Advertisment

ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ

ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହେବ । ବିଜେଡି ପ୍ରାର୍ଥୀ ଭାବେ ଶ୍ରୀମତୀ ମଲ୍ଳିକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

author-image
Manoranjan Sial
ଅଦ୍ୟତନ ହୋଇଛି
Pramila Mallik

Pramila Mallik

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି ।

Advertisment

ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହେବ। ବିଜେଡି ପ୍ରାର୍ଥୀ ଭାବେ ଶ୍ରୀମତୀ ମଲ୍ଳିକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଆଜି ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ଶ୍ରୀମତୀ ମଲ୍ଲିକ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତାକାଲି ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ସହ ସେ ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

୧୯୬୩ ମସିହାରେ ଜନ୍ମିତ ଶ୍ରୀମତୀ ମଲ୍ଲିକ ବିଜେଡିର ବହୁ ପଦପଦବୀ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ଏବେ ବିଜେଡିର ଉପସଭାପତି ଓ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଯାଜପୁର ଜିଲ୍ଲାର ଏହି ୬୦ବର୍ଷ ବୟସ୍କା ନେତ୍ରୀଙ୍କୁ ଚଳିତ ଷୋଡ଼ଶ ବିଧାନସଭାରେ ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସେ ୨୦୨୨ ଜୁନ୍ ମାସରେ ସରକାରୀ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରିଥିଲେ ।

Advertisment

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ମାସ ଥିବାବେଳେ ଶ୍ରୀମତୀ ମଲ୍ଲିକଙ୍କ ଉପରେ ଦଳ ଭରସା କରିଛି । ନିର୍ବାଚନ ପୂର୍ବରୁ ବିଜେପି ମହିଳା କାର୍ଡ ଖେଳିଥିବାରୁ ବିଜେଡି ଏବେ ନିଜର ଜଣେ ବରିଷ୍ଠ ନେତ୍ରୀଙ୍କୁ ବାଚସ୍ପତି ପଦରେ ଆସୀନ କରି ମହିଳା କାର୍ଡ ଖେଳିବାକୁ ପ୍ରୟାସ କରିଛି । ସେ ଷଷ୍ଠ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏବେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

BjD