/odisha-reporter/media/post_attachments/uploadimage/library/16_9/16_9_0/BJD_1715097735.jpeg)
BJD
ବିଜେଡି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଶହେ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ପାଇଁ ଶୂନ ବିଲ୍ ଓ ୧୦୦ରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ୫୦ ୟୁନିଟ୍ ପାଇଁ ରିହାତି ମିଳିବ । ରାଜ୍ୟର ୮୫-୯୦% ଜନସଂଖ୍ୟାକୁ ଏହି ସୁବିଧା ମିଳିବ । ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ବିଦ୍ୟୁତ୍ ସବସିଡି ଲାଗୁ ହେବ । ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ରାଜ୍ୟରେ କ୍ଷମତାସୀନ ବିଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାରରେ ଏଭଳି ପ୍ରତିଶ୍ରୁତି ଦେଇଛି । ତେବେ ଓଡ଼ିଶା ତୁଳନାରେ ବିଦ୍ୟୁତ ଉତ୍ପାଦନରେ ବହୁ ପଛୁଆ ଥିବା ରାଜ୍ୟ ଦିଲ୍ଲୀ,କର୍ଣ୍ଣାଟକ,ପଞ୍ଜାବ ଓ ରାଜସ୍ଥାନ ସରକାର ନିଜର ରାଜ୍ୟବାସୀଙ୍କୁ ୨୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେଉଥିବାବେଳେ ଦୀର୍ଘ ୨୫ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ଏହି ନିର୍ବାଚନୀ ପ୍ରତିଶ୍ରୁତି ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି । ସବୁ ବର୍ଗର ଲୋକଙ୍କୁ ଘୋଷିତ ପରିମାଣ(୧୦୦ୟୁନିଟ୍ ପର୍ଯ୍ୟନ୍ତ)ର ବିଦ୍ୟୁତ ମାଗଣା ମିଳିପାରିବ ନାହିଁ ବୋଲି ବିଜେଡିର ଇସ୍ତାହାରରୁ ସ୍ପଷ୍ଟ ହୋଇଛି ।
ଆଜି ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରେ କହିଛି ଯେ, ଓଡ଼ିଶାର ୭୫ ପ୍ରତିଶତ ପରିବାର ୧୦୦ୟୁନିଟରୁ କମ୍ ବିଦ୍ୟୁତ ବ୍ୟବହାର କରୁଛନ୍ତି । ଅନ୍ୟ ୧୦ ପ୍ରତିଶତ ପରିବାର ୧୦୦ରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଛନ୍ତି । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଉଛି । ତେଣୁ ଶକ୍ତି ସୁରକ୍ଷା ସହିତ ଏହି ୮୫-୯୦% ଜନସଂଖ୍ୟା ପାଇଁ ଶହେ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଉପଯୋଗ କରୁଥିବା ଗ୍ରାହକମାନେ ଶୂନ ବିଲ୍ ପାଇବେ । ୧୦୦ରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକଙ୍କୁ ୫୦ୟୁନିଟ୍ ପାଇଁ ରିହାତି ମିଳିବ । ମଧ୍ୟବିତ୍ତ ପରିବାରଙ୍କୁ ବିଦ୍ୟୁତ ସବସିଡି ମିଳିବ । ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ।
ତେବେ ପଡ଼ୋଶୀ ଝାଡ଼ଖଣ୍ଡରେ ମାସିକ ୧୨୫ୟୁନିଟ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ବିଦ୍ୟୁତ ଯୋଗାଉ ଦିଆଯାଉଥିବାବେଳେ ଦିଲ୍ଲୀରେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଓ ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫୦ପ୍ରତିଶତ ସବିସିଡି, କର୍ଣ୍ଣାଟକରେ ୨୦୦ୟୁନିଟ୍, ତେଲେଙ୍ଗାନାରେ ୨୦୦ୟୁନିଟ୍ , ପଞ୍ଜାବରେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ରାଜ୍ୟବାସୀଙ୍କୁ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି । ଏହି ରାଜ୍ୟ ବ୍ୟତୀତ ଅନେକ ରାଜ୍ୟ ନିଜର ଚାଷୀ ଓ ଦଳିତ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଇ ଦେଉଥିବା ଜଣାପଡ଼ିଛି । ତେଣୁ ବିଜେଡିର ଏହି ମାଗଣା ବିଦ୍ୟୁତ ଯୋଜନା ବିଶେଷ ଉତ୍ସାହବର୍ଦ୍ଧକ ହୋଇପାରିନି । ସରକାର ଗୋଟିଏପଟେ ବିଦ୍ୟୁତ ଦରକୁ ଆକାଶଛୁଆଁ କରାଇ ଅନ୍ୟପଟେ ସବସିଡି ଦେବା କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି ।
ସେହିପରି ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧ ସବସିଡି, ଗ୍ରାମୀଣ ଗୃହ ଯୋଜନାରେ ୧୦ଲକ୍ଷ ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦେବା କଥା ନିଜ ଇସ୍ତାହାରରେ ଉଲ୍ଲେଖ କରି ବିଜେଡି ପରୋକ୍ଷରେ ରାଜ୍ୟରେ ସମସ୍ତଙ୍କ ମୁଣ୍ଡକୁ ଛାତ ଦେବାରେ ବିଫଳ ହୋଇଥିବା ସ୍ୱୀକାର କରିଛି । ଯଦିଓ ଦଳ ୨୦୧୪ ମସିହା ନିର୍ବାଚନୀ ଇସ୍ତାହାରରେ ସମସ୍ତଙ୍କ ମୁଣ୍ଡରେ ଛାତ ଦେବାର ପ୍ରତିଶ୍ରୁତି ଦେଇଥିଲା । ଏପରିକି ‘ଆଶ୍ରୟ ସୁରକ୍ଷା ମିଶନ’ ଗଢ଼ି ସମସ୍ତଙ୍କୁ ଛାତଘର ଦେବାର ନିର୍ବାଚନୀ ପ୍ରତିଶ୍ରୁତି ୧୦ବର୍ଷ ପରେ ବି ଅପୂରଣୀୟ ହୋଇ ରହିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
