ପାଣ୍ଡିଆନ ହିଁ ସର୍ବେସର୍ବା, ଆଜି ପୁଣି ପ୍ରମାଣ ଦେଲା ବିଜେଡି: ଯୁବ-ଛାତ୍ର ଗୋଷ୍ଠୀ କ୍ଷୁବ୍ଧ, ଆସନ୍ତାକାଲି ନବୀନଙ୍କୁ ଭେଟିବେ

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ତତକାଳୀନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ରାଜ୍ୟ ରାଜକୋଷରୁ ମୋଟ ୧୫କୋଟି ୨୬ଲକ୍ଷ ୯୧ହଜାର ୯୩୩ଟଙ୍କାର ବିଜ୍ଞାପନ ଦିଆଯାଇଥିବା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଲେନିନ ମହାନ୍ତି ଓ ସୁଲତା ଦେଓ

  • Published: Thursday, 29 August 2024
  • , Updated: 29 August 2024, 08:12 PM IST

ଯାହାଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି, ଏକଛତ୍ରବାଦୀ ନୀତି, ଆତ୍ମବଡ଼ିମା ଓ ଦୁର୍ନୀତଗ୍ରସ୍ତ ହାତଗଣତି ୫-୬ଜଣ ସହଯୋଗୀଙ୍କ ପାଇଁ ବିଜେଡିର ୨୪ବର୍ଷର ଶାସନର ପତନ ଘଟିଲା, ଏବେବି ସେହି ବ୍ୟକ୍ତି ବିଜେଡିର ସର୍ବେସର୍ବା ହୋଇ ରହିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସାଧିକ୍ୟ ଓ ନିରବତାର ଫାଇଦା ଉଠାଇ ଦଳକୁ ପୂର୍ବଭଳି ନିଜ କବଜାରେ ରଖିଛନ୍ତି । ନବୀନ ନିବାସରେ ବସି ରହି ବିଜେଡିକୁ ଏଭଳି ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କରୁଛନ୍ତି ଯେ, ଦଳର ବରିଷ୍ଠ ଓ ଆଗଧାଡ଼ିର ନେତାମାନେ ନିଜର ସ୍ୱାଭିମାନ ସହ ସାଲିସ୍ ଓ ବଶତା ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ଏସବୁ କଥା ସତ ପ୍ରମାଣିତ ହୋଇଛି ।

ସୂଚନା ଅନୁସାରେ, ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ତତକାଳୀନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ରାଜ୍ୟ ରାଜକୋଷରୁ ମୋଟ ୧୫କୋଟି ୨୬ଲକ୍ଷ ୯୧ହଜାର ୯୩୩ଟଙ୍କାର ବିଜ୍ଞାପନ ଦିଆଯାଇଥିବା କହିଛନ୍ତି । ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଏହି ପ୍ରଶ୍ନର ଲିଖିତ ଉତ୍ତର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚିହିଁକି ଉଠିଛି ବିଜେଡି । ଆଉ ଦଳର ମୁଖପାତ୍ର ସୁଲତା ଦେଓ ଓ ଲେନିନ୍ ମହାନ୍ତି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି ବାଢ଼ିଛନ୍ତି । ପାଣ୍ଡିଆନଙ୍କ ଫଟୋଚିତ୍ର ଛାପିବା ପାଇଁ ଦିଆଯାଇଥିବା ବିଜ୍ଞାପନ ଯଥାର୍ଥ ଓ ତାଙ୍କ ଉପରେ ରାଗ ରଖି ଟାଣିଓଟାରି ତାଙ୍କୁ ବିବାଦକୁ ଅଣାଯାଉଛି ବୋଲି ବିଜେଡି କହିଛି ।

ତେବେ ପାଣ୍ଡିଆନଙ୍କ ପାଇଁ ବିଜେଡି କାହିଁକି ଏତେ ଦରଦ ଦେଖାଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପୂର୍ବରୁ ସାଧାରଣ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ମଧ୍ୟରେ ଆବଦ୍ଧ ରଖି ନିଜର ରାଜନୀତିକ ମହତ୍ୱାକାଂକ୍ଷା ପାଇଁ ରାଜ୍ୟତମାମ ବୁଲିବା ଓ ଦଳରେ ଏକଛତ୍ରବାଦୀ ନୀତି ଆପଣାଇ ନିଷ୍ପତ୍ତି ନେବା ଯୋଗୁ ବିଜେଡିକୁ ଅଢ଼େଇ ଦଶନ୍ଧି ପରେ ବିରୋଧୀ ଦଳରେ ବସିବାକୁ ପଡ଼ିଲା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳ ଭିତରେ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ ହେବା ସହ ଅସନ୍ତୋଷ ବ୍ୟାପିବା ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଆଉ ନବୀନଙ୍କ ମୁହଁରେ ପାଣ୍ଡିଆନ ନିଜକୁ କ୍ଲିନଚିଟ୍ ଦେବାର ବ୍ୟବସ୍ଥା ମଧ୍ୟ କରିଥିଲେ । ମାତ୍ର ପାଣ୍ଡିଆନ ଓ ତାଙ୍କ ହାତଗଣତି ଟିମକୁ ନବୀନ ଘଂଟ ଘୋଡ଼ାଇଥିଲେ ମଧ୍ୟ ସେମାନେ ଦଳର ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଆକ୍ରୋଶରୁ ବର୍ତ୍ତିବା ସମ୍ଭବପର ହୋଇପାରିନଥିଲା । ଯେଉଁଥିପାଇଁ ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ଦଳର ସାଂସଦ ସସ୍ମିତ ପାତ୍ର ଓ ଦଳର ମିଡିଆ ଟିମ ସଦସ୍ୟ ପ୍ରିୟବ୍ରତ ମାଝୀଙ୍କୁ ଅପମାନିତ ହେବାକୁ ପଡ଼ିଥିଲା । ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ବିରୋଧ ଯୋଗୁ ସସ୍ମିତ ଓ ମାନସ ମଙ୍ଗରାଜ ଶଙ୍ଖଭବନ ଆସିବାକୁ ସାହାସ କରିପାରୁନାହାନ୍ତି । ସେବେଠୁ ସସ୍ମିତ ଆଉ ଶଙ୍ଖ ଭବନ ଆସୁନଥିବାବେଳେ ଏବେ ପାଣ୍ଡିଆନଙ୍କ ସପକ୍ଷରେ ପୁଣିଥରେ ସୁଲତା ଓ ଲେନିନ୍ ସାମ୍ବାଦିକ ସମ୍ମିଳନୀ କରିବାକୁ ନେଇ ଯୁବ ଓ ଛାତ୍ର ଗୋଷ୍ଠୀ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନ ନିଜର ପଲିଟିକାଲ ଲଂଚି ପାଇଁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯିବା ଭଳି ଗୁରୁତର ତ୍ରୁଟି କରିଥିଲେ ମଧ୍ୟ ବିଜେଡି ଏବେ ତାଙ୍କ ପାଇଁ ଆଗକୁ ଆସି କାହିଁକି ଦଳର ଭାବମୂର୍ତ୍ତିକୁ ନଷ୍ଟ କରୁଛି ବୋଲି ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି ।

ଦଳର ଯୁବ ଓ ଛାତ୍ର ଗୋଷ୍ଠୀ ଗତ ସପ୍ତାହରେ ଭୁବନେଶ୍ୱରରେ ଏକ ବୈଠକ କରି ଖୋଲାଖୋଲି ଭାବେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କୁ କଡ଼ା ବିରୋଧ କରିିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବାବେଳେ ଆଜି ସୁଲତା ଓ ଲେନିନଙ୍କ ସାମ୍ବାଦିକ ସମ୍ମିଳନୀ ସେମାନଙ୍କ ପାଇଁ କଟାଘା’ରେ ଚୂନ ଦେବା ସଦୃଶ ହୋଇଛି । ସସ୍ମିତଙ୍କ ଭଳି ସୁଲତା ଓ ଲେନିନଙ୍କୁ ମଧ୍ୟ ଏହି ଯୁବ ଓ ଛାତ୍ରଗୋଷ୍ଠୀ ବିରୋଧ ତଥା ଅପମାନିତ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।

ଆଜି ପାଣ୍ଡିଆନଙ୍କ ସୁରକ୍ଷାରେ ସାମ୍ବାଦିକ ସମ୍ମିଳନୀ କାହିଁକି କରାଗଲା ସେନେଇ ଦଳର ଯୁବ ଓ ଛାତ୍ର ଗୋଷ୍ଠୀ ଆସନ୍ତାକାଲି ଶଙ୍ଖଭବନରେ ହେବାକୁ ଥିବା ‘ଛାତ୍ର ବିଜେଡି’ର ସାଂଗଠନିକ ବୈଠକରେ ହୋ-ହାଲ୍ଲା କରିବା ସହ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ସୂଚନା ମିଳିଛି । ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଯୋଗୁ ବିଜେଡି ତଳିତଳାନ୍ତ ହେବାକୁ ବସିଥିଲେ ମଧ୍ୟ ଦଳର ନେତାମାନଙ୍କ ଏଭଳି ନୀତିକୁ ଯୁବ ଓ ଛାତ୍ର ଗୋଷ୍ଠୀ ସହଜରେ ବରଦାସ୍ତ କରିବା ମୁଡରେ ନଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଅଢ଼େଇ ମାସ ପରେ ବି ବିଜେଡି ନିଜର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରିବାକୁ ଉଚିତ୍ ମଣିନାହିଁ । ନବୀନ ବିରୋଧୀ ଦଳ ନେତା ପଦରେ ଥାଇ ମଧ୍ୟ ବିଧାନସଭା ଯାଉନାହାନ୍ତି କିମ୍ବା ସାଂଗଠନିକ କାର୍ଯ୍ୟରେ ନିଜର ସକ୍ରିୟତା ମଧ୍ୟ ଦେଖାଉନାହାନ୍ତି । ପାଣ୍ଡିଆନ ହିଁ ନବୀନ ନିବାସରେ ରହି ନିଜର ଖାସ୍ ଅନୁଗତ ବବିଙ୍କ ମାଧ୍ୟମରେ ଦଳକୁ ପରିଚାଳନା କରୁଛନ୍ତି । ନବୀନଙ୍କ ଅପାରଗତା ଯୋଗୁ ପାଣ୍ଡିଆନ ଏବେ ଦଳକୁ କବଜା କରିସାରିଥିବାରୁ ବିଜେଡି ବିଧାୟକ ଓ ନେତାମାନେ ତାଙ୍କର ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି ।

Related story