ବିଜେଡିରେ ବଢ଼ୁଛି ଫାଟ, ପୁଣି ଗଢ଼ିଲେ ୬୦ଜଣିଆ କମିଟି, ୨୭ରେ ନବୀନ ଡାକିଲେ ଜରୁରୀ ବୈଠକ

ନିର୍ବାଚନରେ ଶୋଚନୀୟ ପରାଜୟକୁ ୩ମାସ ବିତିଯାଇଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ଏହାର ସମୀକ୍ଷା କରିବାକୁ ସାହାସ କରିପାରିନି । ଅବଶ୍ୟ ବୁଲେଇବଙ୍କେଇ ଜିଲ୍ଲାସ୍ତରର ନେତାମାନଙ୍କୁ ଡାକି ନବୀନ ଏବେ ସାଂଗଠନିକ ସ୍ଥିତିର ସମୀକ୍ଷା କରୁଛନ୍ତି ।

ନବୀନ ପଟ୍ଟନାୟକ

  • Published: Wednesday, 25 September 2024
  • , Updated: 25 September 2024, 10:01 PM IST

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ବୟାନବାଜି ଉପରେ ଲଗାମ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ଶଙ୍ଖଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି । ଦଳର ୧୫ଜଣିଆ ସମନ୍ୱୟ କମିଟି ସଦସ୍ୟମାନଙ୍କ ସମେତ ଆଉ ୩ଟି ନୂଆ କମିଟିର ୬୦ଜଣିଆ ସଦସ୍ୟ ଓ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନଙ୍କୁ ଏହି ବୈଠକରେ ସାମିଲ ହେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ‘ଦଳରେ ସବୁକିଛି ଠିକ୍ ଚାଲିଛି’ ବୋଲି ସନ୍ଦେଶ ଦେବାକୁ ବିଜେଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୨୭ତାରିଖ ଶୁକ୍ରବାର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳର ଭବିଷ୍ୟତର ସାଂଗଠନିକ କାର୍ଯ୍ୟପନ୍ଥା ସହ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜା ପାଇଁ କମିଟି ଚୟନ ଆଦି ଉପରେ ବିଚାରବିମର୍ଶ ହେବ । ବିରୋଧୀ ଦଳରେ ରହି ମଧ୍ୟ ବିକାଶକୁ ବିଜେଡି ପ୍ରାଥମିକତା ଦେଉଛି । ଆଗକୁ ବିକାଶ ପାଇଁ ମଧ୍ୟ ହଲଚଲ୍ ଲାଗି ରହିବ । ୨୭ତାରିଖ ବୈଠକରେ ଦଳର ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ଏହି ଜରୁରୀ ବୈଠକ ଡାକିବାକୁ ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି । ନବୀନ ଆଜି ଦଳର ୩ଟି ନୂଆ କମିଟି ଗଠନ କରି ୬୦ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ହୋଇଛି । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ଥିବାବେଳେ ଏହାକୁ ସହଯୋଗ କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଗଠନ ହୋଇଛି । ଏହି କମିଟିରେ ଦଳର ବିଧାୟକ, ସାଂସଦ ଓ ପରାଜିତ ପ୍ରାର୍ଥୀମାନଙ୍କୁ ଥଇଥାନ କରି ସେମାନଙ୍କ ମୁହଁକୁ ବନ୍ଦ ରଖିବା ପାଇଁ ପ୍ରୟାସ ହୋଇଛି ।

ନିର୍ବାଚନରେ ଶୋଚନୀୟ ପରାଜୟକୁ ୩ମାସ ବିତିଯାଇଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ଏହାର ସମୀକ୍ଷା କରିବାକୁ ସାହାସ କରିପାରିନି । ଅବଶ୍ୟ ବୁଲେଇବଙ୍କେଇ ଜିଲ୍ଲାସ୍ତରର ନେତାମାନଙ୍କୁ ଡାକି ନବୀନ ଏବେ ସାଂଗଠନିକ ସ୍ଥିତିର ସମୀକ୍ଷା କରୁଛନ୍ତି । ଆଉ ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ ଓ ତାଙ୍କ ଟିମ୍ ମାଧ୍ୟମରେ କିଭଳି ଜିଲ୍ଲାରେ ସଂଗଠନକୁ ନଷ୍ଟ କରିଛନ୍ତି ତା’ର ଗୁମର ଜିଲ୍ଲାସ୍ତରର ନେତାମାନେ ଖୋଲିଛନ୍ତି । ନବରଙ୍ଗପୁର ଜିଲ୍ଲା ସମୀକ୍ଷାବେଳେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକଥା ନବୀନଙ୍କୁ ଅବଗତ କରିଥିଲେ । ଦଳର ନିର୍ବାଚନୀ ପରିଚାଳନା ତ୍ରୁଟିପୂର୍ଣ୍ଣ ଥିବା ଓ ଅର୍ନ୍ତଘାତୀ କାର୍ଯ୍ୟ ଯୋଗୁ ବିଜେଡିକୁ ପରାଜୟ ଭୋଗିବାକୁ ପଡ଼ିଲା ବୋଲି ସେ କହିଥିଲେ । ଯାହାକୁ ଦଳର ଅନ୍ୟତମ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଏହାକୁ ସମର୍ଥନ କରିବା ସହ ନବୀନ ବୁଲିଲେ ନାହିଁ ବୋଲି ଦଳ ପରାଜିତ ହୋଇଥିବା ଗଣମାଧ୍ୟମକୁ କହିଲେ ।

ନବୀନ ଇତିମଧ୍ୟରେ ଦେବଗଡ଼, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଜଗତସିଂହପୁର, ବାଲେଶ୍ୱର, ମାଲକାନଗିରି, ଢେଙ୍କାନାଳ ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର ନେତାମାନଙ୍କୁ ଡାକି ସମୀକ୍ଷା କରିସାରିଛନ୍ତି । ସମସ୍ତେ ଏକସ୍ୱରରେ ବୁଲେଇବଙ୍କେଇ ପ୍ରଣବପ୍ରକାଶ ଦାସ(ବବି) ଓ ତାଙ୍କ ଖାସ୍ ସହଯୋଗୀମାନଙ୍କ ମାତ୍ରାଧିକ ମାମଲାତି ଏବଂ ଅନ୍ତର୍ଘାତୀ କାର୍ଯ୍ୟକୁ ଦାୟୀ କରିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଯେଉଁଥିପାଇଁ ନବୀନ ଏବେ ଯେଉଁ ସବୁ କମିଟି କରିଛନ୍ତି ସେଥିରେ କୌଣସି ଥିରେ ବବିଙ୍କୁ ସାମିଲ କରିନଥିବା ଜଣାପଡ଼ିଛି ।

Related story