ବାମରୁ ଅନନ୍ତ, ରିତଲାଲ, କରଣବୀର, ଅମରେନ୍ଦ୍ର, ଓସାମା ଓ ଚେତନ
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ(Bihar Election)କୁ ଆଉ ୫ ଦିନ ବାକି। ନଭେମ୍ବର ୬ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହାପୂର୍ବରୁ ପ୍ରାର୍ଥୀଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରେ ରହିଛି ସବୁ ତଥ୍ୟ।
ଅନେକ ପ୍ରାର୍ଥୀଙ୍କ ସତ୍ୟପାଠରୁ ସେମାନଙ୍କ ସମ୍ପତ୍ତି ଓ ସେମାନଙ୍କ ଅପରାଧିକ ରେକର୍ଡ ସାମ୍ନାକୁ ଆସିଛି। ରାଜ୍ୟ ରାଜନୀତିରେ ରହିଥିବା ଟଙ୍କା ଓ ବାହୁବଳ ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ସବୁ ତଥ୍ୟ ସହ ଭୋଟରମାନେ ବିଭିନ୍ନ ରାଜନୀତିକ ଦଳର ଇସ୍ତାହାର ଓ ପ୍ରତିଶ୍ରୁତିକୁ ମଧ୍ୟ ବିଚାରକୁ ନେଇ ଭୋଟ ଦେବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ବିହାର ରାଜନୀତିରେ ବାହୁବଳ କିଛି ନୂଆ କଥା ନୁହେଁ। ଅନେକ ପ୍ରାର୍ଥୀ ନିଜର ଅର୍ଥ ଓ ବାହୁବଳରେ ଭୋଟରଙ୍କୁ ପ୍ରଭାବିତ କରନ୍ତି। ଚଳିତ ନିର୍ବାଚନରେ ଏମିତି ଅନେକ ପ୍ରାର୍ଥୀ ରହିଛନ୍ତି ଯେଉଁମାନେ ସେମାନଙ୍କ ନାଁରେ ଥିବା କୋଟି କୋଟି ଟଙ୍କାର ବିବରଣୀ ଦେଇଛନ୍ତି। ଅନେକ ଏମିତି ଆଶାୟୀ ରହିଛନ୍ତି, ଯେଉଁମାନଙ୍କ ନାଁରେ ହତ୍ୟା, ଅପହରଣ ଓ ଲୁଟ ଭଳି ଗଭୀର ମାମଲା ଅଛି।
ଚର୍ଚ୍ଚାରେ ଥିବା ପ୍ରାର୍ଥୀ
ପାଟନାରେ ଥିବା ମୋକାମା ଏବେ ଉଭୟ ଅର୍ଥ ଓ ବାହୁବଳ ପାଇଁ ଚର୍ଚ୍ଚାରେ ରହିଛି। ଗ୍ୟାଙ୍ଗଷ୍ଟରରୁ ନୀତୀଶ କୁମାରଙ୍କ ଜେଡିୟୁର ବରିଷ୍ଠ ନେତା ବନିଥିବା ଅନନ୍ତ ସିଂହଙ୍କ ପାଖରେ ରହିଛି ୩୭.୮୮ କୋଟି ଟଙ୍କାର ସମ୍ପତ୍ତି। ତାଙ୍କ ପାଖରେ ଅନେକ ଜମି, ବ୍ୟବସାୟିକ ପ୍ରତିଷ୍ଠାନ, ଟୋୟୋଟା ଲ୍ୟାଣ୍ଡ କ୍ରୁସିୟର ଓ ଫର୍ଚୁନର ଭଳି ବିଳାଶପୂର୍ଣ୍ଣ କାର।
ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ଅନନ୍ତ ସିଂହଙ୍କ ନାଁରେ ରହିଛି ୨୮ଟି ଅପରାଧିକ ମାମଲା। ହତ୍ୟା ଠାରୁ ଆରମ୍ଭ କରି ବେଆଇନ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିବା ଭଳି ମାମଲାର ଅଭିଯୁକ୍ତ ହେଉଛନ୍ତି ଏହି ଜେଡିୟୁ ନେତା। ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀ ତାଙ୍କ ଠାରୁ ଧନୀ। ନୀଲମ ଦେବୀଙ୍କ ପାଖରେ ରହିଛି ୬୨.୭୨ କୋଟି ଟଙ୍କାର ସମ୍ପତ୍ତି। ଏହାବାଦ ଦାମୀ ଗାଡ଼ି, ୯୧.୬୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ବିଭିନ୍ନ କମ୍ପାନୀରେ ଅଂଶଧନ ତାଙ୍କ ପାଖରେ ରହିଛି। ଏସବୁ ସତ୍ତ୍ୱେ ନୀଲମ ଦେବୀ ତାଙ୍କ ନାଁରେ ୫୦ କୋଟି ଟଙ୍କାର ଋଣ ଥିବା ଦର୍ଶାଇଛନ୍ତି।
ଅନନ୍ତ ସିଂହଙ୍କ ବିରୋଧରେ ମୋକାମାରେ ପ୍ରାର୍ଥୀ ହୋଇଛନ୍ତି ଆରଜେଡିର ବୀଣା ଦେବୀ। ସେ ହେଉଛନ୍ତି ପୂର୍ବତନ ସାଂସଦ ସୂରଜ ଭାନ ସିଂହଙ୍କ ପତ୍ନୀ। ବୀଣା ଦେବୀ ତାଙ୍କ ସମ୍ପତ୍ତିର ମୂଲ୍ୟ ୮.୬୭ କୋଟି ବୋଲି ସତ୍ୟପାଠରେ କହିଛନ୍ତି। ଏହା ମଧ୍ୟରେ ପାଟନାରେ ଥିବା ଦୁଇ ଫ୍ଲାଟରମ ମୂଲ୍ୟ ୬.୯୫ କୋଟି ଓ ୧.୨ କେଜିର ସୁନା ରହିଛି। ତେବେ ବୀଣା ଦେବୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ।
କେବଳ ମୋକାମା ନୁହେଁ, ରାଜ୍ୟର ଏକାଧିକ ନିର୍ବାଚନ ମଣ୍ଡଳୀରେ ଏପରି ବାହୁବଳୀ ଓ କୋଟିପତି ବିଧାୟକ ପ୍ରାର୍ଥୀ ରହିଛନ୍ତି। ବାରହର ଆରଜେଡି ପ୍ରାର୍ଥୀ କରଣବୀର ସିଂହ(ଲାଲୁ ମୁଖିଆ)ଙ୍କ ସମ୍ପତ୍ତିର ପରିମାଣ ୧୭.୭୨ କୋଟି ଓ ତାଙ୍କ ନାଁରେ ହତ୍ୟା ଓ ଅପହରଣ ଭଳି ୧୫ଟି ମାମଲା ରହିଛି।
ଅନ୍ୟ କିଛି ପ୍ରମୁଖ ନିର୍ବାଚନ ମଣ୍ଡଳୀରେ ଏପରି ଟ୍ରେଣ୍ଡ ଦେଖିବାକୁ ମିଳିଛି। ବ୍ରହ୍ମାପୁରରେ ଏଲଜେପି(ରାମ ବିଳାଶ) ଟିକେଟରୁ ନିର୍ବାଚନ ଲଢ଼ୁଥିବା ହୁଲାସ ପାଣ୍ଡେଙ୍କ ପାଖରେ ୧୨.୧୯ କୋଟି ଟଙ୍କାର ସମ୍ପତ୍ତି ଓ ୨ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଛି। ଏହାବାଦ ତାଙ୍କ ନାଁରେ ୨ଟି ଅପରାଧିକ ମାମଲା ବି ଅଛି।
ଦାନାପୁରର ଆରଜେଡି ପ୍ରାର୍ଥୀ ରିତଲାଲ ରାୟଙ୍କ ସମ୍ପତ୍ତିର ମୂଲ୍ୟ ୭.୭୧ କୋଟି ହୋଇଥିବା ବେଳେ ତାଙ୍କ ନାଁରେ ୩୦ରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି। ଜେଡିୟୁର କୁଚାୟକୋଟ ପ୍ରାର୍ଥୀ ଅମରେନ୍ଦ୍ର କୁମାର ପାଣ୍ଡେ ୫.୬ କୋଟି ଟଙ୍କାର ମାଲିକ। ତାଙ୍କ ନାଁରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ ହତ୍ୟା ଉଦ୍ୟମ, ଦଙ୍ଗା ଭଳି ୧୪ଟି ମାମଲା ରହିଛି।
ଇକମା ଆସନରୁ ଜେଡିୟୁ ଟିକେଟରେ ନିର୍ବାଚନ ଲଢ଼ୁଥିବା ମନୋରଞ୍ଜନ ସିଂହଙ୍କ ପାଖରେ ୩.୨୭ କୋଟି ଟଙ୍କାର ସମ୍ପତ୍ତି ରହିଥିଲେ ହେଁ ତାଙ୍କ ନାଁରେ କୌଣସି ପ୍ରକାରର ଅପରାଧିକ ମାମଲା ନାହିଁ। ପତ୍ନୀଙ୍କ ଅଳଙ୍କାର ଉପରେ ପରିବାର ଆର୍ଥିକ ସ୍ଥିତି ନିର୍ଭର।
ଦିବଂଗତ ଗ୍ୟାଙ୍ଗଷ୍ଟର ମହମ୍ମଦ ଶାହବୁଦ୍ଦିନଙ୍କ ପୁଅ ହେଉଛନ୍ତି ଓସାମା ଶାହବ। ତାଙ୍କୁ ଆରଜେଡି ସିୱାନ ଆସନରୁ ଟିକେଟ ଦେଇଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୨.୩୧ କୋଟି ହୋଇଥିବା ବେଳେ ଓସାମାଙ୍କ ନାଁରେ ରହିଛି ୫ଟି ଅପରାଧିକ ମାମଲା। ଅନ୍ୟତମ ଗ୍ୟାଙ୍ଗଷ୍ଟର ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ଜେଡିୟୁରୁ ନବିନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧.୪୬ କୋଟି ଓ ତାଙ୍କ ନାଁରେ ୨ଟି ଅପରାଧିକ ମାମଲା ଅଛି।
ନୱାଡା ଜିଲ୍ଲାରେ ମଧ୍ୟ ଟଙ୍କା ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରାଯିବାର ନଜିର ରହଛି। ବିଶେଷ କରି ୱାରିସଲିଗଞ୍ଜରେ କୋଟିପତିଙ୍କ ଲଢ଼େଇ ଦେଖିବାକୁ ମିଳିବ। ଏଠାରେ ବିଜେପି ଅରୁଣା ଦେବୀଙ୍କୁ ଟିକେଟ ଦେଇଛି। ଅରୁଣା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଗ୍ୟାଙ୍ଗଷ୍ଟର ଅଖିଲେଶ ସିଂହଙ୍କ ପତ୍ନୀ। ଅରୁଣା ୯୨.୫୭ ଲକ୍ଷ ଟଙ୍କାର ମାଲିକାଣୀ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ତାଙ୍କୁ ଟକ୍କର ଦେବାକୁ ଆରଜେଡି ଅନୀତା ଦେବୀଙ୍କୁ ଟିକେଟ ଦେଇଛି। ଅନୀତା ହେଉଛନ୍ତି ଗ୍ୟାଙ୍ଗଷ୍ଟର ଅଶୋକ ମାହତୋଙ୍କ ପତ୍ନୀ। ଅନୀତାଙ୍କ ପାଖରେ ୧.୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏକାଧିକ ରାଜ୍ୟରେ ତାଙ୍କ ସ୍ୱାମୀଙ୍କ ନାଁରେ ସମ୍ପତ୍ତି ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/01/bihar1-2025-11-01-15-28-30.jpg)