‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଂଯୋଜକ ନିଯୁକ୍ତି ଆଳରେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଲା ଶାସକ ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ବିଭିନ୍ନ ଜିଲ୍ଲା ଓ ସବଡିଭିଜନର ସଂଯୋଜକ ଭାବେ ମୋଟ ୧୯ଜଣ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ସଂଯୋଜକମାନେ ବିଜେଡି ଦଳ ସହ ସମ୍ପୃକ୍ତ ।

ମଇଦାନରେ ଶ୍ରୀମୟୀ ମିଶ୍ର

  • Published: Saturday, 09 December 2023
  • , Updated: 09 December 2023, 08:08 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରୁଥିବା ବିଜେଡି ସରକାର ଆଜି କିଛି ଦଳୀୟ ନେତାଙ୍କୁ ‘ସଂଯୋଜକ’ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ଦଳୀୟ ନେତାମାନେ ପଂଚାୟତଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭଠୁ ଆରମ୍ଭ କରି ତଦାରଖ ଦାୟିତ୍ୱରେ ରହିବେ । ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୌଡ଼ରେ ଥିବା ନେତାମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ‘ସଂଯୋଜକ’ ଦାୟିତ୍ୱ ଦେଇ ଶାସକ ଦଳ ସେମାନଙ୍କୁ ତୃଣମୂଳସ୍ତରରେ କର୍ମୀ ଓ ସାଧାରଣ ଲୋକଙ୍କ ସହ ଆଗୁଆ ଲୋକସମ୍ପର୍କ ବଢ଼ାଇବାର ସୁଯୋଗ ଦେଇଛି । ଆଉ କିଛି ନେତାଙ୍କୁ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଥଇଥାନ ମଧ୍ୟ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ବିଭିନ୍ନ ଜିଲ୍ଲା ଓ ସବଡିଭିଜନର ସଂଯୋଜକ ଭାବେ ମୋଟ ୧୯ଜଣ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ସଂଯୋଜକମାନେ ବିଜେଡି ଦଳ ସହ ସମ୍ପୃକ୍ତ । ଏହି ନେତାମାନଙ୍କ(ସଂଯୋଜକ) ବିନା ସମ୍ମତିରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ମଧ୍ୟ ତୃଣମୂଳସ୍ତରରେ ସମ୍ଭବପର ହେବନି । ସ୍ଥାନୀୟ ବିଧାୟକମାନେ ନିଜ ନିଜ ଅଂଚଳର ‘ସଂଯୋଜକ’ମାନଙ୍କ ସହାୟତାରେ ହିଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ପଂଚାୟତାରେ ୫୦ଲକ୍ଷ ଟଙ୍କା ଲେଖାଏଁ ପ୍ରକଳ୍ପର ଶୁଭାରମ୍ଭ କରିପାରିବେ । ଯେହେତୁ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଓ ପ୍ରତ୍ୟେକ ଗାଁ ଗହଳିରେ ଲୋକଙ୍କ ପାଖରେ ପହଂଚିବା ପାଇଁ ଏହି ପ୍ରକଳ୍ପ ଶିଳାନ୍ୟାସ ଏକ ପ୍ରମୁଖ ମାଧ୍ୟମ, ତେଣୁ ବିଧାୟକମାନେ ଏହି ସୁଯୋଗକୁ ହାତଛଡ଼ା କରିବେ ନାହିିଁ । ମାତ୍ର ବିଜେଡି ପ୍ରାୟ ୪୫ ପ୍ରତିଶତ ବିଧାୟକଙ୍କୁ ଚଳିତଥର ଟିକେଟ୍ ଦେବାର ସମ୍ଭାବନା କ୍ଷୀଣ ଥିବାରୁ ଏହି ସଂଯୋଜକମାନେ ବେଶ୍ ଗୁରୁଦାୟିତ୍ୱ ତୁଲାଇବେ । ଏହି ସଂଯୋଜକମାନଙ୍କୁ ବିଶ୍ୱାସକୁ ନେଇ ହିଁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଂଚଳରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ କରିବ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ଯେଉଁ ୧୯ଜଣଙ୍କୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ସଂଯୋଜକ ଭାବେ ନିଯୁକ୍ତି ମିଳିଛି, ସେମାନେ ହେଲେ-

 

କୈଳାସ ଚନ୍ଦ୍ର ସାହୁ- ଅନୁଗୁଳ

ରଞ୍ଜନ ବାଗ- ବାଲେଶ୍ୱର

ଡଃ ସଞ୍ଜୟ ଦାସ-ଭଦ୍ରକ

ୱାଇ ଆର ରାଓ- ଗଜପତି

ରାଜୀବ ପାତ୍ର- କନ୍ଧମାଳ

ଶ୍ରୀମୟୀ ମିଶ୍ର- ଖୋର୍ଦ୍ଧା

ମଞ୍ଜୁଳା ମାଝୀ- ନବରଙ୍ଗପୁର

ଗଙ୍ଗାଧର ପଣ୍ଡା-ନୟାଗଡ଼

ରାମଲାଲ ହଂସ-ନୂଆପଡ଼ା

ଗୌରୀଶଙ୍କର ରାଓ-ରାୟଗଡ଼ା

ସିଦ୍ଧାନ୍ତ ଦାସ-ସମ୍ବଲପୁର

ବଦ୍ରିନାରାୟଣ ପଟ୍ଟନାୟକ- ଭବାନୀପାଟଣା ସବଡିଭିଜନ

ଆଦିତ୍ୟ ନନ୍ଦ-ଧର୍ମଗଡ଼ ସବଡିଭିଜନ

ଯୋଗେନ୍ଦ୍ର ସିଂ- ସୁନ୍ଦରଗଡ଼ ସବଡିଭିଜନ

ଲତା ସାହୁ-କୋରାପୁଟ ସବଡିଭିଜନ

ତୁଳସୀ କିରସାନୀ-ଜୟପୁର ସବଡିଭିଜନ

ଚିତ୍ତ ପଟ୍ଟନାୟକ-ମାଲକାନଗିରି

ଅମରେନ୍ଦ୍ର କର- ରାଇରଙ୍ଗପୁର ସବଡିଭିଜନ

ସୁନୀଲ କୁମାର ଦାସ- ବାରିପଦା ସବଡିଭିଜନ

ଏହି ନେତାମାନଙ୍କ ମଧ୍ୟରୁ ବିଜେଡି ଏବେ ଡଃ ସଞ୍ଜୟ ଦାସଙ୍କୁ ଭଦ୍ରକ ଲୋକସଭା ଅବା ଧାମନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଡାକ୍ତର ଦାସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି ।

ସେହିପରି ଭୁବନେଶ୍ୱର ସଂସଦୀୟ ଆସନରୁ ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଶ୍ରୀମତୀ ମିଶ୍ର ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ମାରାଥନ୍ ପଦଯାତ୍ରା କରୁଥିବା ଜଣାପଡ଼ିଛି ।

ସେହିପରି କନ୍ଧମାଳ ସଂଯୋଜକ ଦାୟିତ୍ୱରେ ନିଯୁକ୍ତି ପାଇଥିବା ରାଜୀବ ପାତ୍ର ହେଉଛନ୍ତି ବିଜେଡିର ପୂର୍ବତନ ବାଲିଗୁଡ଼ା ବିଧାୟକ । ଦଳ ଏବେ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ତେଣୁ ଏହି ସଂଯୋଜକ ଦାୟିତ୍ୱ ଦେଇ ଦଳ ତାଙ୍କୁ ଲୋକଙ୍କ ସହ ଜନସମ୍ପର୍କ ବୃଦ୍ଧି କରିବାର ମାର୍ଗ ପ୍ରଶସ୍ତ କରାଇଛି । ସେ ବାଲିଗୁଡ଼ା କିମ୍ବା ଜି.ଉଦୟଗିରିରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ସେହିପରି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ପଦରୁ ଗତ ସେପ୍ଟେମ୍ବର ମାସରେ ବାଦ୍ ପଡ଼ିଥିବା ଦଳର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଦାସଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଏମାନଙ୍କ ସମେତ ଅଧାରୁ ଅଧିକ ନେତାଙ୍କୁ ଦଳ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

Related story