ଖୁବଶୀଘ୍ର ବଦଳିବେ ବିଜେଡିର ଛାତ୍ର ଓ ଯୁବ ମୁଖିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଜୋରଦାର କରୁଥିବା ଶାସକ ବିଜେଡି ନିଜର ଯୁବ ଓ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ ତଥା ସୁଦୃଢ଼ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ବିଶେଷକରି ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟଙ୍କ ଅପାରଗତା ଓ ବିବାଦୀୟ ଭୂମିକା ତଥା ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ସାଂଗଠନିକ କାର୍ଯ୍ୟକ୍ରମରେ ଅଭିଜ୍ଞତାର ଅଭାବ ଯୋଗୁ ଗତ ପ୍ରାୟ ୩ବର୍ଷ ଧରି ଦଳର ଏହି ଦୁଇ ଛାମୁଆ ସଂଗଠନ […]

BJD

Ordigital Desk
  • Published: Thursday, 15 December 2022
  • , Updated: 15 December 2022, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଜୋରଦାର କରୁଥିବା ଶାସକ ବିଜେଡି ନିଜର ଯୁବ ଓ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ ତଥା ସୁଦୃଢ଼ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ବିଶେଷକରି ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟଙ୍କ ଅପାରଗତା ଓ ବିବାଦୀୟ ଭୂମିକା ତଥା ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ସାଂଗଠନିକ କାର୍ଯ୍ୟକ୍ରମରେ ଅଭିଜ୍ଞତାର ଅଭାବ ଯୋଗୁ ଗତ ପ୍ରାୟ ୩ବର୍ଷ ଧରି ଦଳର ଏହି ଦୁଇ ଛାମୁଆ ସଂଗଠନ ଅକାମୀ ହୋଇ ପଡ଼ିରହିଛି । ଦଳର ଭୋଟବ୍ୟାଙ୍କ ବୃଦ୍ଧି, ଦଳ ସପକ୍ଷରେ ସାଧାରଣରେ ଜନମତ ସୃଷ୍ଟି ଓ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇ ବିରୋଧୀଙ୍କ ଆକ୍ରମଣକୁ ମୁହଁତୋଡ଼ ଜବାବ ଦେବା ଦିଗରେ ବର୍ତ୍ତମାନର ବିଜେଡି ଯୁବ ଓ ଛାତ୍ର ନେତୃତ୍ୱ ଏବଂ ତାଙ୍କ ଟିମ୍ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଥିବାରୁ ସେମାନଙ୍କୁ ହଟାଇ ଏହାର ଦାୟିତ୍ୱ ନୂଆ ନେତାଙ୍କ ହାତରେ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଦଳର ଛାତ୍ର ଓ ଯୁବ ସଂଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହି ଦୁଇ ସଂଗଠନର ସଭାପତି ଓ ତାଙ୍କ ଟିମର ଅପାରଗତା ଓ ନିଷ୍କ୍ରିୟତା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଯୁବ ସଭାପତି ଓ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଛାତ୍ର ସଭାପତି ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଏପରିକି ସେମାନଙ୍କୁ ନିଜର ଟିମ୍ ଚୟନ ନିମନ୍ତେ ମଧ୍ୟ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ଯାହାର ସୁଯୋଗ ନେଇ ଛାତ୍ର ଓ ଯୁବ ଟିମ୍ ଗଠନବେଳେ ତୋଷାମଦକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରାଯାଇଥିଲା । ଦଳର ଏହି ଛାତ୍ର ଓ ଯୁବ ସଂଗଠନର ପରାମର୍ଶଦାତା ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମଧ୍ୟ ଦାୟିତ୍ୱ ମିଳିଥିଲା ।

ତେବେ ବିଭିନ୍ନ ଦୁର୍ନୀତି ଓ କେଳେଙ୍କାରୀ ପାଇଁ ବିବାଦରେ ରହୁଥିବା ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କ ଗ୍ରହଣୀୟତାକୁ ନେଇ ଦଳ ଭିତରେ ଅସନ୍ତୋଷ ଥିଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଦଳର ବରିଷ୍ଠ ନେତାମାନେ ମଥାପାତି ଗ୍ରହଣ କରିନେଇଥିଲେ । କିନ୍ତୁ ଗତ ୩ବର୍ଷ ମଧ୍ୟରେ ଦଳର ଯୁବ ଓ ଛାତ୍ର ସଂଗଠନ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇ ରହିଥିବା ତଥା ଏହି ନେତାମାନଙ୍କର ବିବାଦୀୟ ଭୂମିକା ଯୋଗୁ ଦଳକୁ କ୍ରମାଗତ କ୍ଷତି ସହିବାକୁ ପଡ଼ିଥିବାରୁ ସେମାନଙ୍କୁ ହଟାଇବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଦଳର ଛାତ୍ର ଓ ଯୁବ ସଂଗଠନ ଦାୟିତ୍ୱ ଆଳରେ ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ଧରାକୁ ସରା ମଣି ଅନ୍ୟ ବିଧାୟକମାନଙ୍କ ସହ ସମନ୍ୱୟ ରକ୍ଷା କରୁନଥିବାର ଫଳ ଏବେ ଦଳକୁ ଅଡ଼ୁଆରେ ପକାଇଛି । ବିଶେଷକରି ଯୁବ ଓ ଛାତ୍ର ସଂଗଠନ ସମ୍ପୂର୍ଣ୍ଣ ଦିଗହରା ପାଲଟି ଯାଇଛି । ଏପରିକି ୨୦୧୯ ଅଗଷ୍ଟରେ ଗଠିତ ଯୁବ ଓ ଛାତ୍ର ଟିମକୁ ୨୦୨୨ରେ ପୁର୍ନଗଠନ କରାଯାଇଥିଲେ ମଧ୍ୟ ଏହି ମୁଖିଆମାନଙ୍କ କାର୍ଯ୍ୟରେ କୌଣସି ସୁଧାର ପରିଲକ୍ଷିତ ହୋଇପାରିନି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡି ୭ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ଦଳର ଛାତ୍ର ଓ ଯୁବ ସଂଗଠନର ଭୂମିକା ଆଖିଦୃଶିଆ ରହିପାରିନି ।

ଧାମନଗର ଉପନିର୍ବାଚନରେ ଦଳର ଛାତ୍ର ଓ ଯୁବ ସଂଗଠନ ଭରସାରେ ବିଜେଡି ନେତୃତ୍ୱ ରହିବା ମଧ୍ୟ ଦଳକୁ ବେଶ୍ ମହଙ୍ଗା ପଡ଼ିଲା । ଧାମନଗର ଉପନିର୍ବାଚନରେ ବିଜେଡି ନିଜର ଯୁବ ଓ ଛାତ୍ର ସଂଗଠନ ଉପରେ ଭରସା କରି ଅନ୍ୟ ବରିଷ୍ଠ ନେତାମାନଙ୍କୁ ସେଠାରେ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବାର ଫଳ ଦଳକୁ ପରାଜୟ ଆକାରରେ ମିଳିଥିଲା । ତା’ଛଡ଼ା ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କ ବିଭ୍ରାନ୍ତକାରୀ ଯୁକ୍ତି ଓ ତଥ୍ୟ ଉପରେ ଭରସା କରିବା ମଧ୍ୟ ବିଜେଡିକୁ ମହଙ୍ଗା ପଡ଼ିଲା ଓ ଦୀର୍ଘ ବର୍ଷ ପରେ ବିଜେଡିକୁ ପରାଜୟର କଳଙ୍କ ମୁଣ୍ଡାଇବାକୁ ପଡ଼ିଥିଲା ।

ସେହିପରି ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ପିତା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ବିଭିନ୍ନ ସମୟରେ ଦଳକୁ ଅଡ଼ୁଆରେ ପକାଇବା ଭଳି ବୟାନବାଜି କରୁଥିବାବେଳେ ଦେବୀଙ୍କ ଗ୍ରହଣୀୟତା ମଧ୍ୟ ହ୍ରାସ ପାଇଛି । ଦେବୀଙ୍କୁ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଏପରିକି ଉଭୟ ଯୁବ ଓ ଛାତ୍ର ସଭାପତି ଆଜି ପର୍ଯ୍ୟନ୍ତ ସମସ୍ତ ସାଂଗଠନିକ ଜିଲ୍ଲାକୁ ଗସ୍ତ କରି କର୍ମୀମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ମଧ୍ୟ ଉଦ୍ୟମ କରିନାହାନ୍ତି । ଓଲଟା ଦିଲ୍ଲୀ ଦରବାରରେ ମଦ ପିଇ କିଛି ଛାତ୍ର ଓ ଯୁବନେତା ଓଡ଼ିଶାର ନାଁକୁ ବଦନାମ କରିବାକୁ ମଧ୍ୟ ପଛାଇ ନାହାନ୍ତି । ବିଜେଡି ସଂଗଠନ ସହ ଦୀର୍ଘବର୍ଷ ଧରି ଜଡ଼ିତ ଅଭିଜ୍ଞ ଯୁବନେତାମାନଙ୍କୁ ଅଣଦେଖା କରି ଯୁବ ମହାସଚିବ ପଦବୀରେ ଜଣେ ଟିଭି ଅଭିନେତ୍ରୀଙ୍କୁ ଅବସ୍ଥାପିତ କରିବା, ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା, ଦଳୀୟ କାର୍ଯ୍ୟକ୍ରମ ଆଳରେ ମଉଜମସ୍ତିରେ ମସଗୁଲ ରହିବା ଭଳି ଏବଂ ଦଳର ଭୋଟବ୍ୟାଙ୍କ ବୃଦ୍ଧି ସହ ବିରୋଧୀଙ୍କ ଟ୍ରୋଲ୍ ଟିମକୁ କଡ଼ା ଜବାବ ଦେବା ଭଳି କାର୍ଯ୍ୟ ନକରିବା ଏବେ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି ।

ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଜର ଯୁବ ଓ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛି । ଆଉ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡିର ଯୁବ ଓ ଛାତ୍ର ମୁଖିଆଙ୍କୁ ପରିବର୍ତ୍ତନ କରାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

Related story