Advertisment

ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ବିଜୟ ମହାପାତ୍ର, ବର୍ଷିଲେ ସମୀର ଦେ

ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତକାଲି ଗଣମାଧ୍ୟମକୁ ଦେଇଥିବା ବୟାନକୁ ନେଇ  ଆଜି ତାଙ୍କ ନିଜ ଦଳରୁ ତାଙ୍କୁ ତୀବ୍ର ବିରୋଧ ହୋଇଛି ।

author-image
Ordigital Desk
Samir dey bjp

Samir dey bjp

ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତକାଲି ଗଣମାଧ୍ୟମକୁ ଦେଇଥିବା ବୟାନକୁ ନେଇ  ଆଜି ତାଙ୍କ ନିଜ ଦଳରୁ ତାଙ୍କୁ ତୀବ୍ର ବିରୋଧ ହୋଇଛି । ବିଜୟଙ୍କୁ କଡ଼ା ସମାଲୋଚନା କରି ଦଳର ବରିଷ୍ଠ ନେତା ସମୀର ଦେ ଓ ସଜ୍ଜନ ଶର୍ମା ଆଜି ମୁହଁ ଖୋଲିଛନ୍ତି । ବିଜୟ ମହାପାତ୍ର ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଦାୟିତ୍ୱହୀନ ଓ ବେପରୁଆ ବୟାନ ଦେଉଛନ୍ତି  ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏକ ପ୍ରେସ୍ ରିଲିଜ୍ ଜାରି କରି ବିଜୟ ମହାପାତ୍ରଙ୍କ ବୟାନକୁ ଖଣ୍ଡନ କରିବା ସହ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣା ଏକ ଅଭାବନୀୟ ଘଟଣାରେ ଦେଶବାସୀ ମ୍ରିୟମାଣ ହୋଇଥିବାବେଳେ ଶ୍ରୀ ମହାପାତ୍ରଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ନେତା ତଥାକଥିତ ବିରୋଧୀ ଦଳ ନେତାଙ୍କ ଭଳି ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦେବା ଆଦୌ ଉଚିତ୍ ହୋଇନାହିଁ । ଦୁର୍ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଜାରି ରହିଥିବାବେଳେ ଶ୍ରୀ ମହାପାତ୍ର ଏଭଳି ମନ୍ତବ୍ୟ ରଖି ବିଜେପି ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଥିବା ନିଜର ଅସହିଷ୍ଣୁତାକୁ ପଦାରେ ପକାଇଛନ୍ତି ।

ଯଦି ଶ୍ରୀ ମହାପାତ୍ରଙ୍କ ପାଖରେ ଏତେ ସବୁ ତଥ୍ୟ ଥିଲା ତା’ହେଲେ ଗଣମାଧ୍ୟମରେ ଆଗରେ ରଖିବା ପୂର୍ବରୁ ଦେଶବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରେଳମନ୍ତ୍ରୀ କିମ୍ବା ରେଳ ବିଭାଗକୁ ଜଣାଇଥିଲେ ଅସୁବିଧା କେଉଁଠି ଥିଲା? ଏବେ ଏଭଳି ମନ୍ତବ୍ୟ ରଖି କେବଳ ନିଜକୁ ଗଣମାଧ୍ୟମରେ ବଂଚାଇ ରଖିବାକୁ ସେ ଉଦ୍ୟମ କରୁଛନ୍ତି । ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ୱାସ ଓ ଭରସା ରହିଛି । ଦୁର୍ଘଟଣାରେ ଯିଏ ଦୋଷୀ ତା’ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିସାରିଛନ୍ତି । ତେଣୁ ଶ୍ରୀ ମହାପାତ୍ର ସାଧାରଣ ଲୋକଙ୍କୁ ଭ୍ରମିତ କରିବା ପାଇଁ ଯେତେ ଦାୟିତ୍ୱହୀନ ଓ ବେପରୁଆ ମନ୍ତବ୍ୟ ଦେଲେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ଦେ କହିଛନ୍ତି ।

Advertisment

ସେହିପରି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶ୍ରୀ ମହାପାତ୍ର ଓଡ଼ିଶାର ସୁବ୍ରମଣ୍ୟମ ସ୍ୱାମୀ ହେବାକୁ ଚାହୁଁଛନ୍ତି, ଯିଏ ନିଜେ କୌଣସି ଅନୁଶାସନ ମାନନ୍ତି ନାହିଁ ।

ତେବେ ବିଜେପିରେ ଥାଇ ଶ୍ରୀ ମହାପାତ୍ର ଗତକାଲି ରେଳ ଦୁର୍ଘଟଣା ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ରାଜ୍ୟ ବିଜେପି ରାଜନୀତିକୁ ସରଗରମ କରିଛି ।

State Bjp Bjp Politics Odisha Bjp