Advertisment

ନାଁ ନନେଇ ଅଶୋକ ପଣ୍ଡାଙ୍କ ଉପରେ ବର୍ଷିଲେ ବିରଞ୍ଚି ଓ ଅମରେଶ

ଭରତପୁର ଥାନା ମାମଲାରେ ରବିବାର ଅପରାହ୍ନରେ ‘ଶଙ୍ଖ ଭବନ’ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଓ କାଉନ୍‌ସିଲରମାନେ ଯୋଗଦେଇଥିଲେ।

author-image
Manoranjan Sial
BJD

BJD

ଗୋଳିଆ ହେଉଛି ଭୁବନେଶ୍ୱର ବିଜେଡି ରାଜନୀତି। ଥମୁନି ବୟାନବାଜୀ। ରବିବାର ଶଙ୍ଖ ଭବନରେ ହୋଇଥିବା ବିଶୃଙ୍ଖଳା ଘଟଣାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିବାଦକୁ ଟାଣିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଦୁଇ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା। ଅଶୋକ ପଣ୍ଡାଙ୍କ ନାଁ ନନେଇ ଉଭୟ ଆଜି ଶାଣିତ ଆକ୍ରମଣ କରିଛନ୍ତି। ନିଜର ଛବି ବଞ୍ଚାଇବା ପାଇଁ ସେ ଅନ୍ୟ କର୍ପୋରେଟରଙ୍କୁ ମତାଇ ଆମକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ଏ ସମ୍ପର୍କରେ ଆମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିବୁ ବୋଲି ଉଭୟ କହିଛନ୍ତି।

Advertisment

ଭରତପୁର ଥାନା ମାମଲାରେ ରବିବାର ଅପରାହ୍ନରେ ‘ଶଙ୍ଖ ଭବନ’ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଓ କାଉନ୍‌ସିଲରମାନେ ଯୋଗଦେଇଥିଲେ। ଆଲୋଚନା ଚାଲିଥିବା ବେଳେ ବୈଠକରେ ବିଜେପି କର୍ମୀ ରାଜେଶ ପାତ୍ରଙ୍କୁ ଦେଖି ତାତି ଯାଇଥିଲେ ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା। ଆଉ ବୈଠକରୁ ବାହାରି ଯିବା ପାଇଁ କହିଥିଲେ। ହେଲେ ସେଠାରେ ବସିଥିବା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାଜେଶଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆଉ ବିରଞ୍ଚି ଓ ଅମରେଶଙ୍କୁ ପଳାଇ ଯିବା ପାଇଁ କହିଥିଲେ। ତା’ପରେ ଶ୍ରୀ ପଣ୍ଡା ନିଜର ଛବି ବଞ୍ଚାଇବା ପାଇଁ ଅନ୍ୟ କାଉନ୍‌ସିଲଙ୍କୁ ବିରଞ୍ଚି ଓ ଅମରେଶଙ୍କ ବିରୋଧରେ ମତାଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବୈଠକରେ ହୋ-ହଲ୍ଲା ହୋଇଥିଲା।

ଏନେଇ ବିଜେଡି କାଉନ୍‌ସିଲର ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି, ଶଙ୍ଖ ଭବନରେ ବୈଠକ ଚାଲିଥିବା ବେଳେ ସେଠାରେ ବସିଥିଲେ ରାଜେଶ ପାତ୍ର। ରାଜେଶ ହେଉଛନ୍ତି ଜଣେ ବିଜେପି କର୍ମୀ। ତାଙ୍କୁ ସେଠାରୁ ବାହାରି ଯିବା ପାଇଁ ଆମେ (ଅମରେଶ ଜେନା ଓ ମୁଁ) କହିଥିଲୁ। ହେଲେ ସେଠାରେ ଉପସ୍ଥିତ ଥିବା ଜଣେ ପୂର୍ବତନ ମନ୍ତ୍ରୀ ଆମକୁ ବିରୋଧ କରିଥିଲେ। ତା’ପରେ ସିଏ ଅନ୍ୟ କର୍ପୋରେଟରଙ୍କୁ ମତାଇଥିଲେ। ଯାହାଫଳରେ ସବୁ କର୍ପୋରେଟର ପଳାଇ ଯାଇଥିଲେ। ଆମେ ଏଠି କହିବାକୁ ଚାହୁଁଛୁ ରାଜେଶ ପାତ୍ର କିଏ? ସିଏ କାହିଁକି ବୈଠକରେ ଯୋଗଦେଇଥିଲେ? କ’ଣ ପାଇଁ ସିଏ ଦଳ ଭିତରେ ଆସୁଛନ୍ତି? ଆମେ ଶୃଙ୍ଖଳିତ ସଭ୍ୟ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଦେଉଛୁ। ରାଜେଶ ପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ତାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିବା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମହାସୁପକାର କହିଛନ୍ତି।

Advertisment

ଅମରେଶ ଜେନା କହିଛନ୍ତି, ରବିବାର ହୋଇଥିବା ବୈଠକରେ ବିଜେପି କର୍ମୀ ରାଜେଶ ପାତ୍ରଙ୍କୁ ଦେଖିବାକୁ ପାଇଥିଲୁ। ପୂର୍ବତନ ମନ୍ତ୍ରୀ ତାଙ୍କୁ ଆଣି ବୈଠକରେ ବସାଇଥିଲେ। ଦଳ ଭିତରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଥା ଯେପରି ବାହାରେ ପ୍ରଘଟ ନହେବ, ସେଥିପାଇଁ ଆମେ ତାଙ୍କୁ ବିରୋଧ କରିଥିଲୁ। ଏହି ଘଟଣା ପ୍ରଘଟ ହୋଇଯିବା ଭୟରେ ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀ କିଛି କାଉନ୍‌ସିଲରଙ୍କୁ ମତାଇ ଘଟଣାକୁ ଅନ୍ୟ ରୂପ ଦେଇଥିଲେ। ବିଜେଡି ଏକ ଶୃଙ୍ଖଳିତ ଦଳ। ଦଳ ଭିତରେ କେବେ ଗଣ୍ଡଗୋଳ ହୁଏ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ସେ ଆହୁରି କହିଛନ୍ତି, ରବିବାର ବିଜେଡି ପାର୍ଟି ଅଫିସ୍‌ରେ ପାଟିତୁଣ୍ଡ କରୁଥିବା ବିଜେପି କର୍ମୀ ଜଣଙ୍କୁ ପୂର୍ବତନ ମନ୍ତ୍ରୀ ବୁଝାଉଥିଲେ। ତାଙ୍କ କାନ୍ଧରେ ହାତ ପକାଇ ତାଙ୍କୁ ନିଜ ଗାଡ଼ିରେ ନେଇଥିଲେ। ଏଥିରୁ ଜଣାପଡ଼ୁଛି, ତାଙ୍କ ଦ୍ୱାରା ଏ ସବୁ କାମ ରାଯାଉଛିଛି। ଆମେ ଏନେଇ ବିଜେଡି ସଭାପତିଙ୍କୁ କହିବୁ ବୋଲି ଶ୍ରୀ ଜେନା କହିଛନ୍ତି।

Bhubaneswar BjD Bjp Bhubaneswar News