Advertisment

ରାଜସ୍ୱ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ଅମଲା ଆନ୍ଦୋଳନ ପଛରେ ବିଜେଡି, ଦେଲେ ଚେତାବନୀ

ଅମଲା ଆନ୍ଦୋଳନ ପଛରେ ବିଜେଡିର ହାତ ଅଛି । ସୋମବାର ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅମଲା ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ମୁଁ ସ୍ପଷ୍ଟ କରୁଛି, ବିଜେଡି ଦ୍ୱାରା ପ୍ରେରିତ ହୋଇ ସଂଘର କିଛି ନେତା ଏହି ଆନ୍ଦୋଳନ ଜାରି ରଖିଛନ୍ତି ।

author-image
Ordigital Desk
Suresh Pujari

Suresh Pujari

ନିଜର ୧୦ଦଫା ଦାବି ନେଇ ଓଡ଼ିଶା ରାଜସ୍ୱ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୧୩ ଦିନରେ ପହଂଚିଛି । ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନ ଯୋଗୁ ସରକାରୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଏହି ଅମଲା ଆନ୍ଦୋଳନ ପଛରେ ବିଜେଡି ରହିଛି ବୋଲି କହିବା ସହ ସୋମବାର ସୁଦ୍ଧା ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କୁ ବାଟକୁ ଆଣିବା ପାଇଁ ସରକାରଙ୍କ ପାଖରେ ବହୁ ଅସ୍ତ୍ର ଅଛି ବୋଲି କହି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବିଜେଡି ଏହାକୁ ମନ୍ତ୍ରୀଙ୍କ ଚାଲି ନଜାଣି ବାଟର ଦୋଷ କହି ଏଡ଼ାଇ ଯାଇଛି ।

Advertisment

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିସ୍ଫୋରକ ବୟାନ:

ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅମଲା ଆନ୍ଦୋଳନ ପଛରେ ବିଜେଡିର ହାତ ଅଛି । ସୋମବାର ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅମଲା ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ମୁଁ ସ୍ପଷ୍ଟ କରୁଛି, ବିଜେଡି ଦ୍ୱାରା ପ୍ରେରିତ ହୋଇ ସଂଘର କିଛି ନେତା ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ସମସ୍ୟାର ସମାଧାନ ଚାହୁଁନାହାନ୍ତି । ବିଭିନ୍ନ ମହଲରୁ ମଧ୍ୟ ତଥ୍ୟ ଆସୁଛି ଯେ ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ ରଖାଯାଇଛି । ଅମଲାମାନଙ୍କ ଯାହା ଦାବି ରହିଛି ତାହା ହେଉଛି ଏହା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । ବିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନଃଗଠନ । ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି । ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି, ଗୋଟିଏ ବି ସମସ୍ୟାର ସମାଧାନ କରିନାହାନ୍ତି । ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି, ସେମାନଙ୍କୁ ଚିହ୍ନନ୍ତୁ । ସେମାନେ ମଙ୍ଗଳ ଚାହୁଁନାହାନ୍ତି । ଲୋକଙ୍କୁ ହଇରାଣ ନ କରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କିଛି ଲୋକ ଏବେ ବି ଭାବୁଛନ୍ତି ବିଜେଡି ସରକାର ଚାଲିଛି । ସେମାନେ କେଉଁ ନେତାଙ୍କୁ ଭେଟୁଛନ୍ତି, ତାର ରିପୋର୍ଟ ମୋ ପାଖରେ ଅଛି । ୮ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ କରିଦେବେ, ତାହା ହେବାକୁ ଦିଆଯିବ ନାହିଁ । ମୁଁ ପୁରା ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଚାହେଁନାହିଁ, କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ଥିଲେ ଓ ସଂପୂର୍ଣ୍ଣ କ୍ଷମତା ଉପଭୋଗ କରୁଥିଲେ, ସେମାନେ ଏବେ କ୍ଷମତାରୁ ଯିବାକୁ ହଜମ କରିପାରୁନାହାନ୍ତି ।  ମୋ’ ପାଖକୁ ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ, ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁନାହାନ୍ତି । ତେବେ ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଓ ଯଦି ସୁଧୁରିବେ ନାହିଁ ତଥା ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ, ତାହେଲେ ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି, ଯାହାକୁ ସେମାନେ ସମ୍ଭାଳିପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚେତାବନୀ ଦେଇ କହିଛନ୍ତି ।

ବିଜେଡିର ପାଲଟା ଜବାବ:

ବିଜେଡି ନେତା ଅଶୋକ ପଣ୍ଡା ମନ୍ତ୍ରୀଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି କହିଛନ୍ତି ଯେ, "ଚାଲି ନଜାଣି ବାଟର ଦୋଷ । ଅମଲା ସଂଘର ଦାବି ହୁଏତ ନ୍ୟାୟସଙ୍ଗତ ହୋଇଥିବ । ନିଜ ବିଭାଗର ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଅଛି । ସରକାର ସେ ଦାୟିତ୍ୱ ନିର୍ବାହ କରନ୍ତୁ ।ଅନ୍ୟକୁ ଦୋଷ ଦେବା ଛାଡ଼ନ୍ତୁ ।

Advertisment

ଅମଲା ସଂଘର ଦାବି:

ଓଡ଼ିଶା ରାଜସ୍ୱ ଅମଲା ସଂଘ ୧୦ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛି । ଏହା ମଧ୍ୟରେ ମୂଳ ଦରମାକୁ ଓଆରଏସପି-୨୦୧୭ ଅନୁଯାୟୀ ଲେବେଲ-୯କୁ ବୃଦ୍ଧି, ନୂତନ ପଦବୀ ସୃଷ୍ଟି, ସ୍ୱାସ୍ଥ୍ୟ ବୀମା ୨୦ ଲକ୍ଷ ଟଙ୍କା, ପୁରୁଣା ପେନସନ ଯୋଜନା ପୁନଃସ୍ଥାପନ ଏବଂ ୪ ବର୍ଷରେ ପଦୋନ୍ନତି ଆଦି ରହିଛି । ସଂଘର ସଦସ୍ୟ ବର୍ଣ୍ଣାଳୀ ନାୟକ କହିଛନ୍ତି, "ଆମେ ଲୋକଙ୍କ ଅସୁବିଧା ପାଇଁ ଦୁଃଖିତ, କିନ୍ତୁ ଆମର ନ୍ୟାୟସଙ୍ଗତ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ । ସଂଘର ଜିଦ୍ ଓ ସରକାରଙ୍କ କଡ଼ା ଆଭିମୁଖ୍ୟ ମଧ୍ୟରେ ସମାଧାନର ପଥ ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଏହି ଆନ୍ଦୋଳନ ଯୋଗୁ ବ୍ଲକ, ତହସିଲ ଓ ଜିଲ୍ଲାପାଳ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି ।