Advertisment

ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ସାଇଡ୍ ଇଫେକ୍ଟ: ଗଣେଶ୍ୱର ବିଦା, ବିଶ୍ୱରଞ୍ଜନ ମହାନ୍ତି ପିସିସି ମିଡିଆ ସେଲ୍ ମୁଖ୍ୟ

ଯୁବନେତା ଭାବେ ବିଶ୍ୱରଞ୍ଜନ ମହାନ୍ତିଙ୍କ ଦକ୍ଷତା ଥିଲେ ମଧ୍ୟ ଯେଉଁ ସମୟରେ କଂଗ୍ରେସ ନିଜର ମିଡିଆ ସେଲ୍ ଅଧ୍ୟକ୍ଷଙ୍କୁ ହଟାଇଲା ତାକୁ ନେଇ ଦଳ ଭିତରେ ଚାପା ଅସନ୍ତୋଷ ଆରମ୍ଭ ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Biswaranjan Mohanty

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ କଂଗ୍ରେସର ପୁରୁଣା ରୋଗ ବାହାରିଛି । ରାଜ୍ୟରେ ତଳିତଳାନ୍ତ ଅବସ୍ଥାକୁ ଯାଇଥିବା କଂଗ୍ରେସ ସଂଗଠନ ନିଜକୁ ସୁଦୃଢ଼ କରିବା ପରିବର୍ତ୍ତେ ଏବେ ଦଳ ଆକ୍ସନମୋଡରେ ରହିଛି । ଓଡ଼ିଶାରେ ନୂଆ ପିସିସି ପ୍ରଭାରୀ ନିଯୁକ୍ତି ପାଇବାର ୧୫ଦିନ ନପୁରୁଣୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି । ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ହଟାଇ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଓଡ଼ିଶା ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଭାରୀ ନିଯୁକ୍ତି ହେବାପରେ ଅଜୟ କୁମାର ଗତ ଦୁଇଦିନ ତଳେ ଓଡ଼ିଶାରେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗରେ ଯେଉଁ ତଥ୍ୟ ରଖିଥିଲେ ତାହା ଦଳର ପ୍ରେସ୍ ରିଲିଜରେ ସ୍ଥାନ ପାଇନଥିବାରୁ ଗଣେଶ୍ୱରଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚର୍ଚ୍ଚା ।

Advertisment

ଆଜି ଓଡ଼ିଶା ପିସିସି ପ୍ରଭାରୀ ଡଃ ଅଜୟ କୁମାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଡଃ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ପିସିସି ମିଡିଆ ଓ କମ୍ୟୁନିକେସନ୍ ବିଭାଗର ଅଧ୍ୟକ୍ଷ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ମିଳିଛି । ଗତ ୨୦୨୩ ଏପ୍ରିଲ ୨୨ତାରିଖରେ ଏଆଇସିସି ପକ୍ଷରୁ ଗଣେଶ୍ୱର ବେହେରାଙ୍କୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ମିଡିଆ ସେଲର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଧରଣୀଧର ନାୟକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଦେବାଶୀଷ ପଟ୍ଟନାୟକ, ବିଭୂତିଭୂଷଣ ମିଶ୍ର, ମନୋରଞ୍ଜନ ଦାଶ, ସୁଦର୍ଶନ ଦାଶ, ପଦ୍ମାକର ଗୁରୁଙ୍କ ଭଳି ଅନେକ ବରିଷ୍ଠ ଓ କିଛି ଯୁବନେତାଙ୍କୁ ସ୍ଥାନ ମିଳିଥିଲା ।

ମାତ୍ର ଏବେ ଶ୍ରୀ ମହାନ୍ତିଙ୍କୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ଏହି ବରିଷ୍ଠ ନେତାମାନେ ତାଙ୍କ ଟିମରେ ସଦସ୍ୟ ରହିବା ଆଶା କ୍ଷୀଣ । ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ବୃଦ୍ଧି ପାଉଥିବାବେଳେ ଦଳ ନିଜର ମିଡିଆ ଟିମରେ ଏଭଳି ଅଚାନକ ପରିବର୍ତ୍ତନ କରି ନିଜ ଗୋଡ଼ରେ କୁରାଢ଼ୀ ମାରିଛି । ଯୁବନେତା ଭାବେ ବିଶ୍ୱରଞ୍ଜନ ମହାନ୍ତିଙ୍କ ଦକ୍ଷତା ଥିଲେ ମଧ୍ୟ ଯେଉଁ ସମୟରେ କଂଗ୍ରେସ ନିଜର ମିଡିଆ ସେଲ୍ ଅଧ୍ୟକ୍ଷଙ୍କୁ ହଟାଇଲା ତାକୁ ନେଇ ଦଳ ଭିତରେ ଚାପା ଅସନ୍ତୋଷ ଆରମ୍ଭ ହୋଇଛି ।

Advertisment

ଏବେ ଶ୍ରୀ ମହାନ୍ତି ନିଜର ଟିମ୍ ଗଠନ କରି ଫୁଲ୍ ଦମରେ କାର୍ଯ୍ୟ କରିବା ନିମନ୍ତେ ନିଶ୍ଚିତ ସମୟ ଲାଗିବ । ଏଭଳି ସ୍ଥିତିରେ ପିସିସି ମିଡିଆ ସେଲ ମୁଖିଆଙ୍କୁ କାହିଁକି ପରିବର୍ତ୍ତନ କରାଗଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପିସିସି ସୂତ୍ର ଅନୁସାରେ, ଗତ ଦୁଇଦିନ ତଳେ ପିସିସି ପ୍ରଭାରୀ ଅଜୟ କୁମାର ଓଡ଼ିଶା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ କଡ଼ା ଭାଷାରେ ଉଭୟ ବିଜେଡି ଓ ବିଜେପି ସରକାରକୁ ଟାର୍ଗେଟ୍ କରିଥିଲେ । ଏପରିକି ବିଜେଡି ଓ ବିଜେପି ସମ୍ପର୍କର ପ୍ରକୃତ ଖିଅ ଖଣିମାଫିଆ ଓ ୨ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଅଜୟ କୁମାରଙ୍କ ଏସବୁ ବୟାନକୁ ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସ୍ଥାନ ମିଳିନଥିଲା । କେବଳ ଗୋଟିଏ ଶବ୍ଦ ‘ଖଣିଦୁର୍ନୀତି’ କଥା ଉଲ୍ଲେଖ ରହିଥିଲା । ଯାହାକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗଣେଶ୍ୱରଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

BjD Bjp Congress