ସତରେ କ’ଣ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିବା ପଛରେ ହୋଇଛି କିଛି ଡିଲ୍? ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କଥାରେ କେତେ ଦମ୍ ଅଛି? ଏହି ପ୍ରସଙ୍ଗରେ ପ୍ରାୟ ସପ୍ତାହେ ପରେ ମୁହଁ ଖୋଲିଥିବା ବିଜୟ ନିଜେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କ ସ୍ୱର ପାଲଟି ଏଭଳି ଅଭିଯୋଗ ଆଣିନାହାନ୍ତି ତ? ‘କହିଁପେ ନିଗାହେଁ କହିଁପେ ନିଶାନା’ଭଳି ‘ଡିଲ୍’ କଥା କହି ଉଭୟ ବିଜେପି ଓ ବିଜେଡିର ଶୀର୍ଷନେତୃତ୍ୱଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିଛନ୍ତି କି? ଏଭଳି ନାନାଦି ଚର୍ଚ୍ଚା ଏବେ ବିଜେଡି ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି ।
ଗତ ସପ୍ତାହରେ ବରିଷ୍ଠ ନେତା ବିଜୟ ମହାପାତ୍ର ବାରିପଦା ଗସ୍ତରେ ଯାଇ ବିଜେଡିର ତଥାକଥିତ ନେତା ପ୍ରଣବପ୍ରକାଶ ଦାସ(ବବି) ଓ ଅନ୍ୟ ବିଜେଡି ନେତାମାନଙ୍କ ସହ ‘ମୟୂରଭଞ୍ଜ ମହୋତ୍ସବ’ରେ ଅତିଥି ଭାବେ ଯୋଗ ଦେଇଥିଲେ । ଆଉ ମହୋତ୍ସବରୁ ଫେରିବାର ପ୍ରାୟ ୩ଦିନ ପରେ ଗଣମାଧ୍ୟମକୁ ଡାକି କୁଟ୍ଟେ ଓ ଆଶୀଷ ସିଂ ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ବି ମାଗିଛନ୍ତି । ତା’ଛଡ଼ା ମୟୂରଭଞ୍ଜ ଗସ୍ତରେ ଥିବାବେଳେ ‘ଓଡ଼ିଶାର ରାଜନୀତିକ ଅବସ୍ଥା ଭଲନାହିଁ ଓ ବିଜେଡି ନିଜର କିଛି ନୀତି ସ୍ଥିର କରିନାହିଁ ବୋଲି ମଧ୍ୟ ମତ ଦେଇଥିଲେ।” ତେବେ ବିଜୟଙ୍କୁ ବିଜେପି ବିଧାୟକ ଅଶୋକ ମହାନ୍ତି ପାଲଟା ଟାର୍ଗେଟ୍ କରିବା ସହ ତାଙ୍କର ବୟାନକୁ ସଇତାନର ବେଦପାଠ ବୋଲି ଆକ୍ଷେପ କରିଥିଲେ । ଆଉ ଯିଏ ଡିଲ୍ କଥା କହୁଛନ୍ତି ସିଏ ହିଁ ଡିଲ୍ କରିଥିବା ବିଜେପି କହିବା ପରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଓ ବିଜୟଙ୍କ ମଧ୍ୟରେ ନିଶ୍ଚିତ କିଛି ଡିଲ୍ ହୋଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ଏପଟେ ବିଜେଡିରେ ଉପରକୁ ସବୁ ଠିକଠାକ୍ ବୋଲି ଦେଖାଇବାକୁ ଯେତେ ଚେଷ୍ଟା ଚାଲିଥିଲେ ବି କୁଟ୍ଟେ-ଆଶୀଷ ସିଂଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିବା ପରଠୁ ଦଳରେ ଅଧିକାଂଶ ନେତାଙ୍କ ଟାର୍ଗେଟରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ରହିଛନ୍ତି । ପାଣ୍ଡିଆନ ହିଁ କିଛି ଗୋଟେ ଡିଲ୍ କରି ଏହି ଦୁଇ ଆଇପିଏସଙ୍କୁ କେନ୍ଦ୍ରରେ ଥଇଥାନ କରିଥିବା ତଥା ତାଙ୍କର ସନ୍ଦେହଜନକ ଗତିବିଧିକୁ ନେଇ ଦଳର ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବ୍ୟାପିବାରେ ଲାଗିଛି । ୧୦ଦିନ ପରେ ବି ଅସନ୍ତୋଷ ଥମିବାର ନାଁ ଧରୁନି । ଡିସେମ୍ବର ୯ରୁ ୧୩ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସଦସ୍ୟତା ଅଭିଯାନ ପାଇଁ ନବୀନ ନିବାସରେ ହୋଇଥିବା ନିର୍ବାଚନମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ଓ ଉପଦେଷ୍ଟା କମିଟି ବୈଠକରେ ମଧ୍ୟ ନେତାମାନେ ସିଧାସଳଖ ପାଣ୍ଡିଆନଙ୍କୁ ନେଇ ନିଜର ଅସନ୍ତୋଷ ଜାହିର କଲେ । ପାଣ୍ଡିଆନ ବୈଠକରେ ସାମିଲ ହୋଇନଥିଲେ କି ତାଙ୍କ ଖାସ୍ ବବିଙ୍କ ବି ଦେଖା ମିଳିନଥିଲା । ଦଳରେ ଏଭଳି ଅନିଶ୍ଚିତତାକୁ ଦେଖି ଆସନ୍ତାମାସରୁ ‘ପୋଲାଭରମ’ ଭଳି ପ୍ରସଙ୍ଗକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇ ଦଳୀୟ ଏକଜୁଟତା ଦେଖାଇବାକୁ ରଣନୀତି ପ୍ରସ୍ତୁତ କରିଛି ।
ତେବେ ଚର୍ଚ୍ଚା ହେଉଛି, ବିଜୟ ମହାପାତ୍ର ଯେଉଁ ଅଭିଯୋଗ ଆଣିଛନ୍ତି ତା’ପଛରେ ପାଣ୍ଡିଆନଙ୍କ ଜଣେ ଖାସ୍ ଅନୁଗତଙ୍କ ପ୍ରମୁଖ ଭୂମିକା ରହିଛି । ପାଣ୍ଡିଆନଙ୍କ ବଳରେ ବଳିୟାନ ହୋଇ ବିଜେଡିରେ ସର୍ବାଧିକ ପ୍ରଭାବଶାଳୀ ପାଲଟିଥିବା ଏହି ନେତା ଏବେ କିନ୍ତୁ ତାଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ସନ୍ଦେହ କରୁଛନ୍ତି । ପାଣ୍ଡିଆନ-କୁଟ୍ଟେ ଯୋଡ଼ି ତାଙ୍କୁ ଜାଣିଶୁଣି ‘ବଳିବୋଦା’ କରିଥିବା ଓ ତାଙ୍କୁ ନିଶ୍ଚିତ ବିଜୟ ଆସନରୁ ଦୂରେଇ ରଖି ସୁଚିନ୍ତିତ ଢଙ୍ଗରେ ହାରିବା ପାଇଁ ଛାଡ଼ି ଦିଆଯାଇଥିଲା ବୋଲି ସେ ଅନୁଭବ କରୁଛନ୍ତି । ଯେଉଁଥିପାଇଁ ଗତ ୨-୩ମାସ ହେଲା ସେ ସାଂଗଠନିକ କାର୍ଯ୍ୟରେ ବିଶେଷ ସକ୍ରିୟତା ଦେଖାଉନାହାନ୍ତି । ଏପରିକି ନବୀନ ଡାକିଥିବା ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକରେ ବି ସାମିଲ ହୋଇନଥିଲେ । ପାଣ୍ଡିଆନ ଓ ତାଙ୍କ ଭିତରେ ବଢ଼ୁଥିବା ଦୂରତ୍ୱ ଯୋଗୁ ସେ ଏବେ ପ୍ରତିଶୋଧପରାଣୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି । ଯଦିଓ ପାଣ୍ଡିଆନଙ୍କ ହନୁମାନ ସାଜି ତାଙ୍କ ଇଙ୍ଗିତରେ ବିଗତ ଦିନରେ ସେ ନିଜର ବିଶୃଙ୍ଖଳିତ ବ୍ୟବହାର ମାଧ୍ୟମରେ ଦଳର ବହୁ ନେତାଙ୍କୁ ନିଜର ଶତ୍ରୁ କରିସାରିଛନ୍ତି ।
ବିଜେଡି ବିପର୍ଯ୍ୟୟର ମୁଖ୍ୟ ଭାବେ ପାଣ୍ଡିଆନଙ୍କୁ ସମସ୍ତେ ଦାୟୀ କରୁଥିଲେ ମଧ୍ୟ ଦଳ ୬ମାସ ପରେ ବି ସମୀକ୍ଷା ବୈଠକ କରୁନଥିବା ଓ ସଂଗଠନର ଆଭିମୁଖ୍ୟ ଆଗାମୀ ଦିନରେ କିଭଳି ହେବ ତାହା ସ୍ଥିର ହେଉନଥିବାରୁ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ସହ ଦଳୀୟ ପାଣ୍ଠି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ନବୀନଙ୍କୁ ସମସ୍ତେ ନେତା ଭାବେ ସ୍ୱୀକାର କରୁଥିଲେ ମଧ୍ୟ ପାଣ୍ଡିଆନ ଏବେବି ଦଳୀୟ ପାଣ୍ଠିକୁ ନିଜ କବଜାରେ ରଖିଥିବାରୁ ଆଗଧାଡ଼ିର ଅନ୍ୟ ନେତାମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ପାଣ୍ଡିଆନଙ୍କ ଖାସ୍ ବବିଙ୍କ ପାଖରେ ମଧ୍ୟ ମୋଟାଅଙ୍କର ଦଳୀୟ ପାଣ୍ଠି ଥିବା ନେଇ ଚର୍ଚ୍ଚା ହେଉଛି । ମାତ୍ର ବବି ଏବେ ଆଉ ଧରାଛୁଆ ଦେଉନଥିବାରୁ ସଂଗଠନ କିଭଳି ପରିଚାଳିତ ହେବ ତାକୁ ନେଇ ଦଳରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହେବାରେ ଲାଗିଥିବା ଜଣାପଡ଼ିଛି ।
ଚଟୁ ଆମିଷ,ବେଂଟ ନିରାମିଷ ଭଳି ପୁଅଙ୍କୁ ବିଜେଡି ଟିକେଟରେ ବିଧାୟକ କରାଇ ନିଜକୁ କୌଣସି ଦଳରେ ନଥିବା କହୁଥିବା ବିଜୟ ଦୀର୍ଘଦିନ ବ୍ୟବଧାନରେ ପୁଣିଥରେ ସକ୍ରିୟ ହୋଇପଡ଼ିଛନ୍ତି । ଆଉ ବିଜେଡିରେ ବଢ଼ୁଥିବା କନ୍ଦଳ ଓ ଅନିଶ୍ଚିତତାର ସୁଯୋଗର ଫାଇଦା ଉଠାଇ ଅନୁଭବୀ ବିଜୟ ନିଜର ଦୁଇ ଦଶନ୍ଧି ପୁରୁଣା ଅସମ୍ମାନର ପ୍ରତିଶୋଧ ନେବାକୁ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଖାସ୍ ସହଯୋଗୀ(ଏବେ ବିଦ୍ରୋହୀ)ଙ୍କ ସହଯୋଗ ତଥା ନିଜର ପୁରୁଣା ଅନୁଗତମାନଙ୍କ ମାଧ୍ୟମରେ ବିଜେଡିରେ ଅନିଶ୍ଚିତତା,ସନ୍ଦେହ ଓ ଅନିଶ୍ଚିତତାର ବାତାବରଣକୁ ଅଧିକ ଉଗ୍ର କରାଇବାର ମାର୍ଗ ପ୍ରଶସ୍ତ ହେଉଛି । ଯାହାକି ବିଜେଡିକୁ ବିଭାଜନ ଆଡ଼କୁ ନେଇଯାଉଛି ବୋଲି ବିଜେଡି ମହଲରେ ଆଲୋଚନା ଚାଲିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।