Advertisment

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ; ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନୀତୀଶ

କର୍ପୂରୀଙ୍କ ଜନ୍ମ ବାର୍ଷିକୀରେ ଜେଡି(ୟୁ) ଦ୍ୱାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସରକାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
PM Modi & Nitish Kumr

PM Modi & Nitish Kumr

Advertisment

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। କାରଣ ମେଣ୍ଟ ଦଳରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରର ବିଜେପି ସରକାରଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଏଥିସହ କଂଗ୍ରେସକୁ ଟାର୍ଗେଟ କରିବା ସହ ବଂଶବାଦୀ ରାଜନୀତିକୁ ଆକ୍ଷେପ କରିଛନ୍ତି।

Advertisment

ଗତକାଲି କର୍ପୂରୀ ଠାକୁରଙ୍କର ଜନ୍ମବାର୍ଷିକୀ ଥିଲା। ଏହାର ଠିକ୍ ପୂର୍ବଦିନ ସନ୍ଧ୍ୟାରେ କର୍ପୂରୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହାପରେ ବଦଳିଯାଇଛି ରାଜନୈତିକ ପାଣିପାଗ। କର୍ପୂରୀଙ୍କ ଜନ୍ମ ବାର୍ଷିକୀରେ ଜେଡି(ୟୁ) ଦ୍ୱାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସରକାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ନୀତୀଶ କହିଛନ୍ତି, "୨୦୦୫ ମସିହାରେ ବିହାରରେ କ୍ଷମତାକୁ ଆସିବା ପରଠାରୁ ୨୦୨୩ ପର୍ଯ୍ୟନ୍ତ ମୁଁ କର୍ପୂରୀଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସିଛି। ପରିଶେଷରେ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମୋ ଦାବି ପୂରଣ କରିଛନ୍ତି, ଯାହା ପାଇଁ ମୁଁ ଉଭୟ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି।" 

Advertisment

"ମୋତେ ରାମନାଥ ଠାକୁର (କର୍ପୁରୀଙ୍କ ପୁଅ ତଥା ସାଂସଦ) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ କଲ୍ କରିଥିଲେ। ପ୍ରଧାନମନ୍ତ୍ରୀ କିନ୍ତୁ ମୋତେ କଲ୍ କରିନାହାନ୍ତି। ତଥାପି ମିଡିଆ ମାଧ୍ୟମରେ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ତାଙ୍କୁ କହିବାକୁ ଚାହେଁ କି, 'ଆମେ କ’ଣ କରିଛୁ ତାକୁ ଧ୍ୟାନ ନ ଦେଇ ସେ(ପ୍ରଧାନମନ୍ତ୍ରୀ) କ୍ରେଡିଟ୍ ନେଇପାରନ୍ତି।"

ବଂଶଗତ ରାଜନୀତିକୁ ମଧ୍ୟ ଆକ୍ଷେପ କରିଛନ୍ତି ନୀତୀଶ। ସେ କହିଛନ୍ତି, ବର୍ତ୍ତମାନର ଅନେକ ନେତା ବଂଶଗତ ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି। ତାଙ୍କ ପରିବାରର ଲୋକ କିପରି ରାଜନୀତିରେ ରହିବେ, ସେଥିପାଇଁ ଅଧିକ ଧ୍ୟାନ ଦେଉଛନ୍ତି। ମୁଁ କର୍ପୂରୀଙ୍କଠାରୁ ପ୍ରେରିତ ହୋଇ ବଂଶଗତ ରାଜନୀତିଠୁ ଦୂରେଇ ରହିଛି। ମୁଁ ମୋ ନିଜ ପରିବାରକୁ କେବେ ପ୍ରୋତ୍ସାହିତ କରି ନାହିଁ, ବରଂ ଦଳର ଅନ୍ୟମାନଙ୍କୁ ଆଗକୁ ଯିବାରେ ସମର୍ଥନ କରିଛି। ସମାଜସେବୀ ନେତା କର୍ପୂରୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ରାମନାଥ ଠାକୁରଙ୍କୁ ସମର୍ଥନ କରିଆସିଛି ବୋଲି ନୀତୀଶ କହିଛନ୍ତି।

ସବୁଠୁ ବଡ଼ କଥା ହେଉଛି କି, ଆରଜେଡି ଏବଂ ଜେଡିୟୁ ମିଳିତ ଭାବେ ବିହାରରେ ସରକାରରେ ଥାଇ ମଧ୍ୟ ଅଲଗା ଅଲଗା ରାଲି କରିଥିଲେ। ନୀତୀଶଙ୍କ ସହଯୋଗୀ ଆରଜେଡି ମଧ୍ୟ କର୍ପୂରୀଙ୍କ ଜନ୍ମ ବାର୍ଷିକୀରେ ପୃଥକ ରାଲି ଆୟୋଜନ କରିଥିଲା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବ ଏହି ରାଲିକୁ ସମ୍ବୋଧିତ କରିଥିଲେ। 

ନୀତୀଶ ପରୋକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କୁ ବଂଶଗତ ରାଜନୀତି ଆକ୍ଷେପ କରିଥିବା କୁହାଯାଉଛି। କାରଣ ବର୍ତ୍ତମାନ ଲାଲୁଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟ ସକ୍ରିୟ ରାଜନୀତିରେ ଅଛନ୍ତି। ନୀତୀଶଙ୍କ ଏହି କଟାକ୍ଷ ପରେ ଆଗାମୀ ଲୋକସଭା ନିର୍ବାଚନରେ ଏକ ବଡ଼ ରାଜନୀତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି। 

Bharat Ratna Bihar CM Nitish Kumar Karpoori Thakur UPA Govt Nitish Praises PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe