Advertisment

Pandian’s Unyielding Push: ପାଣ୍ଡିଆନଙ୍କ ‘ସନ୍ତୃପ୍ତ ପ୍ରୀତି’ , ପୁଣି ବଳି ପଡ଼ିବ କି ଦଳ, ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ବିସ୍ଫୋରକ ସ୍ଥିତି

ବିଜେଡି କାହାକୁ କରିବ ରାଜ୍ୟସଭା ପ୍ରାର୍ଥୀ? କ’ଣ ରହିବ ମାପକାଠି? ଦଳ ଗୋଟିଏ ଆସନରେ ସୀମିତ ରହିବ ନା ନୂଆ ସମୀକରଣ ସହ ଦୁଇଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ? ନା ଜଣେ ପ୍ରାର୍ଥୀ ଦେଇ ଚିରାଚରିତ ଢଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେପି ପାଇଁ ଚତୁର୍ଥ ଆସନ ଜିଣିବାର ମାର୍ଗ ପ୍ରଶସ୍ତ କରିବ?

author-image
Prakaash Sethi
BJD-RAJYSABHA

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନହେଉଣୁ ବିଜେଡିରେ ଅଙ୍କକଷା ଓ ଅସନ୍ତୋଷ ଚରମସୀମାରେ। କର୍ପୋରେଟ ଜଗତରୁ ସିଧା ବିଜେଡିକୁ ଡିଆଁ ମାରିଥିବା ପାରାସୁଟ୍ ନେତା ସନ୍ତୃପ୍ତ ମିଶ୍ରଙ୍କ ଅଚାନକ ମାତ୍ରାଧିକ ସକ୍ରିୟତା ଓ ତାଙ୍କର ରାଜ୍ୟସଭା ପ୍ରାର୍ଥୀତ୍ୱ ନେଇ ଚାଲିଥିବା ଚର୍ଚ୍ଚା ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ଅସନ୍ତୁଷ୍ଟ କରାଇଛି । ସାଧାରଣ ନିର୍ବାଚନ ପରେ ଦଳକୁ ସଜାଡ଼ିବାକୁ ପ୍ରୟାସ କରିବା ପରିବର୍ତ୍ତେ  ଦଳ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ(ୱକଫ ବିଲରେ ଏନଡିଏ ସରକାରକୁ ସମର୍ଥନ, ନୂଆପଡ଼ାରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିବା)କୁ ଡାକି ଦଳୀୟ ସଂଗଠନକୁ ତଳିତଳାନ୍ତ କରିବାର ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି ।

Advertisment

ଆଉ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଏସବୁ କରାଉଥିବା ଏବଂ ନିଜର ଖାସ୍ ଅନୁଗତ ସନ୍ତୃପ୍ତଙ୍କୁ ସକ୍ରିୟ କରାଇ ରାଜ୍ୟସଭା ପଠାଇବା ରଣନୀତିକୁ ଚୂଡ଼ାନ୍ତ ରୂପ ଦେଉଥିବା ଚର୍ଚ୍ଚା ହେଉଛି ।

ପୁରୁଖା ନେତା ଅଣଦେଖା, ପାରାସୁଟ୍ ନେତାଙ୍କୁ ଗୁରୁତ୍ୱ

ବିଜେଡି ଜନ୍ମନେବା ଦିନରୁ ଯେଉଁ ନେତା-କର୍ମୀମାନେ ନିଜର ରକ୍ତ ଓ ଝାଳ ଦେଇ ସଂଗଠନକୁ ସୁଦୃଢ଼ କରିଥିଲେ, ସେମାନେ ଏବେ ନିଜକୁ ଅସହାୟ ମଣୁଥିବା ସୂଚନା ମିଳିଛି। ୨୦୨୪ ସାଧାରଣ ନିର୍ବାଚନବେଳେ କର୍ପୋରେଟ୍ ଚାକିରି ଛାଡ଼ିଥିବା ସନ୍ତୃପ୍ତ ମିଶ୍ର(Santrupt Misra)ଙ୍କୁ ଯେଭଳି ଢଙ୍ଗରେ ବିଜେଡି ସଂଗଠନରେ ଆଗକୁ ଆଣି ଗୁରୁତ୍ୱ ବୃଦ୍ଧି କରାଯାଇଛି ତାହା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ଏହାପଛରେ ଦଳର କେଉଁ ବାଧ୍ୟବାଧକତା ଲୁଚି ରହିଛି ତଥା ଦଳର ପୁରୁଖା ନେତାମାନଙ୍କୁ ଅଣଦେଖା କରିବା ସହ ସୁଚିନ୍ତିତ ଢଙ୍ଗରେ ସନ୍ତୃପ୍ତଙ୍କ ପ୍ରଭାବ ଦଳରେ ବୃଦ୍ଧି କରାଯିବା ପଛରେ କ’ଣ ରହସ୍ୟ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

୨୦୨୪ ଫେବୃୟାରୀରେ କର୍ପୋରେଟ ଚାକିରି ଛାଡ଼ି ବିଜେଡିରେ ମିଶିବାର କିଛି ଘଣ୍ଟା ମଧ୍ୟରେ ଜାତୀୟ ମୁଖପାତ୍ର ଓ ମାସକ ପରେ ତାଙ୍କୁ କଟକ ଭଳି ପ୍ରତିଷ୍ଠିତ ଆସନରୁ ଲୋକସଭା ପ୍ରାର୍ଥୀ କରାଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସାଂଗଠନିକ କାର୍ଯ୍ୟ ଓ ଦଳ ପାଇଁ ଲହୁଲୁହ ଦେବାରେ ସାମାନ୍ୟତମ ଅବଦାନ ନଥିବା ସନ୍ତୃପ୍ତ କଟକରେ ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ଏବେ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପରଦା ପଛରେ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା । ବିଭିନ୍ନ ଗଣମାଧ୍ୟମରେ ସନ୍ତୃପ୍ତଙ୍କ ଉପସ୍ଥିତି ମଧ୍ୟ ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି।

ପାଣ୍ଡିଆନଙ୍କ ‘ସନ୍ତୃପ୍ତ ପ୍ରୀତି’ ଓ କର୍ପୋରେଟ ଚାନ୍ଦା ଚର୍ଚ୍ଚା

ଯେଭଳି ଢଙ୍ଗରେ ବିଜେଡିରେ ସନ୍ତୃପ୍ତଙ୍କ ପତିଆରା ବୃଦ୍ଧି କରାଯାଇଛି, ତାହା ସ୍ୱାଭାବିକ ଭାବେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ‘ସନ୍ତୃପ୍ତ ପ୍ରୀତି’କୁ ପଦାରେ ପକାଇଥିବା ସାଧାରଣରେ ଚର୍ଚ୍ଚା। ବିଜେଡି ଶାସନରେ ଥିବାବେଳେ ସନ୍ତୃପ୍ତଙ୍କୁ ୨୦୨୧ ମସିହାରେ ଏକାମ୍ର ଏତିହ୍ୟ ପ୍ରକଳ୍ପର ଉପଦେଷ୍ଟା କମିଟି ଅଧ୍ୟକ୍ଷ କରିବା ଓ ୨୦୨୨ରେ ତାଙ୍କ ପତ୍ନୀ ଅଳକା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ କରାଯିବା ପରେ ତତକାଳୀନ ‘ସୁପର ସିଏମ୍‌’ ପାଣ୍ଡିଆନଙ୍କ ଘନିଷ୍ଠତା ଚର୍ଚ୍ଚାକୁ ଆସିଥିଲା।

ପାଣ୍ଡିଆନଙ୍କ ସନ୍ତୃପ୍ତ ପ୍ରୀତି ଏତିକିରେ ଥମିନଥିଲା। ୨୦୨୪ ଫେବୃୟାରୀରେ ସେ ବିଜେଡିରେ ମିଶିବା ପରେ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ଓ ସେ ଶୋଚନୀୟ ପରାଜୟ ପରେ ମଧ୍ୟ ତାଙ୍କୁ ୨୦୨୪ ଜୁଲାଇ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଏବଂ ୨୦୨୫ ମେ’ ମାସରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି(ରାଜନୀତିକ ବ୍ୟାପାର)ର ସଦସ୍ୟ ଭାବେ ନିଯୁକ୍ତି ମିଳିଲା।ଆଉ ଏସବୁ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପ୍ରଚେଷ୍ଟା ବିନା ସମ୍ଭବପର ନୁହେଁ ବୋଲି ଜଳଜଳ ଦିଶୁଛି।

କେଉଁ ଅଦୃଶ୍ୟ କାରଣ ପାଇଁ ସନ୍ତୃପ୍ତଙ୍କୁ ଏହି ‘ସୁପର ପ୍ରୋମୋସନ’ ମିଳୁଛି ତାକୁ ନେଇ ଦଳ ଭିତରେ କେହି ପ୍ରଶ୍ନ ନକରିବା ଏବେ ବିଜେଡିର ପୁରୁଖା ନେତାମାନଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି।

ଚର୍ଚ୍ଚା ହେଉଛି, ସନ୍ତୃପ୍ତ କାମ କରୁଥିବା କର୍ପୋରେଟ୍ ହାଉସ୍ ବିଜେଡି ଶାସନରେ ଥିବାବେଳେ ଦଳକୁ ପ୍ରଚୁର ଚାନ୍ଦା ଦେଇଛି ଓ ଏଥିରେ ସନ୍ତୃପ୍ତଙ୍କ ବଡ଼ ହାତ ରହିଛି। ତେବେ ପ୍ରଶ୍ନ ଉଠୁଛି, ବିନା ସ୍ୱାର୍ଥରେ କୌଣସି କମ୍ପାନୀ ଚାନ୍ଦା ଦିଏ କି? ରାଜ୍ୟ ସମ୍ପତ୍ତିକୁ ନିଜ ବ୍ୟବସାୟ ପାଇଁ ଢେରଗୁଣା ଉପଯୋଗ କରିବା ବଦଳରେ ଯେତିକି ଚାନ୍ଦା ଦେଇଥିବ ତାହା ସମୁଦ୍ରକୁ ଶଙ୍ଖେ ଭଳି । ତେଣୁ ଖାସ୍ ଏଇଥିପାଇଁ ସନ୍ତୃପ୍ତଙ୍କ ଯୋଗଦାନ କହି ତାଙ୍କୁ ଦଳରେ ମାତ୍ରାଧିକ ଗୁରୁତ୍ୱ ଦିଆଯିବା ଓ ତାଙ୍କୁ ରାଜ୍ୟସଭା ପଠାଇବାକୁ ପାଣ୍ଡିଆନ ପରଦା ପଛରେ ରହି ଗୋଟିଚାଳନା କରିବାକୁ ଦଳୀୟ ମହଲରେ ସହଜରେ ଗ୍ରହଣ କରାଯାଇପାରୁନଥିବା ଜଣାପଡ଼ିଛି।


ପୁରୁଖା ନେତାଙ୍କ ଖୋଲା ବିଦ୍ରୋହ ଓ ‘ନୂଆପଡ଼ା’ ଦଶା ଭୋଗିବେ କି?

ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ଅଶୋକ ପଣ୍ଡା ଓ ବଦ୍ରିନାରାୟଣ ପାତ୍ରଙ୍କ ଭଳି ଦଳର ବରିଷ୍ଠ ନେତାମାନେ ଯେଉଁ ମାପକାଠି ରଖିଛନ୍ତି ତାହା ପରୋକ୍ଷରେ ସନ୍ତୃପ୍ତଙ୍କ ଦାବିଦାରକୁ ଖାରଜ କରିସାରିଛି। ବିଧାନସଭାର ସଂଖ୍ୟାଗଣିତ ଅନୁସାରେ ବିଜେଡି ଭାଗରେ ମାତ୍ର ଗୋଟିଏ ରାଜ୍ୟସଭା ସିଟ୍ ପଡ଼ିବ। ପୂର୍ବରୁ ଅନେକ ଅବାଂଛିତ ମେରୁଦଣ୍ଡବିହୀନ ବ୍ୟକ୍ତି ଓ ଚାଟୁକାରଙ୍କୁ ରାଜ୍ୟସଭା ପଠାଇ ନବୀନ-ପାଣ୍ଡିଆନ ଯୋଡ଼ି ନିଜର ଅହଙ୍କାରର ପ୍ରମାଣ ଦେଇସାରିଛନ୍ତି।

ଦଳର ଜଣେ ଦୁଇଜଣ ରାଜ୍ୟସଭା ସାଂସଦଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କର ଦଳପ୍ରତି ଅବଦାନ,ଆନୁଗତ୍ୟ ନାହିଁ କି ଆଚରଣ-ଉଚ୍ଚାରଣରେ ଶାଳୀନତା ବି ନାହିଁ।ଏବେ ସମାନ ଢଙ୍ଗରେ ସନ୍ତୃପ୍ତଙ୍କୁ ଆଗକୁ ଆଣି ରାଜ୍ୟସଭା ପ୍ରାର୍ଥୀ କରାଯିବା ପାଇଁ ଯୋଜନା ଚାଲିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତା’ଛଡ଼ା ସନ୍ତୃପ୍ତଙ୍କ ଦଳ ପ୍ରତି ଅବଦାନ କହିଲେ କେବଳ ପାଣ୍ଡିଆନଙ୍କ ସହ ଘନିଷ୍ଠତା ମଧ୍ୟରେ ସୀମିତ। ନା ଦଳ ପାଇଁ ସେ କାର୍ଯ୍ୟ କରିଛନ୍ତି ନା କର୍ମୀ-ନେତାଙ୍କ କଷ୍ଟ ଲାଘବ ପାଇଁ ବିଗତ ଦେଢ଼ବର୍ଷ ମଧ୍ୟରେ ସାମାନ୍ୟ ପ୍ରୟାସ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ନୂଆପଡ଼ା ଉପନିର୍ବାଚନରେ ଦଳର ପୁରୁଖା ନେତାଙ୍କୁ ଚକମା ଦେଇ ପାଣ୍ଡିଆନ(Vk Pandian) ଯେଭଳି ନାଟକୀୟ ଢ଼ଙ୍ଗରେ ଜିଲ୍ଲା ବାହାରର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ଭାବେ ଲଦି ଦେଲେ ଓ ତାଙ୍କର ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଦଳର ନେତାମାନଙ୍କ ଉପରେ ଚାପ ପକାଇଲେ, ତା’ର ପରିଣାମସ୍ୱରୂପ ଦଳ ଲଜ୍ଜାଜନକ ପରାଜୟ ସହ ସେଠାରେ ତୃତୀୟ ସ୍ଥାନରେ ରହିଲା।

ଏବେ ରାଜ୍ୟସଭା ନିର୍ବାଚନ ପାଇଁ ସମାନ ସ୍ଥିତି ଉପୁଜିଛି। ପଂଚାୟତ-ପୌର ନିର୍ବାଚନ ଆଗରୁ ଯଦି ସନ୍ତୃପ୍ତ କିମ୍ବା ତାଙ୍କ ପତ୍ନୀଙ୍କୁ ରାଜ୍ୟସଭା ଦେଇ ପାଣ୍ଡିଆନ ପୁରସ୍କୃତ କରାନ୍ତି  ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତା ଏବଂ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ରଣେନ୍ଦ୍ରେ ପ୍ରତାପ ସ୍ୱାଇଁ ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଆଗଧାଡ଼ିର ନେତାମାନଙ୍କ ଅର୍କମଣ୍ୟତା ଓ ଚାଟୁକାରିତା ମନୋଭାବ ଯୋଗୁ ଲକ୍ଷଲକ୍ଷ କର୍ମୀ-ନେତାଙ୍କ ଦଳ ବିଜେଡି ନିଜର ଅକାଳ ମୃତ୍ୟୁର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା।

Vk Pandian Santrupt Misra