ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରଠୁ ବିଜେଡିରେ ବିଦ୍ରୋହ ଥମିବାର ନାଁ ଧରୁନି । ଦଳ ଓ ସଂଗଠନ ଉପରେ ନିୟନ୍ତ୍ରଣ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଫେଲ୍ ମାରିବାରେ ଲାଗିଛି । ରାଜ୍ୟରେ ପ୍ରଥମ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବାବେଳେ ଲୋକଲଜ୍ଜା ଭୟରେ ଓ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି ନିଜର କର୍ମକର୍ତ୍ତା ସମ୍ମିଳନୀ ଡାକିଥିବା ଜଣାପଡ଼ିଛି ।
ନବୀନ ନବମ ଥର ଦଳର ରାଜ୍ୟ ସଭାପତି ହେବାପରେ ପ୍ରଥମଥର ପାଇଁ ଦଳର କର୍ମକର୍ତ୍ତା ସମ୍ମିଳନୀ ଡକାଯାଇଛି । ଦଳର ଏହି ସମ୍ମିଳନୀ ଯଦିଓ ‘ପରିବଦ୍ଧିର୍ତ କାର୍ଯ୍ୟକାରିଣୀ’ ଭଳି ହେବ କିନ୍ତୁ କର୍ମକର୍ତ୍ତା ତାଲିକାକୁ ନେଇ କେଁ ରହିଥିବାରୁ ଦଳ ଏବେ ଏହାକୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ କହି ଦଳୀୟ ମହଲରେ ଥିବା ଅସନ୍ତୋଷକୁ ଚପାଇବାକୁ ଉଦ୍ୟମ କରିିଛି । ଏହି ସମ୍ମିଳନୀରେ ଲୁଚାଛପାରେ ପ୍ରସ୍ତୁତ ହୋଇଥିବା ତାଲିକା ଆଧାରରେ ଦଳର ନବନିଯୁକ୍ତ ସମ୍ପାଦକ ଓ ଯୁଗ୍ମ ସମ୍ପାଦକମାନଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର କର୍ମକର୍ତ୍ତା ସମ୍ମିଳନୀ ଶଙ୍ଖଭବନରେ ବସି ରାଜନୀତିକ, ସାମାଜିକ ଓ ସାଂଗଠନିକ ପ୍ରସ୍ତାବ ପାରିତ ହେବ । ଏହି ବୈଠକରେ ସାମିଲ ହେବାକୁ ଦଳର ସମସ୍ତ ନବନିଯୁକ୍ତ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକମାନଙ୍କୁ କୁହାଯାଇଛି । ଏମାନଙ୍କ ବ୍ୟତୀତ ଦଳର ଅନ୍ୟ କିଛି ନେତାଙ୍କୁ ମଧ୍ୟ ନବୀନ ନିବାସରୁ ଫୋନ୍ କଲ ଯାଇଛି । ଯେଉଁମାନେ କି ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ଚର୍ଚ୍ଚା ହେଉଛି।
ଏହି ତାଲିକାକୁ ମଧ୍ୟ ବେଶ୍ ଗୋପନରେ ନବୀନ ନିବାସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯେଭଳି ପୂର୍ବରୁ ସାଧାରଣ ସମ୍ପାଦକ ଓ ଉପସଭାପତି ତାଲିକା ପ୍ରସ୍ତୁତ ହୋଇଥିଲା,ଠିକ୍ ସେହି ଢଙ୍ଗରେ ଏବେ ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ଏହି ଆଭାସ ମିଳିବା ପରେ ଦଳୀୟ ନେତାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ନବୀନ ସଭାପତି ହେବାପରେ ଏହା ପ୍ରଥମ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ହେବ । ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ନବୀନ ଆସନ୍ତାକାଲି ପ୍ରଥମଥର ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବେ ।
ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡିରେ କିଛିଟା ସୁଧାର ହେଉ ବୋଲି ଆମେମାନେ ଚାହୁଁଥିଲୁ । ସେ ସୁଧାର ଆସିଲେ ଦଳର ଅଗ୍ରଗତି ହେବ । ଦଳ ପ୍ରତି ଲୋକଙ୍କ ଆଦର ବଢ଼ିବ । ଦଳର ସାଂଗଠନିକ ଢ଼ାଂଚା ଓ ଅବ୍ୟବସ୍ଥାକୁ ନେଇ ସବୁଆଡ଼େ ଅସନ୍ତୋଷ ରହିଛି । ତା’ପ୍ରତି ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା କରୁଛୁ । ଅସନ୍ତୁଷ୍ଟ ଅଛନ୍ତି ଓ ଦଳ ବି ଅଛି ବୋଲି କହି ସେ ବିଜେଡିରେ ଯେ ସବୁକିଛି ଠିକ୍ ନାହିଁ ତା’ର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେଡିର ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, “ଆସନ୍ତକାଲି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଶଙ୍ଖଭବନରେ ବିଜେଡି ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ବସିବ । ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବିଜେପି ସରକାରର ଏକବର୍ଷର ବିଫଳତା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ । ସରକାର ଯାହା ସଫଳତାର ତଥ୍ୟ ଦେବେ ଆମେ ତାଙ୍କର ବିଫଳତାକୁ ପର୍ଦ୍ଦାଫାସ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି” ।
ଉଲ୍ଲେଖଯୋଗ୍ୟ, ବିଜେଡିର ସାଂଗଠନିକ ବ୍ୟାପାରରେ ନିଷ୍ପତ୍ତି କିଏ ନେଉଛି ତାକୁ ନେଇ ଦଳୀୟ ନେତାମାନେ ନାନାଦି ମତମନ୍ତବ୍ୟ ଦେବାରେ ଲାଗିଛନ୍ତି । ଆଉ ସମସ୍ତେ ଚାପାସ୍ୱରରେ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ପ୍ରଚ୍ଛଦପଟ୍ଟର ମାମଲାତିକୁ ମଧ୍ୟ ସ୍ୱୀକାର କରୁଥିବା ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।