ଭାସ୍କର ରାଓଙ୍କୁ ସଂଗଠନରେ ଥଇଥାନ, ପୁଣି ମିଳିଲା ଉପସଭାପତି ପଦ

୨୦୨୦ ଜୁଲାଇ ମାସରେ ଦଳର କର୍ମକର୍ତ୍ତା କମିଟି ପୁନର୍ଗଠନବେଳେ ଶ୍ରୀ ରାଓ ବାଦ୍ ପଡ଼ିଥିଲେ । ଶ୍ରୀ ରାଓଙ୍କ ସମେତ ୫ଜିଲ୍ଲାରେ ମୋଟ ୬ଜଣ ନେତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ରାଜ୍ୟ ସମ୍ପାଦକ ପଦବୀରେ ଥଇଥାନ କରାଯାଇଛି ।

ବିଜେଡି ନେତା ଏନ୍‌. ଭାସ୍କର ରାଓ

  • Published: Friday, 07 July 2023
  • , Updated: 07 July 2023, 09:00 PM IST

ରାୟଗଡ଼ା ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କୁ ପୁଣିଥରେ ବିଜେଡି ନିଜର ସଂଗଠନରେ ଗୁରୁତ୍ୱ ଦେଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ରାଓଙ୍କୁ ବିଜେଡି ଆଜି ଦଳର ଉପସଭାପତି ଭାବେ ନିଯୁକ୍ତି ଦେଇଛି । ୨୦୨୦ ଜୁଲାଇ ମାସରେ ଦଳର କର୍ମକର୍ତ୍ତା କମିଟି ପୁନର୍ଗଠନବେଳେ ଶ୍ରୀ ରାଓ ବାଦ୍ ପଡ଼ିଥିଲେ । ଶ୍ରୀ ରାଓଙ୍କ ସମେତ ୫ଜିଲ୍ଲାରେ ମୋଟ ୬ଜଣ ନେତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ରାଜ୍ୟ ସମ୍ପାଦକ ପଦବୀରେ ଥଇଥାନ କରାଯାଇଛି ।

ବିଜେଡି ପକ୍ଷରୁ ଜାରି ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର ଏନ.ଭାସ୍କର ରାଓଙ୍କୁ ଦଳର ଉପସଭାପତି, କୋରାପୁଟ ଜିଲ୍ଲାର ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ, ଝାରସୁଗୁଡ଼ା ଜିଲ୍ଲାର ମହେନ୍ଦ୍ର ନାଏକ ଓ ମଙ୍ଗଳ ସାହୁଙ୍କୁ ରାଜ୍ୟ ସମ୍ପାଦକ, ବୌଦ୍ଧ ଜିଲ୍ଲାର ସୁଧୀର ମହାକୁଡ଼ ଓ କଳାହାଣ୍ଡି ଜିଲ୍ଲାର ବାବୁଲି ମଣ୍ଡଳଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନବେଳେ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇ ମଙ୍ଗଳ ସାହୁ ଓ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଆଦିବାସୀ ନେତା ମହେନ୍ଦ୍ର ନାଏକ ବିଜେଡିରେ  ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ଏବେ ନିଜର ବିଭିନ୍ନ ନେତାମାନଙ୍କୁ ସଂଗଠନରେ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଦଳର ପୁରୁଖା ନେତା ଭାସ୍କର ରାଓ ଗତ ପ୍ରାୟ ୩-୪ବର୍ଷ ଧରି ସଂଗଠନରେ କୋଣଠେସା ହୋଇ ରହିବା ପରେ ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ରାଓ ଦଳର ରାଜ୍ୟ ଉପସଭାପତି ଭାବେ ୨୦୧୬ ମାର୍ଚ୍ଚରୁ ୨୦୨୦ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । ସେ ବିଜେଡି ଟିକେଟରେ ୨୦୧୬ରୁ ୨୦୨୨ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ ।

Related story