ମାର୍ଚ୍ଚ ୧୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ (Rajya Sabha elections) ପାଇଁ ଶନିବାର ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ସେମାନେ ହେଉଛନ୍ତି ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା। ନବୀନ ନିବାସରେ ଡ. ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଡ. ସଂତୃପ୍ତ ମିଶ୍ରଙ୍କୁ ତୃତୀୟ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସବୁଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ନବୀନ କହିଥିଲେ, ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳ ଦୁଇ ଜଣଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ଆମର ପ୍ରଥମ ପ୍ରାର୍ଥୀ ହେଉଛନ୍ତି ଡ. ସଂତୃପ୍ତ ମିଶ୍ର। ତୃତୀୟ ଆସନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଆମ ଦଳର ଜଣେ ବରିଷ୍ଠ ସଦସ୍ୟ। ଆମର ଦ୍ୱିତୀୟ ପ୍ରାର୍ଥୀ ହେଉଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା। ସେ କମନ୍ କ୍ୟାଣ୍ଡିଡେଟ୍। ତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଯେହେତୁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ କ୍ୟାଣ୍ଡିଡେଟ୍, ତେଣୁ ତାଙ୍କୁ ସମର୍ଥନ କରିବାକୁ ମୁଁ ସବୁ ଦଳକୁ ନିବେଦନ କରୁଛି ସମର୍ଥନ କରିବାକୁ ଓ ରାଜ୍ୟସଭା ପଠାଇବାକୁ।
କର୍ପୋରେଟ୍ କ୍ଷେତ୍ରରୁ ଆସିଥିବା ସଂତୃପ୍ତ ମିଶ୍ର ରାଜ୍ୟବାସୀଙ୍କ ପାଇଁ ନୂଆ ମୁହଁ ନୁହନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ। ରାଜ୍ୟସଭା ନିର୍ବାଚନ ନେଇ ଯେଉଁ ଦିନଠାରୁ ଆଲୋଚନା ଆରମ୍ଭ ହେଲାଣି, ସେବଠାରୁ ଚର୍ଚ୍ଚାରେ ରହିଥିଲା ସଂତୃପ୍ତ ମିଶ୍ରଙ୍କ ନାଁ।
/filters:format(webp)/odisha-reporter/media/media_files/2026/02/28/hota-babu-2026-02-28-13-08-42.jpg)
ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଅପରଚିତ ନୁହନ୍ତି। ରାଜ୍ୟରେ ଚିକିତ୍ସା ସେବା କ୍ଷେତ୍ରରେ ସେ ଜଣେ ଜଣାଶୁଣା ନାଁ। ସେ ଜଣେ ପ୍ରସିଦ୍ଧ ୟୁରୋଲୋଜିଷ୍ଟ। ୟୁରୋଲୋଜିଷ୍ଟ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। SCB ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ସେ। SCB ମେଡିକାଲ୍ କଲେଜର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ସେ ହେଉଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ଓ ଲିଭର ଟ୍ରାନ୍ସପ୍ଲାଣ୍ଡ ୟୁନିଟ୍ ପ୍ରତିଷ୍ଠାରେ ତାଙ୍କର ଅବଦାନ ରହିଛି। ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ।
ନବୀନ ପଟ୍ଟନାୟକ ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରିବା ପରେ ସେ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସବୁ ଦଳରୁ ତାଙ୍କୁ ସମର୍ଥନ ମିଳିବ ବୋଲି ଡାକ୍ତର ଦତ୍ତେଶ୍ୱର ଆଶା ରଖିଥିବା କହିଛନ୍ତି।
ସେହିଭଳି ସଂତୃପ୍ତ ମିଶ୍ର ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ମୋତେ ମିଳିଥିବା ଗୁରୁଦାୟିତ୍ୱ ସଂପାଦନା କରିବି।
ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏ ନେଇ ଗତ ୧୮ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ECI) ପ୍ରେସ୍ନୋଟ୍ ଜାରି କରି ସୂଚନା ଦେଇଥିବା ବେଳେ ଦୁଇ ଦିନ ତଳେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ତା’ ମଧ୍ୟରେ ଓଡ଼ିଶାର ୪ଟି ଆସନ ରହିଛି।
ରାଜ୍ୟସଭା ନିର୍ବାଚନ ପାଇ ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ।
ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି।
ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ଏହି ସାଂସଦମାନେ ହେଉଛନ୍ତି- ମମତା ମହାନ୍ତ, ମୁନା ଖାନ୍, ସୁଜିତ୍ କୁମାର ଓ ନିରଞ୍ଜନ ବିଶି।
ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ତାମିଲନାଡୁର ୬ ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ। ସେହିପରି ଏପ୍ରିଲ ୯ ତାରିଖରେ ଆସାମର ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ବିହାରର ୫ଟି, ଛତିଶଗଡ଼ର ୨, ହରିୟାଣାର ୨, ହିମାଚଳ ପ୍ରଦେଶର ଗୋଟିଏ ଓ ତେଲେଙ୍ଗାନାର ୨ଟି ଆସନ ଖାଲି ହେବାକୁ ଯାଉଛି। ଏହି ସବୁ ରାଜ୍ୟରେ ଏହି ଆସନଗୁଡ଼ିକ ପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/naveen-patnaik-2026-02-28-14-05-50.jpg)