟପ୍ରଦେଶର ବିକାଶ ପାଇଁ ଆମେ କରିଥିବା ରୋଡ ମ୍ୟାପ୍। ରାଜ୍ୟବାସୀଙ୍କ କଲ୍ୟାଣକୁ ଆମେ ଫୋକସ କରିଛୁ। ଆମେ ଯାହା ଭାବୁଛୁ ଓ କହୁଛୁ, ତା’କୁ ପୂରଣ କରିବା ପାଇଁ ଚେଷ୍ଟା କରିବୁ।”
ବିଜେପି ପ୍ରତିଶ୍ରୁତି ଦେଇଛି ଯେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଠାରୁ ଗହମ କ୍ୱିଣ୍ଟାଲ ପିଛା ୨୭ ଶହ ଟଙ୍କା ଓ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବ। ଗରିବ ପରିବାରର ଝିଅମାନଙ୍କୁ ସରକାର ଗ୍ରାଜୁଏସନ ଶେଷ ହେବା ଯାଏ ମାଗଣାରେ ପାଠପଢ଼ା ସୁବିଧା ଯୋଗାଇ ଦେବେ।
ବିଜେପି କ୍ଷମତାରେ ରହିଲେ ଆଇଆଇଟି ଢାଞ୍ଚାରେ ବୈଷୟିକ ଅନୁଷ୍ଠାନ ସ୍ଥାପନ କରିବ। ଏମ୍ସ ଭଳି ମେଡିକାଲ ସଂସ୍ଥା ରାଜ୍ୟରେ ଖୋଲିବ। ରାଜ୍ୟରେ ୬ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ ଓ ଆଦିବାସୀ ସଂପ୍ରଦାୟଙ୍କ ସଶକ୍ତୀକରଣ ପାଇଁ ୩ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହେବ ବୋଲି କହିଛି।
ବିଜେପି ଏକମାତ୍ର ରାଜନୀତିକ ଦଳ ଯିଏ ତା’ର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ପୂରଣ କରିଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1699704575.jpg)