/odisha-reporter/media/post_attachments/uploadimage/library/16_9/16_9_0/IMAGE_1722871206.jpg)
Debi Mishra
ଚିକିତ୍ସା ପାଇଁ ରାଜ୍ୟ ବାହାରେ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦିଶାହୀନ ହୋଇପଡ଼ିଛି ଦଳ । ଅସ୍ଥାୟୀ ମୁଖିଆ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଅପାରଗତା ଓ ଦଳର ରାଜନୀତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବିଜେଡି ଏବେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ମୁଖ୍ୟ ପ୍ରସଙ୍ଗଠୁ ଦୂରେଇ ଯିବାରେ ଲାଗିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଓ ତାଙ୍କ ଖାସ୍ ଅନୁଗତଙ୍କୁ ଖୁସି କରିବାକୁ ଦେବୀ ଓ ତାଙ୍କ ଟିମ୍ ଏବେ ଦଳଡିଆଁ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ନୀଳଗିରି ବିଧାୟକ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ଆସନ୍ତାକାଲି ଭୁବନେଶ୍ୱରର ରାଜମହଲ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ୨୦୧୬ ଜୁନ୍ ୪ତାରିଖରେ ଖୋଦ୍ ଲେଖାଶ୍ରୀ ସାର୍ବଜନୀନ ଭାବେ ‘ଓଡ଼ିଶାର ମହିଳାମାନେ ଗୁଜୁରାଟ ଯାଇ ଦେହ ବ୍ୟବସାୟ’ କରୁଛନ୍ତି ବୋଲି ବିବାଦୀୟ ବୟାନ ଦେଇ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ । ଆଉ ସେତେବେଳେ ବିଜେଡି ଶାସନ ଥାଇ ମଧ୍ୟ ଲେଖାଶ୍ରୀଙ୍କ ବିରୁଦ୍ଧରେ ଦଳର ମହିଳା ନେତ୍ରୀମାନେ ଦେଇଥିବା ଏଫଆଇଆର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନଥିଲା।
କାହିଁକି ପ୍ରମୁଖ ପ୍ରସଙ୍ଗରୁ ଦୂରେଇ ଯାଉଛି ବିଜେଡି
ସାଧାରଣ ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ସଂଗଠନ କ୍ରମାଗତ ଭାବେ ଲୋକମାନଙ୍କ ସମସ୍ୟାଠୁ ଦୂରେଇ ଯିବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ସ୍ପଷ୍ଟୀକରଣ ସତ୍ତ୍ୱେ ଦଳୀୟ ବ୍ୟାପାରରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଏକଛତ୍ରବାଦୀ ଜାହିର କରିବାରେ ସକ୍ଷମ ହେଉଥିବା ଜଣାପଡ଼ିଛି । ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହେଉ ଅବା ଦଳୀୟ କର୍ମକର୍ତ୍ତା ଚୟନରେ ପାଣ୍ଡିଆନ ନିଜର ପତିଆରା ଦେଖାଇଥିବାବେଳେ ଏବେ ପରୋକ୍ଷରେ ତାଙ୍କ ନିର୍ଦ୍ଦେଶରେ ହିଁ ବିଜେଡି ସଂଗଠନ ପରିଚାଳିତ ହେଉଥିବା ବିଜେଡି ସୂତ୍ରରୁୁ ସୂଚନା ମିଳିଛି । ଦଳରେ ପାଣ୍ଡିଆନଙ୍କ ମାମଲାତି ପୂର୍ବ ଭଳି ଜାରି ରହିଥିବାକୁ ନେଇ ବିଜେଡିର ଆଗଧାଡ଼ିର ନେତାମାନେ ସ୍ୱୀକାର କରୁଥିଲେ ମଧ୍ୟ ଖୋଲାଖୋଲି କହିବାରେ ପଛଘୁଂଚା ଦେଉଛନ୍ତି । ନବୀନଙ୍କ ଅନୁପସ୍ଥିତିରେ ସାଂଗଠନିକ କାର୍ଯ୍ୟ ବୁଝିବା ଦାୟିତ୍ୱ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଉପରେ ନ୍ୟସ୍ତ ହୋଇଥିଲେ ମଧ୍ୟ ପାଣ୍ଡିଆନ ଓ ତାଙ୍କ ଅନୁଗତଙ୍କ ତୋଷାମଦି କରିବାରେ ଲିପ୍ତ ରହିଥିବାରୁ ବିଜେଡି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭୂମିକା ତୁଲାଇବାରେ ବିଫଳ ହେବାରେ ଲାଗିଛି । ଅବଶ୍ୟ ନବୀନ ଆସନ୍ତା ୧୨ତାରିଖରେ ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି ।
ତେବେ ପ୍ରଶାସନିକ କଳରେ ସମନ୍ୱୟ ଅଭାବରୁ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ରଥାରୁଢ଼ ତିନିଠାକୁର ନିଳାଦ୍ରି ବିଜେ କରିସାରିଲେଣି । ଏବେ ରଥଯାତ୍ରାର ତ୍ରୁଟି ଓ ମୂଲ୍ୟବାନ ଜୀବନ ଯିବାପଛରେ ଯେଉଁମାନଙ୍କ ଦାୟିତ୍ୱହୀନତା ଦାୟୀ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ବିରୋଧୀ ଦଳର କାର୍ଯ୍ୟ । କିନ୍ତୁ ବିଜେଡି ସୁଚିନ୍ତିତ ଢଙ୍ଗରେ ସେହି ପ୍ରସଙ୍ଗରୁ ଦୂରେଇ ଯାଇଛି । ସେହିପରି ରାଜ୍ୟର ବିଭିନ୍ନ ଭାଗରେ ବିଶେଷକରି ପଶ୍ଚିମଓଡ଼ିଶାରେ ଚାଷୀମାନେ ଧାନ ବିକ୍ରି କରିପାରିନଥିବାର ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି । ଏହାବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ବିଜେଡି ପ୍ରମୁଖ ବିରୋଧୀ ଦଳ ଭାବେ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ତଥାପି ଆଜି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏକ ପ୍ରସ୍ତୁତି ବୈଠକରେ ଦଳ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ନିଷ୍ପତ୍ତି ହୋଇଛି।
ଲେଖାଶ୍ରୀ-ସନ୍ତୋଷ ମୁହାଁମୁହିଁ, ଅତୀତ ଭୁଲିଯାଇଛି କି ବିଜେଡି
ସାଧାରଣ ନିର୍ବାଚନ ପୂର୍ବରୁ ଦଳଡିଆଁ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏବେ ମୁହାଁମୁହିଁ । ଲେଖାଶ୍ରୀଙ୍କ ବ୍ୟକ୍ତିଗତ ଆକ୍ଷେପର ପାଲଟା ଜବାବ ଦେଇ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏଭଳି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଯାହାକି ସଭ୍ୟ ସମାଜରେ କୌଣସି ମହିଳାଙ୍କ ପ୍ରତି କଦାପି ଗ୍ରହଣୀୟ ନୁହେଁ । କିନ୍ତୁ ଲେଖାଶ୍ରୀଙ୍କ ପ୍ରତି ସେ ଦେଇଥିବା ବୟାନ ପାଇଁ ଅନୁତପ୍ତ କିମ୍ବା କ୍ଷମା ମାଗିବାକୁ ପ୍ରସ୍ତୁତ ନଥିବା କହିବା ସହ ସନ୍ତୋଷ ଆଇନଗତ ଲଢ଼େଇ ଜାରି ରଖିବାର ସନ୍ଦେଶ ଦେଇଛନ୍ତି । ଏପଟେ ଲେଖାଶ୍ରୀଙ୍କ ପାଇଁ ବାଲେଶ୍ୱର ଓ ଭୁବନେଶ୍ୱରରେ ବିଜେଡି ନେତ୍ରୀମାନେ ଥାନାରେ ଏଫଆଇଆର ଦେଇଛନ୍ତି । ଲେଖାଶ୍ରୀ ମଧ୍ୟ ନିଜେ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଲେଖାଶ୍ରୀ ଓ ସନ୍ତୋଷଙ୍କ ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ମଧ୍ୟରେ ବିଜେଡିର ଭୂମିକାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ବିଜେଡି ନିଜର ଅତୀତକୁ ଭୁଲି ଏବେ ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଥିବା କୁହାଯାଉଛି । ୨୦୧୬ ଜୁନ୍ ମାସରେ ଏକ ଟିଭି ଚ୍ୟାନେଲର ବିତର୍କରେ ତତକାଳୀନ ବିଜେପି ନେତ୍ରୀ ଲେଖାଶ୍ରୀ(ଏବେ ବିଜେଡିରେ) ଗୁଜୁରାଟକୁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଶାର ପୁରୁଷମାନଙ୍କ ପତ୍ନୀମାନେ ସେଠାରେ ଦେହବ୍ୟବସାୟରେ ଲିପ୍ତ ଥିବାର ସାର୍ବଜନୀନ ବୟାନ ଦେଇଥିଲେ । ଏପରିକି ସେ ସମ୍ପୂର୍ଣ୍ଣ ହୋସରେ ଏହି ବୟାନ ଦେଇଛନ୍ତି ଓ ଏଥିପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କହିଥିଲେ । ଯାହାକୁ ନେଇ ସେତେବେଳେ ଶାସନରେ ଥିବା ବିଜେଡି ତୁମ୍ବିଂତୋଫାନ କରିଥିଲା । ଦଳର ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ମହିଳା ବିଜେଡି ପକ୍ଷରୁ ବିଜେପି ମାଗିବା ଓ ଲେଖାଶ୍ରୀଙ୍କ ଗିରଫ ଦାବିରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହିତ ଦଳ ପକ୍ଷରୁ ଭୁବନେଶ୍ୱରର ମହିଳା ଥାନାରେ ମଧ୍ୟ ଏକ ଏଫଆଇଆର ଦାଖଲ ହୋଇଥିଲା । କିନ୍ତୁ ତତକାଳୀନ ବିଜେଡି ସରକାରର ପୁଲିସ୍ ଲେଖାଶ୍ରୀଙ୍କୁ ଏଭଳି ବୟାନ ପାଇଁ ଗିରଫ କରିବା ତ ଦୂରର କଥା ସାମାନ୍ୟ ନୋଟିସ୍ ପଠାଇବାକୁ ମଧ୍ୟ ସକ୍ଷମ ହୋଇନଥିଲା । ଏବେ ସେହି ବିଜେଡି, ସେହି ଲେଖାଶ୍ରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ତାଙ୍କପ୍ରତି ସନ୍ତୋଷ ଖଟୁଆ ଦେଇଥିବା ବୟାନ ପାଇଁ ଆସନ୍ତା କାଲି ରାଜରାସ୍ତାରେ ପ୍ରତିବାଦ କରିବ । ଯାହାକି ବିଜେଡିର ଦୋମୁହାଁ ଚରିତ୍ରକୁ ପଦାରେ ପକାଇ ଦେଇଛି । ରାଜ୍ୟର ଗରିବ ମହିଳାମାନଙ୍କ ଚରିତ୍ରକୁ ସାମୁହିକ ଭାବେ ଆକ୍ଷେପ କରିଥିବା(ଅକ୍ଷମଣୀୟ) ଲେଖାଶ୍ରୀଙ୍କ ସପକ୍ଷରେ ବାହାରିବା ପୂର୍ବରୁ ବିଜେଡି କାହିଁକି ପ୍ରଥମେ ଲେଖାଶ୍ରୀଙ୍କଠୁ ତାଙ୍କ ପୂର୍ବ ବୟାନ ପାଇଁ କ୍ଷମା ଦାବି କରୁନି ।
କେବଳ ସେତିକି ନୁହେଁ ଶଙ୍ଖଭବନରେ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଦୁର୍ବ୍ୟବହାର, କଂଗ୍ରେସ ନେତା ସୁର ରାଉତରାୟଙ୍କ ଦ୍ୱାରା ଅଶାଳୀନ ଟିପ୍ପଣୀ, ଏଲିନା ଦାଶଙ୍କ ପ୍ରତି ବିରୋଧୀ ଦଳ ଦ୍ୱାରା ଅଶାଳୀନ ଟୀକାଟିପ୍ପଣୀ ଆଦି ପ୍ରସଙ୍ଗରେ ଚୁପ୍ ରହୁଥିବା ବିଜେଡି କିଭଳି ଓ କାହା ନିର୍ଦ୍ଦେଶରେ ଲେଖାଶ୍ରୀଙ୍କ ପାଇଁ ଏତେ ଆଗଭର ହେଉଛି ତାକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି । ଯଦିଓ ବିଧାୟକ ଶ୍ରୀ ଖଟୁଆ ଦେଇଥିବା ବୟାନ ନିନ୍ଦନୀୟ ଓ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି କିନ୍ତୁ ବିଜେଡି ଯେଭଳି ଦିଶାହୀନ ହୋଇ ପାତରଅନ୍ତର ନୀତି ଆପଣାଇବା ସହ ଲୋକଙ୍କ ସମସ୍ୟାରୁ ଦୂରେଇ ଯିବାରେ ଲାଗିଛି, ତାହା ତାକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
