Advertisment

କାହାର କଟିବ ଟିକେଟ୍ : ବିଜେଡି କରୁଛି ସର୍ଭେ, ପରଖୁଛି ଲୋକଙ୍କ ମୁଡ୍‌

ଆଗାମୀ ନିର୍ବାଚନରେ କାହାର ଟିକେଟ୍ କଟିବ ଓ କିଏ ରହିବ ତଥା ଏବେ ସ୍ଥାନୀୟ ଲୋକେ ସେମାନଙ୍କ ସମ୍ପର୍କରେ କି ମତାମତ ଦେଉଛନ୍ତି ତାକୁ ନେଇ ବିଜେଡି ବିଧାୟକମାନଙ୍କ ମନରେ ଛନକା ପଶିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

CM Naveen Patnaik

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ସହ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ଗତ ୨୩ ବର୍ଷ ଧରି କ୍ଷମତାସୀନ ବିଜେଡି ରାଜ୍ୟର ଭୋଟରଙ୍କ ମୁଡ୍ ପରଖିବାକୁ ଏବେ ରାଜ୍ୟ ବାହାରର ସଂସ୍ଥା ମାଧ୍ୟମରେ ‘ସର୍ଭେ ’ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ସର୍ଭେ ରିପୋର୍ଟ ଆଧାରରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ପୁଣି ଥରେ ବିଧାୟକ ଓ ସାଂସଦ ଭାବେ ରିପିଟ୍ କରିବ ତଥା କେଉଁଠି ନୂଆ ମୁହଁ ଦେବ ତା’ର ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି। ଏବେ ବାଲେଶ୍ୱର ଜିଲ୍ଲାରେ ଏହି ସର୍ଭେ ଟିମ୍ ଭୋଟର ତାଲିକା ଧରି ଗାଁକୁ ଗାଁ ବୁଲି ପ୍ରାୟ ୨୧ଟି ପ୍ରଶ୍ନ ମାଧ୍ୟମରେ ଭୋଟରଙ୍କ ମୁଡ୍ ପରଖୁଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଏକ ସଂସ୍ଥା ଏବେ ଓଡ଼ିଶାରେ ବିଜେଡି ନିମନ୍ତେ ସର୍ଭେ କାର୍ଯ୍ୟ ଚଳାଇଛି । ବାଲେଶ୍ୱର ଜିଲ୍ଲାରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଭୋଟର ତାଲିକା ଧରି ଯାଉଥିବା ଏହି ଟିମ୍ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଲୋକଙ୍କ ମତାମତ ସଂଗ୍ରହ କରୁଛି। ପ୍ରାୟ ୨୧ଟି ପ୍ରଶ୍ନର ଉତ୍ତର ଏହି ଟିମ୍ ସଂଗ୍ରହ କରୁଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ବାଲେଶ୍ୱର ବିଜେଡି ବିଧାୟକ ସ୍ୱରୂପ ଦାସ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ତାଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ସର୍ଭେ ଚାଲିଥିବାକୁ ସ୍ୱୀକାର କରିଛନ୍ତି । କିନ୍ତୁ କିଏ ଓ କାହିଁକି ଏଭଳି ସର୍ଭେ କରୁଛି ତାହା ସେ ଜାଣନ୍ତି ନାହିଁ । ଗତ ୬-୭ଦିନ ହେଲା ତାଙ୍କ ନିର୍ବାଚନମଣ୍ଡଳୀରେ ଏହି ସର୍ଭେ ହେଉଥିବା ନେଇ ତାଙ୍କ ଦଳର କର୍ମୀମାନେ ତାଙ୍କୁ ଜଣାଇଛନ୍ତି । ଏନେଇ ସେ ମଧ୍ୟ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି।

Advertisment

ବିଜେଡି ସୂତ୍ର ଅନୁସାରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଦଳର ନବାଗତ ବିଧାୟକମାନଙ୍କ ମଧ୍ୟରୁ ପ୍ରାୟ ୫୦% ବିଧାୟକଙ୍କ ଟିକେଟ୍ କାଟିବା ସହ କିଛି ପୁରୁଖା ନେତାଙ୍କୁ ମଧ୍ୟ ଟିକେଟ୍ ନଦେବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବଦ୍ରିନାରାୟଣ ପାତ୍ର, ଅଶ୍ୱିନୀ ପାତ୍ର, ନୃସିଂହ ସାହୁ, ଶଶୀଭୂଷଣ ବେହେରା, ପଦ୍ମନାଭ ବେହେରା, ଉଷା ଦେବୀ, ପ୍ରମୋଦ ମଲ୍ଲିକ, ଜିତୁ ମିତ୍ର , ପ୍ରଫୁଲ୍ଲ ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଭୂପିନ୍ଦର ସିଂ ଆଦିଙ୍କୁ ଦଳୀୟ ଟିକେଟ୍  ଦେବାର ସମ୍ଭାବନା କ୍ଷୀଣ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବ ବୋଲି ଜଣାପଡ଼ିଛି । ଦଳର ୪୬ଜଣ ନୂଆ ବିଧାୟକ(ପ୍ରଥମଥର ନିର୍ବାଚିତ)ଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତଙ୍କୁ ପୁଣି ଟିକେଟ୍ ଦେଇନପାରେ । ଦଳ ପାଖରେ ଏବେ ୧୬ଜଣ ମହିଳା ବିଧାୟିକା ଥିବାବେଳେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ୍ ଦେବା ଉପରେ ବିଜେଡି ନେତୃତ୍ୱ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି । ତେବେ ଏହି ସର୍ଭେ ରିପୋର୍ଟ ଆଧାରରେ ଦଳ ନିଜର ରଣନୀତିକୁ ଚୂଡ଼ାନ୍ତ କରିବ ବୋଲି ସୂଚନା ମିଳିଛି।

ଆଗାମୀ ନିର୍ବାଚନରେ କାହାର ଟିକେଟ୍ କଟିବ ଓ କିଏ ରହିବ ତଥା ଏବେ ସ୍ଥାନୀୟ ଲୋକେ ସେମାନଙ୍କ ସମ୍ପର୍କରେ କି ମତାମତ ଦେଉଛନ୍ତି ତାକୁ ନେଇ ବିଜେଡି ବିଧାୟକମାନଙ୍କ ମନରେ ଛନକା ପଶିଛି । ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ ଏହି ସର୍ଭେ ଟିମ୍ ନିଜର ରିପୋର୍ଟ ଦାଖଲ କରିବାର ସମ୍ଭାବନା ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ୨୦୨୪ ଫେବୃୟାରୀ ମାସରେ ହେବାର ସମ୍ଭାବନା ଥିଲେ ମଧ୍ୟ କ୍ଷମତାସୀନ ବିଜେଡି ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରିଛି । ଦଳ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ କର୍ମୀଙ୍କ ମନୋବଳ ବୃଦ୍ଧି ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତର ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନକୁ କ୍ରିୟାଶୀଳ ନିମନ୍ତେ ଲକ୍ଷ୍ୟ ରଖିଛି । ତେବେ ବିଜେଡି ସଂଗଠନରେ ତୀବ୍ର ଅସନ୍ତୋଷ ଓ ଅନ୍ତଃକନ୍ଦଳ, ସାଂଗଠନିକ ଜିଲ୍ଲାଗୁଡ଼ିକରେ ସମାନ୍ତରାଳ ନେତୃତ୍ୱ, ଜଣେ ଦୁଇଜଣ ବ୍ୟକ୍ତିଙ୍କ ଦ୍ୱାରା ଦଳ ଓ ସଂଗଠନ ପରିଚାଳିତ ହେବା, ତୃଣମୂଳସ୍ତରରେ ‘ପିସି’ କାରବାର ଓ ବିପର୍ଯ୍ୟୟ ଆଇନଶୃଙ୍ଖଳା ଚରମସୀମାରେ ପହଂଚିବା,ସାଧାରଣ ଲୋକଙ୍କ ମଧ୍ୟରେ ସରକାରବିରୋଧୀ ଅସନ୍ତୋଷ ଏବେ ବିଜେଡି ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇଥିବାବେଳେ ଆମ୍ ଆଦମୀ ପାର୍ଟି ଓ ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ପ୍ରବେଶ ମଧ୍ୟ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି । ଏପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ବିଜେପି ନିଜର ଆଭିମୁଖ୍ୟକୁ ଅଧିକ ଆକ୍ରମଣାତ୍ମକ କରି ନିଜ କର୍ମୀଙ୍କ ମନରେ ଉତ୍ସାହ ବୃଦ୍ଧି କରିବାରେ ଲାଗିଛି । କଂଗ୍ରେସ ବି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଂଚିବାକୁ ରଣନୀତି କରିଛି । ଆଉ ଏସବୁ କାରଣ ଦଳ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ନିମନ୍ତେ ପ୍ରଥମ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

BjD Naveen Patnaik Bjd Leader Bjd Mla Bjd Mp