/odisha-reporter/media/post_attachments/uploadimage/library/16_9/16_9_0/Naveen_1744118008.jpg)
Naveen
ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିରେ ଉଠିଥିବା ଝଡ଼ ଏବେ ଦଳକୁ ଦୁଇଫାଳ କରିସାରିଲାଣି । ଦଳୀୟ ବିଶୃଙ୍ଖଳା ଚରମସୀମାରେ ପହଂଚିଲାଣି । ଦଳର ନେତାମାନେ ଯିଏ ଯାହା ପାରିଲା ଗଣମାଧ୍ୟମକୁ ଆସି ବୟାନ ଦେବାରେ ଲାଗିଲେଣି । ତଥାପି ‘ରୋମ ଜଳୁଥିବାବେଳେ ନିରୋଙ୍କ ବଂଶୀବାଦନ’ଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ବିନ୍ଦାସରେ ଅଛନ୍ତି। ନା ମୁହଁ ଖୋଲୁଛନ୍ତି ନା ବଢ଼ୁଥିବା ଦଳୀୟ ଅରାଜକତାକୁ ପ୍ରଶମିତ ପାଇଁ ଆକ୍ସନ ନେଉଛନ୍ତି ।
ଏସବୁ ଭିତରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଆଜି ଦୀର୍ଘଦିନ ପରେ ପୁଣିଥରେ ନବୀନ ନିବାସରେ ନିଜର ମାମଲାତି ଦେଖାଇବା ଆରମ୍ଭ କରିଛନ୍ତି । ନବୀନଙ୍କ ଉପସ୍ଥିତିରେ ବବି ଆଜି ନବୀନ ନିବାସ ଯାଇଥିବା ଦଳର ବରିଷ୍ଠ ନେତାମାନଙ୍କ ଉପରେ ହାକିମାତି ଦେଖାଇଥିଲେ ମଧ୍ୟ ନବୀନଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି।
ଚର୍ଚ୍ଚା ହେଉଛି, ନବୀନଙ୍କୁ ଭେଟୁଥିବା ନେତାମାନେ କିଏ କ’ଣ କହିଲା ତାହା ଉପରେ ନଜର ରଖିବାକୁ ପାଣ୍ଡିଆନ ହିଁ ବବିଙ୍କୁ ନବୀନ ନିବାସ ପଠାଇଥିଲେ । ଆଜିର ବୈଠକରେ ସାମିଲ ଥିବା ନେତାମାନଙ୍କ ସୂତ୍ର ଅନୁସାରେ, ଦଳରେ ଏତେ ବଡ଼ ଅସ୍ଥିରତା ଜାରି ରହିଥିଲେ ମଧ୍ୟ ନବୀନ ସେସବୁ ପାଇଁ ଚିନ୍ତିତ ଥିବା ଭଳି ତାଙ୍କ ‘ବଡ଼ି ଲାଙ୍ଗୁଏଜ୍’ ଓ ଆଚରଣରୁ ଜଣାପଡ଼ୁନଥିଲା। ଅନ୍ୟପକ୍ଷରେ ଦଳୀୟ କନ୍ଦଳକୁ ଅଧିକ ଗୋଳିଆ କରିବାକୁ ପାଣ୍ଡିଆନ ଓ ବବି ନିଜର ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି।
ନବୀନଙ୍କୁ ଭେଟିଲେ ବରିଷ୍ଠ ନେତା, ମାମଲାତି କଲେ ବବି
ନବୀନ ନିବାସ ସୂତ୍ର ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଦଳର ବରିଷ୍ଠ ନେତା ଏୟୁ ସିଂହଦେଓ ଓ ତାଙ୍କପୁଅ କଳିକେଶ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଓ ପ୍ରତାପ ଦେବ ଯାଇଥିଲେ । ଏହି ନେତାମାନେ ନବୀନଙ୍କୁ ଭେଟିବାକୁ ଯାଇଥିବା ଖବର ପାଇବା ପରେ ବବି ସଙ୍ଗେସଙ୍ଗେ ନବୀନ ନିବାସ ଧାଇଁଥିଲେ । ଯଦିଓ ନବୀନ ନିବାସରୁ ବବିଙ୍କୁ ଡକାଯାଇନଥିଲା କିମ୍ବା ତାଙ୍କ ଦ୍ୱାରା କୌଣସି କାର୍ଯ୍ୟ ନଥିଲା । ପରେ ଦଳର ଆଗଧାଡ଼ିର ନେତା ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ନବୀନ ନିବାସ ଯାଇଥିଲେ । ନବୀନ ସମସ୍ତଙ୍କୁ ଏକାଠି ବସାଇ ଅଳ୍ପ ସମୟ କଥା ହୋଇ ଭିତରକୁ ପଳାଇଥିଲେ । ନବୀନଙ୍କ ଉପସ୍ଥିତିରେ ସାଂଗଠନିକ ନିର୍ବାଚନକୁ ନେଇ ଚାଲିଥିବା ଆଲୋଚନାରେ ବବି ପୁଣିଥରେ ପୁରୁଣା ଢଙ୍ଗରେ ହାକିମାତି ଦେଖାଇଥିଲେ ।
ଦଳର କିଛି ସାଂଗଠନିକ ଜିଲ୍ଲାର ସଭାପତି ପଦବୀରେ ବବି ନିଜର ଅନୁଗତଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ସେହି ଜିଲ୍ଲାର ନିଷ୍ପତ୍ତି ‘ସାର’ (ନବୀନ ପଟ୍ଟନାୟକ) ନେବେ କହି ସେସମ୍ପର୍କରେ ଅଧିକ ଆଲୋଚନା କରାଇ ଦେଇନଥିଲେ ବୋଲି ଜଣାପଡ଼ିଛି । ଦଳର ନିର୍ବାଚନୀ ବିପର୍ଯ୍ୟୟ ଓ ଏବେ ଜାରି ରହିଥିବା ଅସ୍ଥିରତା ସତ୍ତ୍ୱେ ବବିଙ୍କ ପୁଣିଥରେ ଏଭଳି ମାମଲାତିକୁ ସେଠାରେ ଉପସ୍ଥିତ ନେତାମାନେ ନାପସନ୍ଦ କରୁଥିଲେ ମଧ୍ୟ ନବୀନଙ୍କୁ ସମ୍ମାନ ଜଣାଇ ଚୁପ୍ ରହିଥିଲେ । ଆଉ ବବିଙ୍କ ଏଭଳି ମାମଲାତିକୁ ନବୀନ ମଧ୍ୟ ‘ପୋଷାଶୁଆ’ ଭଳି ନିରବ ରହିଥିଲେ ବୋଲି ସୂଚନା ମିଳିଛି।
ଚର୍ଚ୍ଚା ହେଉଛି, ରିଙ୍ଗମାଷ୍ଟର ପାଣ୍ଡିଆନଙ୍କ ପ୍ରରୋଚନାରେ ନବୀନ ଦଳୀୟ ନେତାମାନଙ୍କ ସହ ବୈଠକରେ ନିରବ ରହି ବବିଙ୍କୁ ହାକିମାତିର ସୁଯୋଗ ଦେଇଥିଲେ । ତେବେ ଦାୟିତ୍ୱରେ ଦଳର ଆଗଧାଡ଼ିର ନେତାମାନଙ୍କ ଉପସ୍ଥିତିରେ ସାଂଗଠନିକ ଆଲୋଚନା ନକରି ‘ସାର୍’ ନିଷ୍ପତ୍ତି ନେବେ କହିବା ଓ ନବୀନ ନିବାସରୁ ଗୋଡ଼ କାଢ଼ୁନଥିବା ତଥା କାହାରିକୁ ଭେଟୁନଥିବା ନବୀନ କିଭଳି ସେସବୁ ସାଂଗଠନିକ ଜିଲ୍ଲାଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନେବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଦୀର୍ଘ ୧୦ମାସ ମଧ୍ୟରେ ବବିଙ୍କୁ ନବୀନ ନିବାସରେ ପ୍ରଥମଥର ଡିଏମକେ ପ୍ରତିନିଧି ଦଳଙ୍କ ବୈଠକରେ ଦେଖିବାକୁ ମିଳିଥିଲା।
ଜିଲ୍ଲାସ୍ତରର ନେତାମାନଙ୍କ ସହ ବୈଠକ ଆଧାରରେ ନିଆଯାଇଥିବା ସମୂହ ନିଷ୍ପତ୍ତିକୁ ଡଷ୍ଟବିନରେ ପକାଇ ବବି ନିଜର ଖାସ୍ ଅନୁଗତଙ୍କୁ କିଛି ଜିଲ୍ଲାରେ ଦଳର ସଭାପତି ପଦବୀରେ ବସାଇବା ନିମନ୍ତେ ଏବେଠୁ ଯୋଜନା କରିଛନ୍ତି । ଯେଉଁଥିପାଇଁ ନବୀନଙ୍କ ସହ ବୈଠକରେ ଏସବୁ ଉପରେ ଆଲୋଚନା କରାଇବା ଉପରେ ବାଧକ ସାଜିଥିଲେ ବବି ବୋଲି ଜଣାପଡ଼ିଛି। ନବୀନଙ୍କୁ ସଖିକଣ୍ଡେଇ ସଜାଇ ପାଣ୍ଡିଆନ ନିଜର ଅନୁଗତ ବବିଙ୍କ ମାଧ୍ୟମରେ ଯେକୌଣସି ଉପାୟରେ ସଂଗଠନକୁ ନିଜ ଦଖଲରେ ରଖିବାକୁ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।
ଚରମରେ ବିଶୃଙ୍ଖଳା , ଗୋଳିଆ କରି ରଫାଦଫା ପାଇଁ ପ୍ରୟାସ
ୱକଫ୍ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ନେଇ ଦୁଇଫାଳ ହୋଇଥିବା ବିଜେଡିରେ ଉଦ୍ଦେଶ୍ୟମୂଳକ ଭାବେ ବିଶୃଙ୍ଖଳାକୁ ଚରମସୀମାରେ ପହଂଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଯେଉଁମାନେ ପାଣ୍ଡିଆନଙ୍କ ନେତୃତ୍ୱ ଓ କର୍ତ୍ତୃତ୍ୱକୁ ବିରୋଧ କରିବେ ସେମାନେ ଯେଭଳି ଆପେଆପେ ବିଜେଡି ଛାଡ଼ି ପଳାଇବେ ସେଭଳି ମାହୋଲ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଦଳ ଏବେ ପାଣ୍ଡିଆନମାର୍କା ବିଜେଡି ଓ ପୁରୁଣା ବିଜେଡି ଭଳି ଦୁଇଟି ଗୋଷ୍ଠୀରେ ବିଭାଜନ ହୋଇସାରିଲାଣି । ନବୀନଙ୍କ ଅସହାୟତାର ଫାଇଦା ଉଠାଇ ପାଣ୍ଡିଆନମାର୍କା ବିଜେଡି ଏବେ ଦଳକୁ ନିଜ ନିୟନ୍ତ୍ରଣରେ ରଖିଛି । ମାତ୍ର ପାଣ୍ଡିଆନଙ୍କ ପ୍ରତି ସାଧାରଣରେ ରହିଥିବା ତୀବ୍ର ଅସନ୍ତୋଷ ଓ ଦଳର ବୃହତ୍ ଗୋଷ୍ଠୀଙ୍କ ତୀବ୍ର ବିରୋଧକୁ ଦେଖି କାହାରି ଉପରେ ‘ଆକ୍ସନ’ ନେବା ପାଣ୍ଡିଆନମାର୍କା ବିଜେଡି ପକ୍ଷେ ସହଜ ହେଉନାହିଁ । ଯଦିଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପାଣ୍ଡିଆନଙ୍କ ଟିମ୍ ପ୍ରୟାସ କରିଥିଲା କିନ୍ତୁ ଦଳର ଅନ୍ୟ ଗୋଷ୍ଠୀର ତୀବ୍ର ବିରୋଧକୁ ଦେଖି ସେଥିରେ ସଫଳ ହୋଇପାରିନଥିଲେ ।
ଦେବାଶିଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଖବର ବବି ନିଜେ ଆଗକୁ ଆଣିଥିଲେ ବୋଲି ଚର୍ଚ୍ଚା । ଯଦି ଦେବାଶୀଷଙ୍କ ଉପରେ ଆକ୍ସନ ନିଆଯିବ ତା’ହେଲେ ସସ୍ମିତ ପାତ୍ର ଓ ମୁନ୍ନା ଖାନ୍ଙ୍କ ଉପରେ ମଧ୍ୟ ନିଆଯାଉ ବୋଲି ଦାବି ହୋଇଛି । ଯୁବ ବିଜେଡି ରାଜ୍ୟ ସମ୍ପାଦକ ନୀଳମାଧବ ମହାନ୍ତି ସିଧାସଳଖ ‘ଡିଲ୍’ ପାଇଁ ମାନସ ମଙ୍ଗରାଜଙ୍କୁ ଦାୟୀ କରିଥିବାବେଳେ ଦଳର କିଛି ପୂର୍ବତନ ଯୁବବିଧାୟକ ଏକଜୁଟ ହୋଇ ପାଣ୍ଡିଆନଙ୍କୁ ବିରୋଧ ଓ ମୁନ୍ନା ଖାନଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି । ଆଉ ସସ୍ମିତଙ୍କୁ ‘ଭିଲିଆନ୍’ ଦର୍ଶାଇବାକୁ ମାନସ ମଧ୍ୟ ବୟାନ ରଖିଛନ୍ତି । ଭୋଟ୍ ପ୍ରସଙ୍ଗରେ ସସ୍ମିତଙ୍କ ସହ କୌଣସି କଥା ହୋଇନାହାନ୍ତି ବୋଲି ମାନସ କହିଥିବାବେଳେ ଚଳିତ ସପ୍ତାହରେ ସସ୍ମିତଙ୍କୁ ଓଡ଼ିଶା ନଆସିବା ନିମନ୍ତେ ପାଣ୍ଡିଆନଙ୍କ ପକ୍ଷରୁ କୁହାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।
ସେହିପରି ପାଣ୍ଡିଆନ ଦଳର ସଦସ୍ୟ ନୁହଁନ୍ତି ବୋଲି ବିଜେଡି ନେତାମାନେ ସଫେଇ ଦେଉଥିଲେ ମଧ୍ୟ ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାହା କହିଲେ ଦଳୀୟ ସାଂସଦମାନେ କାହିଁକି ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ୪ଜଣ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଂଟିଆ ଓ ସନାତନ ବିଶିଙ୍କ ସମେତ କଟକ ମେୟର ସୁବାସ ସିଂ ଯେଉଁଭଳି ଢଙ୍ଗରେ ‘ପାଣ୍ଡିଆନ ସ୍ତୃତି’ ଗାନ କରୁଛନ୍ତି ତାହା ସେମାନଙ୍କର ଅଯୋଗ୍ୟତା ଓ ଚାଟୁକାରିତାର ପ୍ରମାଣ ଦେଉଛି ବୋଲି ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
