ନବ ଦାସଙ୍କ ହତ୍ୟା ମାମଲାରୁ ନଜର ଏଡ଼ାଇବାକୁ ସରକାର କରୁଛନ୍ତି ନୂଆ ନାଟକ: ବିଜେପି

ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ ଛାଡ଼ କରନ୍ତୁ ।

ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ

  • Published: Friday, 03 March 2023
  • , Updated: 03 March 2023, 10:28 PM IST

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରୁ ନଜର ଏଡ଼ାଇବା ପାଇଁ ରାଜ୍ୟ ସରକାର ନୂଆ ନାଟକ କରୁଛନ୍ତି ବୋଲି ବିଜେପି କହିଛି । ବିଜେଡି ମହିଳା ୱିଙ୍ଗ ପକ୍ଷରୁ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ,  ଗ୍ୟାସ ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦି ସରକାରଙ୍କ କୌଣସି ଭୂମିକା ନାହିଁ । ଏକଥାକୁ କ’ଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ ଛାଡ଼ କରନ୍ତୁ । ରାଜ୍ୟ ସରକାର ଏଠି ଡ୍ରାମା ନକରି ସାହସ ଅଛିତ ଗ୍ୟାସ ଭଳି ପଦାର୍ଥକୁ ଜିଏସଟି କାଉନସିଲରେ ଦାବି ଉପସ୍ଥାପନ କରନ୍ତୁ ।

ନିରୁଙ୍କଶ ଶାସନ କ୍ଷମତାରେ ରହି ସୁଦ୍ଧା ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ଜିନିଷର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେଡି ସରକାରଙ୍କ ଦରଦାମ ବୃଦ୍ଧି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।

ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ରକୁ ଲୁଚେଇବା ପାଇଁ ବିଜେଡି ସରକାର ଗ୍ୟାସ ଦର ବଢ଼ିବାର ନୂଆ ନାଟକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳର ନେତା-ନେତ୍ରୀଙ୍କ ଏଭଳି ଡ୍ରାମା ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି । ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ଭାରତ ନିର୍ଭରଶୀଳ । ଆନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ଏହି କାରଣରୁ ଗ୍ୟାସ ଦର ତଳ ଉପର ହୋଇଥାଏ । ରନ୍ଧନ ଗ୍ୟାସ ଦରଦାମ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନଥାଏ । ଏହି କ୍ରମରେ ଏବେ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ହ୍ରାସ ମଧ୍ୟ ପାଇବ । ଏହା ଏକ ନିରନ୍ତର ପ୍ରକ୍ରିୟା । ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା ଓ ଦଳର ନେତା-ନେତ୍ରୀମାନେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ରନ୍ଧନ ଗ୍ୟାସ ଦର ବୃଦ୍ଧି, ଚାଉଳ କାଟ ଭଳି ଗରିବମାରଣ ନୀତି କେନ୍ଦ୍ରର ବିଜେପି ସରକାରଙ୍କୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ବିଜେଡି ନେତାମାନେ ମତ ଦେଇଥିଲେ । ଏହାସହିତ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ।

Related story