Advertisment

ନବୀନଙ୍କ ଅନୁପସ୍ଥିତିରେ ବି ଚାଲିପାରିବ ବିଜେଡି: ଅରୁଣ ଦେଖାଇଲେ ଦମ୍ , ରାଜା ଖୋଲିଲେ ଗୁମର

ଦଳ ପରାଜିତ ହେବା ପରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନକୁ କ୍ରିୟାଶୀଳ କରିବା ସହ କର୍ମୀଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ଉଦ୍ୟମ ହେଉଥିଲେ ମଧ୍ୟ ନବୀନ ନିଜର ଚିରାଚରିତ ଢଙ୍ଗରେ ନବୀନ ନିବାସରୁ ବାହାରକୁ ଆସିବାକୁ ଉଚିତ୍ ମଣିନାହାନ୍ତି ।

BJD

BJD

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳ ନିଜର ସଂଗଠନ ସକ୍ରିୟ ରଖିବାରେ ସକ୍ଷମ ବୋଲି ପ୍ରମାଣିତ କରିଛି । ରାଜଭବନ ସମ୍ମୁଖରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ପକ୍ଷରୁ ଆୟୋଜିତ ଗଣଧାରଣା କାର୍ଯ୍ୟକ୍ରମରୁ ଏଭଳି ସନ୍ଦେଶ ମିଳିଛି । ସାଧାରଣ ନିର୍ବାଚନରେ ପରାଜିତ ପରଠୁ ତୀବ୍ର ଗୋଷ୍ଠୀକନ୍ଦଳ ଓ ନେତୃତ୍ୱ ସଙ୍କଟ(ନବୀନଙ୍କ ପରେ ଦ୍ୱିତୀୟ ନମ୍ବରରେ କିଏ)ମଧ୍ୟ ଦେଇ ଗତି କରୁଥିବା ବିଜେଡିର ସବୁବର୍ଗର ନେତାମାନଙ୍କୁ ଆଜି  ଏହି ଗଣଧାରଣାରେ ଦେଖିବାକୁ ମିଳିଥିଲା, ଯାହାକି ବିଜେଡି ପାଇଁ ଶୁଭସଙ୍କେତ ବୋଲି ଚର୍ଚ୍ଚା ହେଉଛି ।

Advertisment

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ଓବିସି ସେଲ୍ ଆବାହକ ତଥା ବରିଷ୍ଠ ବିଧାୟକ ଅରୁଣ ସାହୁ ନିଜର ନେତୃତ୍ୱ ଓ ଦମ୍ ଦେଖାଇଥିବାବେଳେ ଅନ୍ୟତମ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ସଭାମଂଚରୁ ସମାଲୋଚନା କରିବାକୁ ପଛାଇ ନଥିଲେ ।

ଦମ୍ ଦେଖାଇଲେ ଅରୁଣ

ତୀବ୍ର ଗୋଷ୍ଠୀକନ୍ଦଳ ଓ ପୁରୁଖା ନେତାମାନଙ୍କୁ କୋଣଠେସା କରାଯିବାକୁ ନେଇ ଦଳ ଭିତରେ ବଢ଼ିଚାଲିଥିବା ଅସନ୍ତୋଷ ମଧ୍ୟରେ ଓବିସି ସେଲ୍ ଆବାହକ ତଥା ବରିଷ୍ଠ ବିଧାୟକ ଅରୁଣ ସାହୁ ଆଜି ଏହି ଗଣଧାରଣା କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ନିଜର ଦମ୍ ଦେଖାଇଛନ୍ତି । ଦଳର ସବୁ ଗୋଷ୍ଠୀର ନେତାମାନଙ୍କୁ ଗୋଟିଏ ମଂଚରେ ଏକଜୁଟ କରି ସଂଗଠନରେ କୌଣସି ଫାଟ ନଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି । ଏପରିକି ଦୀର୍ଘଦିନ ଧରି ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ଶଶୀଭୂଷଣ ବେହେରାଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟ ସଭାମଂଚରେ ଦେଖିବାକୁ ମିଳିଥିଲା ।

Advertisment

ନିଜ ସରକାରରେ ପଛୁଆ ବର୍ଗଙ୍କୁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ଆବଶ୍ୟକ ସଂରକ୍ଷଣ ଦେବାରେ ବିଫଳ ବିଜେଡି ଏବେ ୨୭ ପ୍ରତିଶତ ସଂରକ୍ଷଣ ଦାବି ଆଳରେ ନିଜର ରାଜନୀତିକ ଗୋଟିଚାଳନା କରି ସଂଗଠନକୁ ସକ୍ରିୟ ରଖିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି । ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିଜେପି ସରକାରକୁ ସମାଲୋଚନା କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ଘଟଣା ବିଜେଡିର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିରେ ସହାୟକ ହୋଇଛି । ଏହାସହିତ ଦଳର ସବୁବର୍ଗର ନେତାମାନଙ୍କ ମଧ୍ୟରେ ନିଜର ଗ୍ରହଣୀୟତାକୁ ମଧ୍ୟ ପ୍ରମାଣିତ କରିବାରେ ଅରୁଣ ସାହୁ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

ନିଜ ନେତୃତ୍ୱଙ୍କ ତ୍ରୁଟି ବଖାଣିଲେ ରଣେନ୍ଦ୍ର

ଏହି ସମାବେଶରେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ତାଙ୍କ ଦଳର ସରକାରର ତ୍ରୁଟିପୂର୍ଣ୍ଣ ନୀତିକୁ ସଭାମଂଚରୁ ସମାଲୋଚନା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କହିଥିଲେ ଯେ “ଦଳ ଭିତରେ କିଛି ଲୋକ ଏସସି, ଏସଟି ଓ ଓବିସି ପ୍ରସଙ୍ଗକୁ ହୀନମନ୍ୟ କରୁଥିଲେ । ଓବିସି କମିଶନ ଗଠନ ସମୟରେ ବବି ଦାସ(ପ୍ରଣବପ୍ରକାଶ ଦାସ)ଙ୍କ ସହ ଲଢ଼େଇ କରିଥିଲି । ଓବିସି କମିଶନ ଗଠନ ଠିକ୍ କିନ୍ତୁ ମେଥୋଡୋଲୋଜି ଭୁଲ ଅଛି ବୋଲି କହିଥିଲି । ହିସାବ ଠିକ ଥିଲା, କିନ୍ତୁ ଅଙ୍କ ଭୁଲ ଥିଲା । ନିର୍ବାଚନ ପୂର୍ବରୁ ଯଦି ଦଳ ଏହି ପ୍ରସଙ୍ଗ ଉଠାଇଥାନ୍ତା, ତେବେ ରାଜ୍ୟର ରାଜନୈତିକ ଚିତ୍ର ଭିନ୍ନ ହୋଇଥାନ୍ତା ବୋଲି ରାଜା କହିଥିଲେ ।” 

ରାଜା ଏଭଳି ବୟାନ ଦେଇ ଓବିସି ସଂରକ୍ଷଣ ପ୍ରସଙ୍ଗରେ ଦଳର ନୀତି ଓ ନେତୃତ୍ୱଙ୍କୁ ଟାଗେର୍ଟ କରିଛନ୍ତି, ଯାହା ୨୦୨୪ ନିର୍ବାଚନରେ ବିଜେଡିର ପରାଜୟର ଏକ କାରଣ ବୋଲି ସେ ପରୋକ୍ଷରେ ସେ ସୂଚାଇଛନ୍ତି । 

ନବୀନଙ୍କ ଅନୁପସ୍ଥିତି: ଦଳ ଭିତରେ ଚର୍ଚ୍ଚା

ଦଳ ପକ୍ଷରୁ ଆୟୋଜିତ ଏହି ଗଣଧାରଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ଦଳୀୟ ମହଲରେ ନାପସନ୍ଦ କରାଯାଇଛି । ଦଳର ସଭାପତି ଓ ବିରୋଧୀ ଦଳ ନେତା ପଦରେ ଥାଇ ନବୀନ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉଚିତ୍ ମଣିନାହାନ୍ତି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ହଜାର ହଜାର ଆଗଧାଡ଼ିର କର୍ମୀମାନଙ୍କ ସମେତ ଦଳର ସବୁଗୋଷ୍ଠୀର ପୁରୁଖା ଓ ଆଗଧାଡ଼ିର ନେତାମାନେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଦଳ ପରାଜିତ ହେବା ପରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନକୁ କ୍ରିୟାଶୀଳ କରିବା ସହ କର୍ମୀଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ଉଦ୍ୟମ ହେଉଥିଲେ ମଧ୍ୟ ନବୀନ ନିଜର ଚିରାଚରିତ ଢଙ୍ଗରେ ନବୀନ ନିବାସରୁ ବାହାରକୁ ଆସିବାକୁ ଉଚିତ୍ ମଣିନାହାନ୍ତି । ଏହି କାର୍ଯ୍ୟକ୍ରମରେ ନବୀନଙ୍କ ଅନୁପସ୍ଥିତିକୁ ନେଇ ସୋସିଆଲ ମିଡିଆରେ ମଧ୍ୟ କଡ଼ା ସମାଲୋଚନା ହୋଇଛି । ନବୀନ ଏହି ଗଣଧାରଣାରେ ଅନୁପସ୍ଥିତ ରହି ପରୋକ୍ଷରେ ସେ ବିଜେପି ବିରୋଧରେ ଲଢ଼ିବାକୁ ଚାହୁଁନଥିବାର ସନ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ,ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଗତକିଛି ଦିନ ପୂର୍ବରୁ ୨୦୨୪ ନିର୍ବାଚନବେଳେ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ଦେଖି ନପାରିବା ଦଳର ପରାଜୟର ଏକ ମୁଖ୍ୟ କାରଣ ଥିଲା ବୋଲି କହିଥିଲେ । ସେହିପରି ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ନବୀନଙ୍କ ନବୁଲିବା ଓ ସମୟ ନଦେଇ ପାରିବାକୁ ଦଳର ପରାଜୟର କାରଣ ଭାବେ ଉଲ୍ଲେଖ କରିଥିଲେ । ଏବେ ସେହି ସମାନ ଢଙ୍ଗରେ ନବୀନ ଅନୁପସ୍ଥିତ ରହିଥିବାବେଳେ ଦଳ ମଧ୍ୟ ନବୀନଙ୍କ  ବିନା ସଂଗଠନକୁ କ୍ରିୟାଶୀଳ କରିବାର ମାର୍ଗ ପ୍ରଶସ୍ତ କରୁଥିବା ଚର୍ଚ୍ଚା ହେଉଛି ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe