Advertisment

କୁଟ୍ଟେ ଓ ଆଶିଷ ସିଂଙ୍କୁ ନେଇ ବିଜେଡିରେ ବିସ୍ଫୋରକ ସ୍ଥିତି, ପ୍ରମିଳା ଧରାଇଲେ ନିଆଁ

ପାଣ୍ଡିଆନଙ୍କ ଖାସ୍ ସହଯୋଗୀ କୁଟ୍ଟେ ଓ ଆଶିଷ ସିଂ ନିର୍ବାଚନ ସମୟରେ ବିଜେପି ସହ ସମ୍ପର୍କ ରଖିଥିବାର ପରୋକ୍ଷରେ ଅଭିଯୋଗ ଆଣିଛନ୍ତି ପ୍ରମିଳା। ଉତ୍ତର ରଖିଲା ବିଜେପି।

undefined

DS Kutey and Ashish Singh

Advertisment

ଓଡ଼ିଶା ରାଜନୀତିରେ ବିଶାଳ ଦ୍ରୁମ ପାଲଟିଥିବା ୨୪ବର୍ଷର ବିଜେଡି ଶାସନ କାହିଁକି ଅଚାନକ ଧରାଶାୟୀ ହେଲା? ସାଧାରଣ ନିର୍ବାଚନ ଫଳାଫଳର ୬ମାସ ବିତିଯିବା ପରେ ମଧ୍ୟ ବିଜେଡି ଏହାର ସମୀକ୍ଷା କଲାନି। କିନ୍ତୁ ବିଜେଡି ଶାସନରେ ଦୁଇ ପାୱାରଫୁଲ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ଗୋଟିଏ ଦିନରେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିବା ପରେ ‘ବିଜେଡିର କ୍ଷମତାଚ୍ୟୁତ’ ହେବାର ରହସ୍ୟ ଉପରୁ ପରଦା ହଟିବା ସହ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଏଭଳି ସ୍ଥିତିରେ ଦଳର ବିଧାୟକ ଓ କର୍ମୀମାନଙ୍କ ମଧ୍ୟରେ ଚାପି ହୋଇ ରହିଥିବା ଆକ୍ରୋଶକୁ ଅଧିକ ଇନ୍ଧନ ଯୋଗାଇଛି ବରିଷ୍ଠ ନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ। ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଦୁଇ ଖାସ୍ ସହଯୋଗୀ କୁଟ୍ଟେ ଓ ଆଶିଷ ସିଂ ନିର୍ବାଚନ ସମୟରେ ବିଜେପି ସଙ୍ଗେ ସମ୍ପର୍କ ରଖିଥିବାର ପରୋକ୍ଷରେ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରମିଳା। ଯାହାକି ପାଣ୍ଡିଆନଙ୍କ ସମେତ ତାଙ୍କ ଟିମ୍ ସଦସ୍ୟ କୁଟ୍ଟେ ଓ ଆଶିଷଙ୍କ ବିଜେଡି ସହ ବିଶ୍ୱାସଘାତକତାର ଚରିତ୍ର ଓ ଆଭିମୁଖ୍ୟକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି।

ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ବିଧାନସଭା ପରିସରରେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଯାହା ପରୋକ୍ଷରେ ‘ବିଜେଡି କ୍ଷମତାଚ୍ୟୁତ’ ହେବାର କାରଣ ଆଡ଼କୁ ସ୍ପଷ୍ଟ ଇଙ୍ଗିତ କରୁଛି। କାରଣ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ରାଜନୈତିକ ନିଷ୍ପତ୍ତି ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିନା ସମ୍ଭବପର ନୁହେଁ ବୋଲି ସର୍ବଜନବିଦିତ। ଆଉ ପାଣ୍ଡିଆନଙ୍କ ଖାସ୍ ଭାବେ କୁଟ୍ଟେ ଓ ଆଶିଷ ସିଂ ବିଜେଡି ଶାସନରେ ଅତ୍ୟଧିକ ପ୍ରଭାବଶାଳୀ ପାଲଟି ଯାଇଥିଲେ। କୁଟ୍ଟେ ରାଜନୈତିକ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ଥିବାବେଳେ ଆଶିଷ ସିଂ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିଥିଲେ। ତେଣୁ ଉଭୟ ଅଫିସରଙ୍କୁ ଗତ ୩ଦିନ ତଳେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା, ଆକଳନ ଓ ସନ୍ଦେହ ଜୋର ଧରିଥିଲା। ଯାହାକୁ ଆଜି ପ୍ରମିଳାଙ୍କ ବୟାନ ଅଧିକ ସ୍ପଷ୍ଟ କରାଇଛି।

Advertisment

କୁଟ୍ଟେ ଓ ଆଶିଷ ସିଂଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗରେ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପ୍ରମୋସନ ପାଉଥିବା ଅଫିସରଙ୍କ ସହ ବିଜେପିର ଭଲ ସମ୍ପର୍କ ଥିଲା। ସେମାନଙ୍କ ଡେପୁଟେସନ ପରେ ଏହା ସ୍ପଷ୍ଟ ହୋଇଛି। ସେମାନଙ୍କ ସହ କି ସମ୍ପର୍କ ଥିଲା ତାହା ବିଜେପି ସ୍ପଷ୍ଟ କରୁ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।

ସେହିପରି ପ୍ରମିଳାଙ୍କୁ ପାଲଟା ଜବାବ ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ପ୍ରମିଳାଙ୍କ ଅଭିଯୋଗ ସଂପୂର୍ଣ୍ଣ ଅବାସ୍ତବ। କୌଣସି ଅଫିସରଙ୍କ ସହ ବିଜେପିର ସମ୍ପର୍କ ନଥିଲା। ସବୁ ଲୋକ ଜାଣିଛନ୍ତି ସେହି ଅଫିସରମାନେ କାହା ଲିଙ୍କରେ ଥିଲେ ଓ କାହାପାଇ କାମ କରୁଥିଲେ।ସେଥିପାଇଁ ସେମାନଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଛି।

ସେପଟେ ପ୍ରମିଳାଙ୍କ ଏହି ବୟାନ ହିଁ ଦଳର ବିଧାୟକମାନଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି। ବିଜେଡିର ୨୪ବର୍ଷର ଶାସନ ଭୁଶୁଡ଼ି ପଡ଼ିବା ପରେ ଦଳରେ ଅସନ୍ତୋଷ ତୀବ୍ର ରହିଛି। କିନ୍ତୁ ଦଳର ଶୋଚନୀୟ ପରାଜୟ ପାଇଁ ବିଜେଡିର ୫୧ଜଣ ବିଧାୟକଙ୍କ ମଧ୍ୟରୁ କିଛି ପାଣ୍ଡିଆନଙ୍କ ଆଶୀର୍ବାଦରେ ଟିକେଟ୍ ପାଇ ଜିତିଥିବାରୁ ତାଙ୍କୁ ସମର୍ଥନ କରି ଆସୁଥିଲେ ତ ଆଉ କିଛି ପୁରୁଖା ବିଧାୟକ ଖୋଲାଖୋଲି ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି। ମାତ୍ର କୁଟ୍ଟେ ଓ ଆଶିଷ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବାପରେ ପ୍ରାୟତଃ ଅଧିକାଂଶ ବିଧାୟକ ଏବେ ପାଣ୍ଡିଆନକୁ ଦୋଷ ଦେଇ ବିଜେଡିକୁ ବୁଡ଼ାଇବା ପାଇଁ ତାଙ୍କ ଟିମ୍ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରିଥିବା ଦୋଷାରୋପ କରୁଛନ୍ତି। ଯଦିଓ କେହି କ୍ୟାମେରା ସମ୍ମୁଖରେ କିଛି କହୁନାହାନ୍ତି, କିନ୍ତୁ ବିଜେଡି ବିଧାୟକ ଓ ଦଳର ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ ଗତ ଦୁଇଦିନ ଧରି ଏହି ଚର୍ଚ୍ଚା ଜୋର ଧରିଛି।

ନବୀନଙ୍କ ଅପାରଗତା ଯୋଗୁଁ ପାଣ୍ଡିଆନ ରାଜନୈତିକ ନିଷ୍ପତ୍ତି ନେଉଥିଲେ। ଆଉ ତାଙ୍କ ଟିମ୍ ସଦସ୍ୟମାନେ ବିଶ୍ୱାସଘାତକତା କରିବାରୁ ଏଭଳି ନିର୍ବାଚନୀ ପରିଣାମ ଆସିଛି। ଯେଉଁଥିପାଇଁ ଦଳ ଲୋକସଭାରେ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି। ଆଉ ଲୋକସଭା ସିଟ୍ ଟେକି ଦେଉଦେଉ ଏପଟେ ବିଧାନସଭା ବି ହାତରୁ ଖସିଯାଇଛି ବୋଲି ବିଧାୟକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଯାହାକୁ ଖୋଲାଖୋଲି ଭାବେ ପ୍ରମିଳା ଆଜି ଗଣମାଧ୍ୟମରେ ବୟାନ ରଖି ବିଜେଡି ବିଧାୟକମାନଙ୍କ ଅସନ୍ତୋଷକୁ ପଦାରେ ପକାଇଛନ୍ତି। ଏହାସହିତ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇ ପାଣ୍ଡିଆନଙ୍କ ମାମଲାତିକୁ ଖୋଲା ବିରୋଧ କରିବା ପାଇଁ ଦଳୀୟ ବିଧାୟକମାନେ ସଜବାଜ ହେଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ଅଭିଯୋଗରେ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ ଉଭୟ ଆଇପିଏସ୍ ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ। ଆଉ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ପାଇଁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। କିନ୍ତୁ ସେମାନେ ଜବାବ ଦାଖଲର ୩ମାସ ପରେ ମଧ୍ୟ ସେହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଏପଟେ ଚଳିତ ଡିସେମ୍ବର ୬ତାରିଖରେ କୁଟ୍ଟେଙ୍କୁ ବିଏସଏଫ ଆଇଜି ଓ ଆଶିଷ ସିଂଙ୍କୁ ଆଇଟିବିପି ଆଇଜି ଭାବେ ନିଯୁକ୍ତି ମିଳିଛି। ଉଭୟ ଅଫିସରଙ୍କୁ ତତ୍କାଳ ରିଲିଭ୍ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ଉଭୟ ଅଫିସରଙ୍କ ଡେପୁଟେସନ ନିଷ୍ପତ୍ତି ଡିସେମ୍ବର ୬ରେ ନେଇଥିଲେ ମଧ୍ୟ ଗଣମାଧ୍ୟମ ଏକାଦିନରେ ଏହା ଜାଣିବାର ସୁଯୋଗ ପାଇନଥିଲା।

୨୦୨୪ ନିର୍ବାଚନରେ ବିଜେଡି ଲୋକସଭା ନିର୍ବାଚନରେ ୩୭.୫୩ପ୍ରତିଶତ(୨୦୧୯ ନିର୍ବାଚନ ତୁଳନାରେ ୫.୨୭% କମ୍ ଭୋଟ) ଭୋଟ୍ ପାଇଥିବାବେଳେ ବିଧାନସଭାରେ ୪୦.୨୨% ଭୋଟ୍ ପାଇଛି। ଯଦିଓ ବିଜେଡି ସର୍ବାଧିକ ଭୋଟ୍ ପାଇଛି କିନ୍ତୁ ଦଳ ୬୧ଟି ସିଟ୍ ହରାଇଛି, ଆଉ ବିଜେପି ୪୦.୦୭% ଭୋଟ ହାର ସହ ୫୫ଟି ଅଧିକ ସିଟ୍ (ମୋଟ ୭୮ଟି ଆସନ) ପାଇ ପ୍ରଥମଥର ରାଜ୍ୟରେ ଏକାକୀ ସରକାର ଗଢ଼ିଛି ।

BjD Bjp Pramila Mallick IPS Ashish Singh IPS DS Kutey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe