Advertisment

ନବୀନ ନିବାସ ବୈଠକ: ବିଜେପି ସହ ମେଂଟ ନେଇ ସୂଚନା ଦେଲେ ନବୀନ

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡକାଇ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି।

ଅଦ୍ୟତନ ହୋଇଛି
undefined

Naveen Patnaik

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଠିକ୍ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନୀ ମେଂଟ ହେବାକୁ ଯାଉଛି । ଗତ ଦେଢ଼ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମେଂଟ ଚର୍ଚ୍ଚା ଏବେ ସତ ପ୍ରମାଣିତ ହୋଇଛି । ନବୀନ ନିବାସରେ ଆଜି ଦଳର ବରିଷ୍ଠ ନେତାମାନଙ୍କ ସହ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ବିଜେପି ସହ ନିର୍ବାଚନୀ ମେଂଟ ନେଇ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ବିଜେପି ଓ ବିଜେଡି କେତେ ସିଟରେ ଲଢ଼ିବେ ଓ କେଉଁ ଫର୍ମୂଲାରେ ରାଜ୍ୟରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ମେଂଟ ହେବ ତାହା ଜଣାପଡ଼ିନି ।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡକାଇ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି । ବୈଠକରେ ବର୍ତ୍ତମାନର ରାଜନୀତିକ ପରିସ୍ଥିତି ଓ ବିଜେପି ସହ ସମ୍ଭାବ୍ୟ ମେଂଟ ନେଇ ସେ ଦଳର ନେତାମାନଙ୍କୁ ସୂଚନା ଦେଇଛନ୍ତି । ଏହାସହିତ ଦଳ ପକ୍ଷରୁ ଖୁବଶୀଘ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯିବ । ବୈଠକରେ କେଉଁ ଫର୍ମୂଲା(ଆସନ ସଂଖ୍ୟା)କୁ ନେଇ ଏହି ବୁଝାମଣା ହେଉଛି ତା’ର ବିସ୍ତୃତ ସୂଚନା ମିଳିପାରିନି ।

ନେତାମାନଙ୍କ ସହ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ମଧ୍ୟ ସମ୍ଭାବ୍ୟ ମେଂଟକୁ ନେଇ ଆଲୋଚନା କରିଛନ୍ତି । ନେତାମାନଙ୍କ ସହ ଆଲୋଚନା କରି ନବୀନ ପଟ୍ଟନାୟକ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫ଟା ୧୦ମିନିଟରେ ନବୀନ ନିବାସ ଛାଡ଼ିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ନବୀନଙ୍କ ସହ ଗୋଠପାଟଣାଠାରେ ଆଦିବାସୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଇଛନ୍ତି ।

Advertisment

ସମ୍ଭାବ୍ୟ ମେଂଟକୁ ନେଇ ଆଜି ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ପାଇଁ ସ୍ଥିର ହୋଇଥିଲା । ଯେଉଁଥିପାଇଁ ବିଜେଡି ନେତା ଭିକେ ପାଣ୍ଡିଆନ ଅନୁଗୁଳର କିଶୋରନଗର ବ୍ଲକରେ ଯୋଗଦେଇ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମକୁ ଶେଷମୁହୂର୍ତ୍ତରେ ବାତିଲ କରିଥିଲେ ।  ଆଉ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିଥିଲେ । ଏପଟେ ବିଜେଡିର ବରିଷ୍ଠ ନେତାମାନଙ୍କୁ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ନବୀନ ନିବାସରୁ ଫୋନ୍ ଯାଇଥିଲା ଓ ସାଢ଼େ ୩ଟାରେ ବୈଠକରେ ଯୋଗ ଦେବାକୁ ନିର୍ଦ୍ଦେଶ ମିଳିଥିଲା ।

ଆଜି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିବା ବୈଠକରେ ବିଜେଡି ନେତା  ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଜଗନ୍ନାଥ ସାରକା, ଟୁକୁନି ସାହୁ , ପ୍ରଦୀପ ଅମାତ, ଦେବୀପ୍ରସାଦ ମିଶ୍ର, ଉଷା ଦେବୀ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ, ସୁଶାନ୍ତ ସିଂ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ବିଜେଡି ଓ ବିଜେପି ମଧ୍ୟରେ ପ୍ରାୟ ୧୧ବର୍ଷର ମେଂଟ ସମ୍ପର୍କରେ ଗତ ୨୦୦୯ ମାର୍ଚ୍ଚ ୮ତାରିଖରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ବିଜେଡି ଓ ବିଜେପି ନିର୍ବାଚନୀ ବୁଝାମଣା କରି ୨୦୦୦ ଓ ୨୦୦୪ ସାଧାରଣ ନିର୍ବାଚନ ଲଢ଼ିଥିଲେ । ଏବେ ପୁଣିଥରେ ୧୫ବର୍ଷ ପରେ ଏହି ମେଂଟ ସମ୍ପର୍କ ଗଢ଼ି ଉଠିଛି ।

ବିଜେପି ସହ ମେଂଟ ସମ୍ପର୍କ ଛିନ୍ନ କରି ବିଜେଡି ୨୦୦୯ ସାଧାରଣ ନିର୍ବାଚନ ଏକାକୀ ଲଢ଼ିଥିଲା । ଆଉ ସେହି ନିର୍ବାଚନରେ ବିଜେଡିକୁ ୧୦୩ଟି ବିଧାନସଭା ସିଟ୍ (୩୮.୮୬%), ବିଜେପିକୁ ମାତ୍ର ୬ଟି (୧୫.୦୩%) ଓ କଂଗ୍ରେସକୁ ୨୭ଟି ଆସନ(୨୯.୧୨%) ଭୋଟ୍ ମିଳିଥିଲା । ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିକୁ ଅପେକ୍ଷାକୃତ ଅଧିକ ଭୋଟ ମିଳିବାରେ ଲାଗିଛି ।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ମଧ୍ୟ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ମେଂଟ ସଂକ୍ରାନ୍ତରେ ରାଜ୍ୟ ବିଜେପିର ନେତାମାନଙ୍କୁ ଅବଗତ କରାଯିବାର ସମ୍ଭାବନା ରହିଛି । ସେହି ବୈଠକରେ ଯୋଗ ଦେବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Odisha BjD Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe