Advertisment

ସମୀରଙ୍କ ସବୁ ଚାପ ମାରିଲା ଫେଲ୍ , କାର୍ଯ୍ୟାନୁଷ୍ଠାନ ଭୟରେ ନରମିଗଲେ

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଆଜି ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ବିଜେଡି ଆଜି ନିଯୁକ୍ତି ଦେଇଛି

Sameer Das

Sameer Das

Advertisment

ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସବୁ ପ୍ରୟାସ ଫେଲ୍ ମାରିଛି । ବିଜେଡି ଆଜି ତାଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି । ଏହାସହିତ ଗତ ଦୁଇଦିନ ତଳେ ସମୀରଙ୍କ ସମର୍ଥନରେ ନିମାପଡ଼ା ବିଜେଡିର ଏକ ବୃହତ୍ ଗୋଷ୍ଠୀ ଦଳରୁ ସମୂହ ଇସ୍ତଫା ଦେବାର ଧମକ ମଧ୍ୟ ଦଳକୁ ପ୍ରଭାବିତ କରିନଥିବା ଜଣାପଡ଼ିଛି । ବିଜେଡି ଚାପ ଆଗରେ ମୁଣ୍ଡ ନୁଆଁଇ ସମୀର ନିରବ ରହିବାକୁ ଏକରକମ ବାଧ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା ।

Advertisment

ସୂଚନା ଅନୁସାରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଆଜି ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ବିଜେଡି ଆଜି ନିଯୁକ୍ତି ଦେଇଛି। ନିମାପଡ଼ା ବିଧାନସଭା ଆସନରୁ ଚଳିତଥର ସମୀରଙ୍କ ବଦଳରେ ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ସମୀରଙ୍କ ସମର୍ଥକମାନେ ଗତ କିଛିଦିନ ଧରି ବୈଠକ କରି ଟିକେଟର ପୁନର୍ବିଚାର କରିବା ପାଇଁ ଦଳ ଉପରେ ଚାପ ପକାଇ ଆସୁଥିଲେ । ଏପରିକି ଗତ ଦୁଇଦିନ ତଳେ ନିମାପଡ଼ା ବିଜେଡିର ସମସ୍ତ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ସମୂହ ଇସ୍ତଫା ଘୋଷଣା କରିବା ସହ ସମୀର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତୁ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଏହାର ପ୍ରଭାବ ଦଳ ଉପରେ ପଡ଼ିନାହିଁ । ଦିଲ୍ଲୀପଙ୍କ ଟିକେଟ ଉପରେ କୌଣସି ପୁନର୍ବିଚାର କରାଯିବ ନାହିଁ ବୋଲି ଦଳ ସମୀରଙ୍କୁ ରୋକଠୋକ୍ ଶୁଣାଇ ଦେବା ସହ ବିଜେଡି ପାଇଁ କାମ ନକଲେ ତା’ର ପରିଣାମ ଭୟଙ୍କର ହେବ ବୋଲି ତାଙ୍କୁ ଚେତାବନୀ ଦିଆଯାଇଥିବା ବିଜେଡି ମହଲରେ ଚର୍ଚ୍ଚା ।

ପୂର୍ବରୁ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସମୀରଙ୍କ ବିରୁଦ୍ଧରେ ଅନେକ ଅଭିଯୋଗର ତଥ୍ୟପ୍ରମାଣ ସରକାରଙ୍କୁ ମିଳିଥିବାରୁ ତାଙ୍କୁ ଟିକେଟ୍ ଦିଆଗଲାନି ବୋଲି ନିମାପଡ଼ାର ଦଳୀୟ ପଦାଧିକାରୀଙ୍କୁ ସୂଚନା ଦେଇଥିଲେ । ତା’ ସତ୍ତ୍ୱେ ନିମାପଡ଼ା ବିଜେଡିରେ ସମୀରଙ୍କ ସପକ୍ଷରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଦଳୀୟ କର୍ମୀ, ପଦାଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ବାହାରି ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ଚାପ ପକାଇ ଆସୁଥିଲେ । ଶେଷ ଅସ୍ତ୍ର ଭାବେ ସେମାନେ ଗତ ୪ତାରିଖରେ ଏକ ବୈଠକ କରି ସମୂହ ଇସ୍ତଫା ନିଷ୍ପତ୍ତି ନେଇଥିଲେ ।

Advertisment

ମାତ୍ର ସମୀରଙ୍କ ଉପରେ ଚାପ ପକାଯାଇ ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ବିରୋଧ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସମୀର ଯେଭଳି ନିମାପଡ଼ାରେ ନରହିବେ ସେଥିପାଇଁ ତାଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସମୀରଙ୍କ ବିରୁଦ୍ଧରେ ଥିବା ୨-୩ଟି ମାମଲାରେ ଅନେକ ତଥ୍ୟ ପ୍ରମାଣ  ପୁଲିସକୁ ମିଳିଥିବାରୁ କାର୍ଯ୍ୟାନୁଷ୍ଠାନର ଭୟ ମଧ୍ୟ ଦେଖାଯାଇଥିବା ଜଣାପଡ଼ିଛି ।

ଏସବୁକୁ ଦୃଷ୍ଟିରେ ରଖି ସମୀର ଏବେ ନିରବ ରହିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ତେବେ ସମୀରଙ୍କୁ ସମର୍ଥନ କରି ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆସୁଥିବା ନିମାପଡ଼ା ବିଜେଡିର ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ କିଭଳି ଦିଲ୍ଲୀପଙ୍କ ସହ ସାଲିସ୍ କରିବେ ତାକୁ ନେଇ ସଂଶୟ ଲାଗିରହିଛି ।

ଏବେ ସମୀର ନିଜେ ବିଜେଡିର ଚାପ ଓ କାର୍ଯ୍ୟାନୁଷ୍ଠାନ ଭୟ ଆଗରେ ମୁଣ୍ଡ ନୁଆଁଉଛନ୍ତି ନା ନିମାପଡ଼ାର ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କ ଚାପରେ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe